କେତେ ମାଗଣା ଫେସବୁକର ଫ୍ରି ବେସିକ୍ସ?
Read the original article published in Odisha.com here.
ଗତ ଦୁଇ ସପ୍ତାହ ସାରା ଇଣ୍ଟରନେଟରେ ନିଆଁ ଲାଗିଛି । ସାରା ଦେଶରୁ ଲୋକେ ନିଆଁରେ ପତଙ୍ଗ ଝାସ ଦେଲା ଭଳି ଫେସବୁକର ନୂଆ ପ୍ରକଳ୍ପ ଫ୍ରି ବେସିକ (Free Basics) ବିରୋଧରେ ଭିନ୍ନ ଭିନ୍ନ ଧରଣର ମତ ଦେଇଚାଲିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ କାଳରେ ସେଠାରେ ଜୁକରବର୍ଗଙ୍କ ସାଙ୍ଗେ ଭେଟି ଫେସବୁକର ମିଳିତ ସହଯୋଗରେ ଭାରତରେ ସାଧାରଣ ଲୋକଙ୍କ ପାଇଁ ଜ୍ଞାନ ବିତରଣ ଓ ସୂଚନା ପହଞ୍ଚାଇବା ବାବଦରେ ଆଲୋଚନ କରିଥିଲେ।
ଫେସବୁକ ଏହାକୁ ଭାରତରେ ନିଜର ଚେର ମୋଟା କରିବାର ଏକ ସୁଯୋଗ ଭାବେ ବ୍ୟବହାର କରିବାକୁ ଉଦ୍ୟମ କଲା । ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଏହି ଫ୍ରି ବେସିକ୍ସ ସମ୍ପର୍କରେ ଘୋଷଣା କରିବାର ଦୁଇ ସପ୍ତାହ ନ ପୁରୁଣୁ ଟେଲିକମ ରେଗୁଲେଟରି ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ) ପାଖରେ ସାଢ଼େ ଚାରି ଲକ୍ଷ ପାଖାପାଖି ଇମେଲ ଏହାକୁ ରୋକିବା ଲାଗି ପହଞ୍ଚି ସାରିଲାଣି ।
ଜନନେତା ଓ ଇନଫୋସିସର ସହ ପ୍ରତିଷ୍ଠାତା ନନ୍ଦନ ନୀଳକେଣିଙ୍କ ଠାରୁ ଆରମ୍ଭ କରି ମିଡ଼ିଆନାମାର ପ୍ରତିଷ୍ଠାତା ନିଖିଳ ପାଉଆ, ଭେଞ୍ଚର କ୍ୟାପିଟାଲିଷ୍ଟ ମହେଶ ମୂର୍ତ୍ତି, ଇଣ୍ଟରନେଟ ଆକ୍ଟିଭିଷ୍ଟ ସୁନୀଳ ଆବ୍ରାହାମ, ପ୍ରଣେଶ ପ୍ରକାଶଙ୍କ ଯାଏ ସଭିଏଁ ଏହା ପଛରେ ଫେସବୁକ ଲାଭକାରୀ ମନୋଭାବ ନିହିତ ଅଛି ବୋଲି ଦର୍ଶାଇ ଏହି ଉଦ୍ୟମକୁ କଡ଼ା ନିନ୍ଦା କରିଛନ୍ତି।
ତେବେ କଣ ଏ ଫ୍ରି ବେସିକ୍ସ? କାହିଁକି ଏତେ ବିବାଦ ?
ଫେସବୁକ ବ୍ୟବହାର କରୁଥିବା ଉଣାଅଧିକେ ସଭିଏଁ ଜାଣୁଥିବେ ସେ କେଡ଼େ ଅଠାକାଠି! ଫେସବୁକର ପ୍ରାୟ ବ୍ୟବହାକାରୀ ହେଲେ ଯୁବବର୍ଗର । ତେବେ ଅନ୍ୟ ବଯସର ଲୋକେ ମଧ୍ୟ ଫେସବୁକ ବ୍ୟବହାର କରିଥାନ୍ତି । ଖୁବ କମ ସମୟରେ ଅଧିକ ଲୋକଙ୍କ ସଙ୍ଗେ ମିଶିବା, ଗପିବା ଆଦି ସୁବିଧା ପାଇବା ଯୋଗୁଁ ଅନେକେ ଫେସବୁକ ପ୍ରେମରେ ପଡ଼ିଯାଆନ୍ତି ।
ସରଳ ଭାଷାରେ କହିଲେ ଫେସବୁକ ଇଣ୍ଟରନେଟରେ ଉପଲବ୍ଧ ଏକ ହାଟ ବଜାର । ଲୋକେ ସେଠି କିଛି ସମୟ କାଟିବା ପାଇଁ, ଚିହ୍ନା-ଅଚିହ୍ନା ଲୋକଙ୍କ ସହ ମିଶିବା ପାଇଁ, ଆଳାପ-ଆଲୋଚନା ପାଇଁ ଏକାଠି ହୁଅନ୍ତି । ଅଧିକାଂଶ ଆଲୋଚନା କେବଳ ମଜା ମଉଜ ପାଇଁ ହେଲା ବେଳେ କିଛି ଉପଯୋଗୀ ଆଲୋଚନା ମଧ୍ୟ ହୋଇଥାଏ ।
ଫେସବୁକ ଏକ ବିଶାଳ ଲାଭକାରୀ କମ୍ପାନି । ଏହାର ଆଉ ଏକ ସହ ପ୍ରକଳ୍ପ ହେଲା ହୁଆଟ୍ସ ଅପ । ଏହା ଅନଲାଇନ ଚାଟିଂ ପାଇଁ ବ୍ୟବହାର କରାଯାଏ । ଫଟୋ ଭିଡ଼ିଓରୁ ଆରମ୍ଭ କରି ସାଧାରଣ ଚାଟିଂ ନିମନ୍ତେ ଏହା ଖୁବ ଜଣା । ନିକଟରେ ଫେସବୁକ internet.org ନାମକ ଏକ ସହ-ସଙ୍ଗଠନ ଆରମ୍ଭ କରିଛି ।
ଫ୍ରି ବେସିକ୍ସ ହେଲା ଏ ଇଣ୍ଟରନେଟ ଡଟ ଅର୍ଗ ଅଧୀନରେ ଏକ ଯୋଜନା । ତେବେ ଫେସବୁକ ଓ ଫେସବୁକର ସହ-ପ୍ରକଳ୍ପସବୁକୁ ଅଭାବୀ ଦେଶମାନଙ୍କରେ ଅଧିକ ଲୋକପ୍ରିୟ କରିବା ଲାଗି ସେସବୁକୁ ବିନାମୂଲ୍ୟରେ ପହଞ୍ଚାଇବା ପାଇଁ ଏ ଫ୍ରି ବେସିକ୍ସ । ଭାରତ ସମେତ ଜଗତର ୩୦ଟି ଦେଶରେ ଫ୍ରି ବେସିକ୍ସ ଜରିଆରେ ମାଗଣା ସୀମିତ ଫେସବୁକ ସୁବିଧା ଦେବା ଏହାର ଉଦ୍ଦେଶ୍ୟ ।
ଫ୍ରି ବେସିକ୍ସ ଜରିଆରେ ଆଉ କିଛି ମାଗଣା ୱେବସାଇଟ ମଧ୍ୟ ଉପଲବ୍ଧ ହେବ । ତେବେ ଏଠାରେ ଅନେକ ପ୍ରଶ୍ନ ମନରେ ଉଙ୍କିମାରେ? ଏ ମାଗଣା ୱେବସାଇଟସବୁ ବ୍ୟବହାର ପାଇଁ ଲୋଡ଼ା କି ନାଁ ତା’ର ସିଦ୍ଧାନ୍ତ କିଏ ନେବ, ଫେସବୁକ ନାଁ ବ୍ୟବହାରକାରୀ ?
ଫ୍ରି ବେସିକ୍ସ ଅଧୁନା କିଛି ଦେଶରେ ଉପଲବ୍ଧ ହୋଇଥିବା ବେଳେ ଫିଲିପାଇନ୍ସରେ ରହୁଥିବା ଜଣେ ଭାରତୀୟ ଜିତେଶ ଗୋସ୍ୱାମୀ ନିକଟରେ ନିଜେ ନିଜ ମୋବାଇଲରେ ସେଠାର ଫ୍ରି ବେସିକ୍ସ ଇନଷ୍ଟଲ କରି ଯାହା ମତ ଦେଇଛନ୍ତି ତା’ ଭାରୀ ଚିନ୍ତାର ବିଷୟ । ସାଧାରଣ ଫେସବୁକର ଅଧାରୁ ଅଧିକ ସୁବିଧା ଫ୍ରି ବେସିକ୍ସରେ ନାହିଁ ।
ଏଥିରେ ଫେସବୁକ ବାହାରେ ଥିବା ଭିଡ଼ିଓ ମାଗଣାରେ ଦେଖିହେବନି କି ଖବର ଆଦି ସମ୍ପୂର୍ଣ୍ଣ ପଢ଼ିହେବନି । ପୁଣି ମାଗଣାରେ ମିଳିବାକୁ ଥିବା ବାକି ୱେବସାଇଟସବୁ ବାଛିବାରେ ଫେସବୁକର ଏକଚାଟିଆ ଅଧିକାର ରହିବ । ବ୍ୟବହାରକାରୀ କଣ ଚାହାନ୍ତି ନ ଚାହାନ୍ତି ତାହା ଫେସବୁକ ନିର୍ଣ୍ଣୟ କରିବ ।
ଆଉ ଗରୀବ ମାଇପ ସବୁରି ଶାଳୀ ନ୍ୟାୟରେ ଗରୀବଙ୍କୁ ମାଗଣା ତିଅଣର ସୁଆଦ ଚଖାଇ ଫେସବୁକ ସେମାନଙ୍କୁ ଇଣ୍ଟରନେଟ ଯୋଗାଇବା ଆଳରେ କେବଳ ଫେସବୁକର ପରିଧି ଭିତରେ ବାନ୍ଧି ରଖିବ ।
ଫେସବୁକ ଉଇକିପିଡ଼ିଆ Mozilla ଭଳି ଖୋଲା ସଫ୍ଟଓଏର ବ୍ୟବହାର କରେନାହିଁ କି ଲୋକଙ୍କ ଉଦ୍ୟମରେ ତିଆରି ନୁହେଁ । ଏହା ସମ୍ପୂର୍ଣ୍ଣ ଭାବେ ଏକ ଲାଭକାରୀ କମ୍ପାନି । ତେଣୁ ଫେସବୁକର ସବୁ କାମ ଲୋକଙ୍କ ସ୍ୱାର୍ଥ ନୁହେଁ ବରଂ ନିଜ ସ୍ୱାର୍ଥ ହାସଲ ପାଇଁ ।
ଅଭାବୀ ଦେଶର ଲୋକଙ୍କ ମନ ଜିଣିବା ପାଇଁ ଓ ନିଜର ବ୍ୟବହାର କାରୀଙ୍କ ସଂଖ୍ୟା ବଢ଼ାଇବା ପାଇଁ ଏହା ଫେସବୁକର ଏକ ମସୁଧା ବୋଲି ଅନେକ ଚିନ୍ତାଶୀଳ ଲୋକେ ମତ ଦେଇଛନ୍ତି । ଫେସବୁକର ଏହି ଏକ ଚାଟିଆ କାମ ନେଟ ନିଉଟ୍ରାଲିଟି ବା ନେଟ ସମାନତାର ପକ୍ଷପାତୀ ।
ପକ୍ଷପାତ ନ କରି ସବୁ ୱେବସାଇଟକୁ ସମାନ ଭାବେ ଗଣିବା ନେଟ ସମାନତା ନାମରେ ଜଣା । ଫ୍ରି ବେସିକ୍ସରେ ଥିବା ନାନାଦି ଭୁଲ ବିଷୟକୁ ଭଲ ଭାବେ ତନଖି କରିବା ପାଇଁ ନିକଟରେ ଟେଲିକମ ରେଗୁଲେଟରି ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ) ଫ୍ରି ବେସିକ୍ସକୁ କିଛି ସମୟ ପାଇଁ ବାସନ୍ଦ କରିଛି ।
ଚତୁର ଫେସବୁକ କେବେ ଚାଷୀମାନଙ୍କୁ ପାଣିପାଗ ଜାଣିବାରେ ଫ୍ରି ବେସିକ୍ସ ସାହାଯ୍ୟ କରିବ ତ କେବେ ଅଭାବୀ ଭାରତୀୟଙ୍କୁ ପରସ୍ପର ସହ ଯୋଡ଼ିବାରେ ସାହାଯ୍ୟ କରିବ ବୋଲି ଦେଶସାରା ସହର ବଜାର ସବୁଠି ଜୋରଦାର ପ୍ରଚାର ଚଳାଇଥିଲା ।
ସବୁ ଖବରକାଗଜରେ ପୂରା ଫର୍ଦ ବିଜ୍ଞାପନ ଆଉ ସବୁ ବସ ରହିବା ସ୍ଥାନରେ ବଡ଼ ବଡ଼ ହୋର୍ଡ଼ିଂ । ଆଉ ଏଥିରେ ସଭିଙ୍କୁ ଅନୁରୋଧ ଥିଲା ଏକ ନମ୍ବରକୁ ମିସ କଲ ଦେଇ ଫ୍ରି ବେସିକ୍ସକୁ ସମର୍ଥନ କରିବା ପାଇଁ । ଏ ପ୍ରଚାର ପ୍ରସାରରେ ୧୦୦ କୋଟିରୁ ଅଧିକ ବୋଧେ ଖର୍ଚ୍ଚ ହୋଇଥିବ! କେଉଁଠୁ ଆଦାୟ ହେବ ଏ ପଇସା? ଫ୍ରି ବେସିକ୍ସର ମାଗଣା ଫେସବୁକ ଓ ବାକି ୱେବସାଇଟକୁ ସୁବିଧା ଦେବାର ଏ ଆଳ ବିରୋଧରେ ଝଡ଼ ଉଠିଛି ।
Savetheinternet.in ନାମରେ ଏକ ୱେବସାଇଟ ତିଆରି କରି ଇଣ୍ଟରନେଟରେ ସମାନତା ପାଇଁ ଲଢ଼ୁଥିବା କର୍ମୀଏ ଏକରକମ ଆନ୍ଦୋଳନ ଆରମ୍ଭ କରିଛନ୍ତି ।
ଫେସବୁକର ମିସ କଲ ଅଭିଯାନର କଡ଼ା ଜବାବ ଦେବାପାଇଁ Savetheinternet.in ଓ fsmi.in ନାମକ ଦୁଇଟି ୱେବସାଇଟ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଇ ଟ୍ରାଇ ପାଖକୁ ଇମେଲ ପଠାଇବା ଅନୁରୋଧ କରାଯାଇଥିଲା । ଫେସବୁକର କୋଟି କୋଟି ଟଙ୍କା ଖର୍ଚର ମିସ କଲ ଅଭିଯାନରୁ ୧୦ ଲକ୍ଷ ସମର୍ଥନ ମିଳିଥିବା ବେଳେ ବିନା ପଇସାରେ ସାଢ଼େ ଚାରି ଲକ୍ଷରୁ ଅଧିକ ଲୋକ ଇମେଲ ଜରିଆରେ ଫ୍ରି ବେସିକ୍ସକୁ ବିରୋଧ କରି ଟ୍ରାଇକୁ ଇମେଲ କରିଛନ୍ତି ।
ତେବେ ଫେସବୁକର ଏହି ସମର୍ଥନ ସଂଗ୍ରହକୁ ଟ୍ରାଇର ସଭାପତି ଆରଏସ ଶର୍ମା ଘୋର ନିନ୍ଦା କରି କହିଛନ୍ତି ଏଯାବତ ଫେସବୁକ ଯେଉଁ ୧୪ ଲକ୍ଷ ଲୋକଙ୍କୁ ପ୍ରଭାବିତ କରି ସେମାନଙ୍କୁ ମିସ କଲ ଜରିଆରେ ସମର୍ଥନ ଆଣିଛି ତା’ ମୂଲ୍ୟହୀନ ।
୧୦୦ କୋଟି ଟଙ୍କାର କି ଅପଚୟ! ସେତିକି ପଇସାରେ ଶହେ ହଜାର ଲୋକଙ୍କ ମାଗଣାରେ କିଛି ଉପଯୋଗୀ ସାଇଟ ଦେଖିବା ସୁଯୋଗ ଦେଇଥିଲେ ଆହୁରି ଭଲ ହୋଇଥାନ୍ତା ।
ଫ୍ରି ବେସିକ୍ସରେ ଲୁଚି ରହିଥିବା ସବୁଠୁ ବଡ଼ ବିପଦଟି ହେଲା ଫେସବୁକର ତଥ୍ୟ ସଂଗ୍ରହ କାରସାଦି । ବ୍ୟବହାର୍ରକାରୀ କି କି ସାଇଟ ଦେଖିଲେ, କାହା ସଙ୍ଗେ ଗପିଲେ ସେସବୁ ଏହା ତାଙ୍କ ଅଗୋଚରେ ଟିକିନିଖି କରି ହିସାବ ରଖିଥାଏ । ସଳଖେ କହିଲେ ଫେସବୁକରେ ବ୍ୟବହାର କାରୀ ବାପୁଡ଼ାର ବ୍ୟକ୍ତିଗତ ବୋଲି କିଛି ରହିବ ନାହିଁ ।
ଫେସବୁକ ଆରମ୍ଭରୁ ଶବ୍ଦସମ୍ଭାରରେ ଭରା ଏକ ଲମ୍ବା ବିବରଣୀରେ ତଥ୍ୟ ସଂଗ୍ରହରେ ବ୍ୟବହାରକାରୀଙ୍କ କୌଣସି ଅଭିଯୋଗ ନାହିଁ ବୋଲି ଖୁବ ଚତୁର ଭାବେ ତାଙ୍କଠୁ ଅନୁମତି ନେଇଯାଏ । ଅନଭିଜ୍ଞ ବ୍ୟବହାରକାରୀ ପାଠ ଘର ଯାହା ସେଥିରେ ସେ ଏ ଫିକର ବୁଝିବ ବା କିପରି?
ଇଣ୍ଟରନେଟ ଓକିଲ ଇବେନ ମଗଲେନ ଓ ମିସି ଚୌଧୁରୀ ଏକ ଲେଖାରେ ଦୁହେଁ ତନ୍ନ ତନ୍ନ କରି ବିଶ୍ଳେଷଣ କରିଛନ୍ତି ଏ କଥା । ପ୍ରଶ୍ନ ଉଠେ ଯେ ଫେସବୁକ ଧନୀ ଦେଶରେ ଏଭଳି ବେପରୁଆ ଅପସାହସ କରିବକି?
ଏହି ଭଳି ଆଉ ଏକ କୁଟିଳ ବିଷୟ ଥିଲା ଏଆରଟେଲ ଜିରୋ । ଏଆରଟେଲ ଜିରୋ ଆଉ ଫ୍ରି ବେସିକ ଭିତରେ ବଡ଼ ସମାନତା ହେଉଛି ଉଭୟ କମ୍ପାନି କିଛି ୱେବସାଇଟଙ୍କଠାରୁ ବିପୁଳ ପରିମାଣରେ ପଇସା ନେଇ ସେ ୱେବସାଇଟସବୁକୁ ବ୍ୟବହାର କାରୀଙ୍କ ପାଇଁ ମାଗଣାରେ ଯୋଗାଇଥାନ୍ତି ।
ଏଥିରେ ସେବା ଯୋଗାଣକାରୀ ଓ ମାଗଣାରେ ବ୍ୟବହାର କାରୀଙ୍କ ପାଖେ ପହଞ୍ଚୁଥିବା ୱେବସାଇଟସବୁଙ୍କ ସିଧାସଳଖ ସ୍ୱାର୍ଥ ନିହିତ ଥାଏ । ପାଠକଙ୍କୁ ଜ୍ଞାନ ବିତରଣ କରିବାର ତୁଚ୍ଛା ବିଜ୍ଞାପନ ତଳେ ଯେ ଏତେ ଫନ୍ଦି ରହିଛି ତାହା ପାଠକ ବାପୁଡ଼ା ବା ଜାଣିବ କେମନ୍ତେ? ଆଉ ଧନୀ ଦେଶରେ ଏଭଳି ଫିକର ସହଜେ ଧରାପଡ଼ିବ ବୋଲି ଫେସବୁକ ଭଳି କମ୍ପାନି ୩୦ଟି ଅଭାବୀ ଦେଶକୁ ଥୋପ କରିଛି ।
ତେବେ ମାଗଣାରେ କିଛି ୱେବସାଇଟ ଉପଲବ୍ଧ କରାଇବା କିଛି ନୂଆ ନୁହେଁ । ଅତୀତରେ ବଙ୍ଗଳାଦେଶରେ Mozilla (ଫାୟାରଫକ୍ସ ଭଳି ନାନାଦି ଖୋଲା ସଫ୍ଟଓଏର ପରିଚାଳନା କରୁଥିବା ସଙ୍ଗଠନ) ଗ୍ରାମୀଣଫୋନ ନାମକ ଯୋଜନା ଜରିଆରେ ୫ ଲକ୍ଷରୁ ଅଧିକ ଲୋକଙ୍କୁ ଦିନକୁ ୨୦ MBର ଡାଟା ଦେବା ସାରା ଜଗତରେ ଆଲୋଚନା ବିଷୟ ହୋଇଥିଲା ।
ମୋଜିଲା ଓ ମୋବାଇଲ ସେବା ଯୋଗାଣକାରୀ ଟେଲିନର ଏଥି ପାଇଁ ପ୍ରଶଂସାର ପାତ୍ର ହୋଇଥିଲେ । ଅନେକ ଦେଶରେ ସାଧାରଣ ଲୋକେ ବିଭିନ୍ନ ବିଷୟରେ ଜାଣିବାକୁ ପାଉନଥିବାରୁ ଏସଏସମେସ ଓ ଇଣ୍ଟରନେଟ ଯୋଗେ ସାଧାରଣ ଲୋକଙ୍କ ଦ୍ୱାରା ସମ୍ପାଦିତ ଅନଲାଇନ ଜ୍ଞାନକୋଷ ଉଇକିପିଡ଼ିଆ, ଉଇକିପିଡ଼ିଆ ଜିରୋ ପ୍ରକଳ୍ପ ଜରିଆରେ ମାଗଣାରେ ଯୋଗାଇଦିଆଯାଉଛି ।
ଭାରତରେ ମଧ୍ୟ ପରୀକ୍ଷାମୂଳକ ଭାବେ କିଛି ସ୍ଥାନରେ ଏହି ସୁବିଧା ଦିଆଯାଇଛି । ତେବେ ଜ୍ଞାନ ବିତରଣ ପାଇଁ ଏହି ଭଳି ଉଦ୍ୟମ ସବୁରି ଆଦର ପାଆନ୍ତି । କିନ୍ତୁ ନିଜ ସ୍ୱାର୍ଥ ହାସଲ ନିମନ୍ତେ ଜଗତର ହିତ ନାମରେ ଗରୀବଙ୍କ ଗରିବୀକୁ ଥୋପ କରି ଫେସବୁକର ଫ୍ରି ବେସିକ୍ସ କେବଳ ନିନ୍ଦା ପାଇଛି । ଲୋକଙ୍କ ସମର୍ଥନ ପାଇବାକୁ ହେଲେ କିଛି ପରିମାଣରେ ସଚ୍ଚା ହେବାକୁ ଯେ ପଡ଼ିବ ଏ କଥାଟି ଫେସବୁକ ଏବେଠୁ ହେଜିଲେ ଆଗକୁ ମଙ୍ଗଳ ହେବ ।
ଲେଖକ ପରିଚୟ:
ଶୁଭାଶିଷ ପାଣିଗ୍ରାହୀ ବେଙ୍ଗାଳୁରର ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟିରେ ଭାରତୀୟ ଭାଷାରେ ଉଇକିପିଡ଼ିଆ ଓ ଉଇକିମିଡ଼ିଆ ପ୍ରକଳ୍ପ ତଥା ସ୍ୱେଚ୍ଛାସେବୀ ସମୂହର ବିକାଶ ନିମନ୍ତେ ବିଗତ କିଛି ବର୍ଷ ଧରି କାମ କରୁଛନ୍ତି ।
ଆଗରୁ ଇଂରାଜୀ ସମେତ ବିଭିନ୍ନ ଦକ୍ଷିଣ ଏସୀୟ ଭାଷାରେ ଉଇକିପିଡ଼ିଆର ବିକାଶ ପାଇଁ ସେ ଉଇକିମିଡ଼ିଆ ଫାଉଣ୍ଡେସନରେ ସକ୍ରିୟ ଥିଲେ । ଉଇକିମାନିଆ ହଂକଂ, ଲଣ୍ଡନ ଓ ମେକ୍ସିକୋ ସିଟି, ଓପନ ନଲେଜ ଡେ ବର୍ଲିନ, ଗ୍ଲୋବାଲ ଭଏସେସ ସମିଟ ଫିଲିପାଇନ୍ସ ଆଦି ଦେଶବିଦେଶରେ ଭାଷାର କମ୍ପ୍ୟୁଟରୀକରଣ ଓ ଭାଷା ପାଇଁ ଟେକନୋଲୋଜି ବିକାଶ ସମ୍ବନ୍ଧରେ ସେ ବିଭିନ୍ନ ସମ୍ମିଳନୀରେ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି ।
ଦୀର୍ଘ ଦିନ ଧରି ଓଡ଼ିଆ ଉଇକିପିଡ଼ିଆ ସହିତ ମୋଜିଲା, ଓପନ ଗ୍ଲାମ, ଗ୍ଲୋବାଲ ଭଏସେସ, ଓପନସୋର୍ସ ଡଟ କମ ଆଦି ବିଶ୍ୱସ୍ତରୀୟ ପ୍ରକଳ୍ପ ସହ ସକ୍ରିୟ ଭାବେ ଜଡ଼ିତ । ଜଣେ ନିୟମିତ ସ୍ତମ୍ଭକାର ଭାବେ ସେ ବିଭିନ୍ନ ଓଡ଼ିଆ ଓ ଇଂରାଜୀ ଖବରକାଗଜ, ବ୍ଲଗ ଆଦିରେ ଓ ନିଜ ବ୍ଲଗ http://psubhashish.comରେ ନିଜର ନିବନ୍ଧ ଲେଖନ୍ତି ।ଟୁଇଟରରେ ଶୁଭାଶିଷଙ୍କ ସହ @subhapa ରେ ଯୋଗାଯୋଗ କରିହେବ ।
ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି, ବେଙ୍ଗାଳୁର
[email protected]