You are here: Home / Access to Knowledge / Blogs / ଓଡ଼ିଆ ଉଇକିପାଠାଗାର: ଓଡ଼ିଆରେ ଡିଜିଟାଲ ପାଠାଗାର ଆନ୍ଦୋଳନର ନୂଆ ମୁହଁ

ଓଡ଼ିଆ ଉଇକିପାଠାଗାର: ଓଡ଼ିଆରେ ଡିଜିଟାଲ ପାଠାଗାର ଆନ୍ଦୋଳନର ନୂଆ ମୁହଁ

Posted by Subhashish Panigrahi at Jan 12, 2016 08:00 AM |
Many would be searching for Odia-language books on the internet. Many would feel like correcting typos and other mistakes when found while reading a book, even online. Odia Wikisource is as a platform all those book lovers who want to read Odia books online and want to make more books available online.

 

The article by Subhashish Panigrahi was published in Your Story on January 12, 2016.


ଇଣ୍ଟରନେଟରେ ଅନେକେ ଓଡ଼ିଆ ବହି ଖୋଜୁଥିବେ । ପୁରୁଣା ବହିରେ ପ୍ରକାଶନ ବା ଛାପା-ଜନିତ ଭୁଲ ଭଟକା ଆଖିରେ ପଡ଼ିଲେ ଯେମିତି ଆମେ ବହିରେ କଲମରେ ଗାର ମାରିଦେଉ ଇଣ୍ଟରନେଟରେ ସେମିତି ଭୁଲଟିଏ ଦେଖିଲେ ଭୁଲଟି ସୁଧାରିବାକୁ ହାତ ବଳିବ । ଏ ସବୁ ପ୍ରକାର ଦ୍ୱନ୍ଦର ସମାଧାନ ଏଣିକି ଇଣ୍ଟରନେଟରେ ଉପଲବ୍ଧ ଓଡ଼ିଆ ପାଠାଗାର "ଉଇକିପାଠାଗାର" ଦ୍ୱାରା ସମ୍ଭବ ।

ଭାଷାଟିଏ ବଢ଼ିଲେ ବଢ଼ନ୍ତି ବ୍ୟବହାରୀ । ବଢ଼େ ସେ ଭାଷାର ଅଭିଲେଖ । ଆଉ ଆମ ଭାଷାଟି କେଇ ଶହ-ହଜାର ବର୍ଷ ଭିତରେ ଶାଖା ପ୍ରଶାଖା ମେଲି ଯେ କେଡ଼େ ବିଶାଳ ହୋଇଛି ତାହା ଆମେ ଜାଣୁ । ଭାଷା ନଈଟି ବହୁ ଜାଗା ଦେଇ ବହୁ ବହୁ ଅନେକ ବହି ମଧ୍ୟ ଉତୁରିଉଠିଛି । ସେ ବହିମାନଙ୍କ ଭିତରୁ ଜଣାଶୁଣା ଲେଖକଙ୍କ ବହିଗୁଡ଼ିକ ଭଲ ଭାବେ ସଂରକ୍ଷିତ ହୋଇ ପୁନଃମୁଦ୍ରଣ ହେବା ସହିତ ପିଢ଼ି ପିଢ଼ି ଧରି ପଢ଼ାହେଉଛି । ହେଲେ ଗୁରୁତ୍ତ୍ୱପୂର୍ଣ ତଥ୍ୟ ଥାଇ ମଧ୍ୟ ଅନେକ ବଣମଲ୍ଲୀ ସମ ଉପାଦେୟ ବହି ପ୍ରଚାର ପ୍ରସାର ଅଭାବରୁ ଲୋକଲୋଚନକୁ ଆସିପାରିନାହିଁ । ତା ଛଡ଼ା ଅନେକ ବହି ପ୍ରକାଶକ ଓ ଲେଖକଙ୍କ ସମ୍ବଳ ଅଭାବ ହେତୁ ବା ପାଠକଙ୍କ ଅନାଗ୍ରହ ଯୋଗୁ ସାରା ଓଡ଼ିଶା ବା ଓଡ଼ିଶା ବାହାରକୁ ଯାଇପାରନ୍ତି ନାହିଁ । ଏମିତି ଅବସ୍ଥାରେ ଆମ ଭବିଷ୍ୟତ ପିଢ଼ି ସବୁଯାକ ବହି ନ ହେଲେ ମଧ୍ୟ କିଛି ବହି ପାଇବେ ତ?

ଆଗରୁ ଆମର କୋଠକାଠିଆ ସମାଜ ଥିଲା । ଏକାଠି ବହୁଲୋକ ବସି ଆଳାପ ଆଲୋଚନା କରୁଥିଲେ । ବହି ପଢ଼ାଠୁ ଆରମ୍ଭ କରି ନ୍ୟାୟ ବିଚାର ଯାଏ ସବୁ ହେଉଥିଲା ସେଇଠି । ଆମ ବଡ଼ବଡ଼ୁଆମାନେ ସବୁ ଗୁରୁତ୍ତ୍ୱପୂର୍ଣ୍ଣ ସିଦ୍ଧାନ୍ତ ସେଇଠି ନେଉଥିଲେ । ଅନେକ ସ୍ଥାନରେ ବୁଦ୍ଧଙ୍କ ଛବି ଖୋଜିଲେ ଏବେ ବି ଗଛ ତଳେ ଚଉକିପରେ ଏକାଠି ହୋଇ ଲୋକେ ବିଚାର କରୁଥିବା ଦେଖିବାକୁ ମିଳେ । ପରେ ଭାଗବତ ଟୁଙ୍ଗିରେ ଆମର ଭାଗବତ ପଢ଼ାହେଲା । ସେ ଥିଲା କେଇଘଣ୍ଟା ପାଇଁ ପାଠାଗାର ଆଉ ବାକି ବେଳ ପାଇଁ ଚଳଣି ଆଉ ନ୍ୟାୟଘର । ପରେ ବହିର ଆଲୋଚନାଠାରୁ ସଂଗ୍ରହ ଓ ସଂରକ୍ଷଣ ଲୋଡ଼ା ପଡ଼ିବାରୁ ପାଠାଗାର ଆରମ୍ଭ ହେଲା । ତେବେ ଧୀରେ ଧୀରେ ଲୋକେ ବହି ପଢ଼ାଠାରୁ ଦୂରେଇ ଯିବାରୁ ପାଠାଗାର ବଣମଲ୍ଲୀ ସମାନ ହୋଇପଡ଼ିଲାଣି ।

ଆଜିର ପିଢ଼ି ଯେବେ ପୂରାପୂରି ଡିଜିଟାଲ ମୁହାଁ ହୋଇସାରିଲେଣି ଆମକୁ ବିଚାରିବାକୁ ହେବ ଏ ରାଶି ରାଶି ପୋଥି କାହା ପାଇଁ । ସମାଜଟିଏ ତା'ର ଆଗାମୀ ଭବିଷ୍ୟତର ଆଖିରେ ସପନ ଦେଖେ । ତେଣୁ ଅଧୁନାତନ ପିଢ଼ିର ଆବଶ୍ୟକତାକୁ ଅଣଦେଖା କରି କେବଳ ବହି ଛାପିଲେ ପାଠାଗାର ଯେ ଅଳିଆଗଦାରେ ପରିଣତ ନ ହେବ କିଏ କହିବ?

ଆଗାମୀ ପିଢ଼ି ପାଇଁ କଣ ଲେଖା ହେବ କଣ ଲେଖା ନ ହେବ ଆଉ କିପରି ଲେଖା ହେବ ତାହା ଏକ ଜଟିଳ ବିଷୟ । ଭାଷା କହିଲେ ଖାଲି ସାହିତ୍ୟକୁ ବୁଝାଏ ନାହିଁ ବରଂ ସାହିତ୍ୟ ଭାଷାର ଏକ ଅଂଶ ବୋଲି ଅନେକଙ୍କୁ ବୁଝିବାକୁ ପଡ଼ିବ । ବିଭିନ୍ନ ଧରଣର ରଚନା ଓ ସେସବୁ ସାଇତା ହେବାର ଆବଶ୍ୟକତା ବହୁ ଭାବେ ରହିଛି । ଆମେ ଆଗକୁ ବଢ଼ିବା ବେଳେ ଆଉ ନୂଆ ଭାବିବା ବେଳେ ଆଗରୁ ଘଟିଥିବା ଘଟଣା ଆମ ପାଦ ତଳର ନିଅଁ ଭଳି କାମ କରେ । ତେଣୁ ନୂଆ ପିଢ଼ି ବହିଠାରୁ ଦୂରେଇ ଯାଉଛନ୍ତି ବୋଲି ଚୋରକୁ ମାନ ମାରି ଖପରାରେ ଖାଇବା ବୋକାମି ହେବ । ବେଳେବେଳେ ତାଙ୍କୁ ଅଣଦେଖା କରି କେବଳ ଛପା ବହି ପଢ଼ୁଥିବା ଲୋକଙ୍କ ପାଇଁ ବହି ଛପାହେଉଛି ବୋଲି ବୋଧହୁଏ । କାଗଜ ପରେ ଛପା ବହି ଯେତେ ନିଜର ଲାଗିଲେ ମଧ୍ୟ ଦିନେ ନା ଦିନେ ଚିରିବ କି ଉଇଙ୍କ ଆହାର ହେବ । ଆଉ ଆଗତ ଦିନ ପାଇଁ ତାକୁ ସାଇତି ରଖିବାର ସଳଖ ବାଟଟିଏ ହେଲା ତା'ର ଡିଜିଟାଲ କପି ତିଆରିବା । ଇଂରାଜୀ, ଫ୍ରେଞ୍ଚ, ସ୍ପାନିସ, ଜର୍ମାନ, ଜାପାନୀ ଆଦି ଭାଷାରେ ଲେଖା ପୋଥିପତର ସବୁ ସେଠାର ପାଠକ ଆଜି ବି ଆମ ଭଳି ବହି ଧରି ପଢ଼ିବାକୁ ଭଲ ପାଆନ୍ତି ।

ଲଣ୍ଡନରେ କିଛି ଦିନର ରହଣି କାଳରେ ଦେଖି ଅଭିଭୂତ ହେଲି ସେଠା ଲୋକଙ୍କ ବହି ପଢ଼ାର ସଉକ । ଟ୍ରେନ ଷ୍ଟେସନ ବାଡ଼ାକୁ ଆଉଜି କିଏ ପଢ଼ୁଛି ତ କିଏ ଜନଗହଳି ଥାନରେ କଣଟିଏ ବାଛି ଫରଦ ପରେ ଫରଦ ଲେଉଟଉଛି । କିନ୍ତୁ ସେଠାର ପାଖାପାଖି ସବୁ ନୂଆ ବହି ଉଭୟ ଛପା ଓ ଇ-ବହି ବିକ୍ରୀ ହେଉଛି ।

ନୂଆ ଟେକନୋଲୋଜି ଆସିଗଲା ବୋଲି ପୁରୁଣା ପୂରା ଫୋପାଡ଼ିଦେବା କେବଳ ମଝିମଝିଆ ସମାଜର ଲକ୍ଷଣ । ହେଲେ ଉଚ୍ଚତର ସମାଜରେ ପୁରୁଣା ଓ ନୂଆର ବିଭା ସବୁଠି ଦେଖିବାକୁ ମିଳେ । ତେଣୁ ଆମ ବହିମାନଙ୍କ ବିକ୍ରି କମିଯିବ ବୋଲି ହାଉଳି ଖାଇ ଆମେ ଏକ ପିଢ଼ିକୁ ଆମ ବହିର ବାସନାପାଣିରୁ ବଞ୍ଚିତ କରୁନୁ ତ? ଯଦି ସତରେ ଆମ ପର ପିଢ଼ି ଅମା ବହିଯାକ ନ ପଢ଼ନ୍ତି ତାହେଲେ ଏ ଜାତିର ଇତିହାସରେ ଆମେ ଲାଙ୍ଗୁଡ଼ଜକା ଆଉ ଚିରକାଳ ଦୋଷୀ ହୋଇ ରହିହେବୁ ।

ଆଉ ବହି କିଣି ହାତରେ ଧରି ପଢ଼ୁଥିବା ଲୋକଟି କେବେ ହେଁ ମୋବାଇଲ-ଟ୍ୟାବଲେଟ-କିଣ୍ଡିଲ-କମ୍ପୁଟରରେ ପଢ଼ିବାକୁ ସୁଖ ମଣିବ ନାହିଁ । କିନ୍ତୁ ଫ୍ଲାଇଟରେ ଯିବା ବେଳେ ଲୋଡ଼ା ପଡ଼ିଲେ ଡିଜିଟାଲ ମାଧ୍ୟମରେ ପଢ଼ିବ । ଆଉ ବିଶାଳ ଗ୍ରନ୍ଥର କେଉଁ କୋଣରେ ଲେଖାଟିଏ ଖୋଜିବାକୁ ଚାହିଁଲେ ସବୁ ପୃଷ୍ଠା ନ ଖୋଜି ପାଠକଟିଏ ସଳଖେ ସଳଖେ ଇଣ୍ଟରନେଟରେ ଖୋଜିପାରିବ ।

ବହିର ଡିଜିଟାଲ ରୂପ ତିଆରିବାରେ ସୃଜନିକା ନାମକ ଅନୁଷ୍ଠାନର ଅବଦାନ କାହିଁରେ କେତେ । ପାଖାପାଖି ଦେଢ଼ ଲକ୍ଷ ପୃଷ୍ଠା ସ୍କାନ କରି ସେମାନେ ଅନେକ ଇ-ବହି ତିଆରି କରିସାରିଲେଣି । ୧୮୫୦-୧୯୫୦ ଭିତରେ ଛପା ଓଡ଼ିଆ ପତ୍ରପତ୍ରିକାସବୁ ପ୍ରାୟ ଏଥିରେ ସାମିଲ । odia.org ନାମକ ଆଉ ଏକ ୱେବସାଇଟ କିଛି ନିଜ ଉଦ୍ୟମରେ ଆଉ କିଛି ବାକିମାନଙ୍କ ସହଯୋଗରେ କିଛି ଓଡ଼ିଆ ବହି ଇଣ୍ଟରନେଟରେ ଉପଲବ୍ଧ କରାଇଛନ୍ତି । ଇଣ୍ଟରନେଟ ଆରକାଇଭ (archive.org) ସାଇଟରେ ବହିସବୁ ପିଡ଼ିଏଫ ଭାବେ ଅପଲୋଡ଼ କଲେ ତାହା ମୋବାଇଲ ଓ ଅନ୍ୟାନ୍ୟ ଆକାରରେ ଦେଖିବାକୁ ସୁବିଧା । ହେଲେ ଲୋଡ଼ାଥିଲା ଇଣ୍ଟରନେଟରେ ପାଠାଗାରଟିଏ । ହେଲେ ଇଣ୍ଟରନେଟ ଯେତେବେଳେ ଖାଲି ପାଠକ ରହିଲେ କି ମଉଜ? ଦିଆନିଆ ନଥାଇ ସେ କି ଇଣ୍ଟରନେଟ? ପାଠକ ଯଦି କେଉଁଠି ଭୁଲଟିଏ ଦେଖିଲେ ତାକୁ ବଦଳାଇ ପାରୁଥିବେ ତାହେଲେ ସିନା । ଅନେକେ ହୁଏତ ଜାଣିନଥିବେ ଏ ସମାଧାନର ବାଟଟିଏ ରହିଛି ।

Document Actions