You are here: Home / Access to Knowledge / Blogs / ଅନଲାଇନ ଓଡ଼ିଆ ଜ୍ଞାନକୋଷ ଗଢ଼ା

ଅନଲାଇନ ଓଡ଼ିଆ ଜ୍ଞାନକୋଷ ଗଢ଼ା

Posted by Subhashish Panigrahi at Jun 08, 2016 02:45 AM |
I wrote this article in Samanya Kathan, an Odia-language portal on June 5, 2016. The article is about the journey of the Odia Wikipedia and was published on the day the contributor community was celebrating the 14th anniversary of the project.

Read the originally published article here


ଜଣାଶୁଣା ବ୍ୟକ୍ତି, ବିଷୟ, ଘଟଣା, ସ୍ଥାନ ଆଦି ବିଷୟରେ ସଂକ୍ଷେପରେ ଲେଖିବା ପାଇଁ ଏନସାଇକ୍ଲୋପିଡ଼ିଆ ବା ଜ୍ଞାନକୋଷର ପରିକଳ୍ପନା। ତାକୁ ପୁଣି ଇଣ୍ଟରନେଟର ଉପଲବ୍ଧ କରିବା ପାଇଁ 2001ରେ ଆରମ୍ଭ ହେଲା ଉଇକିପିଡ଼ିଆ। ପ୍ରଥମେ ଇଂରାଜୀରେ ଆରମ୍ଭ ହୋଇ ପରେ ବିଭିନ୍ନ ଭାଷାକୁ ଏହା ବଢ଼ିଲା। ଆଉ ଇଂରାଜୀ ଉ ଇକିପିଡ଼ିଆ ଆରମ୍ଭ ହବାର ବର୍ଷଟିଏ ପରେ 2002 ମସିହାରେ ଓଡ଼ିଆ, ଅହମିୟା, ପଞ୍ଜାବୀ ଓ ମାଲାୟାଲାମ ଭାଷାରେ ମଧ୍ୟ ଉଇକିପିଡ଼ିଆ ଆରମ୍ଭ ହେଲା। ପ୍ରଥମ ଚାରୋଟି ଭାରତୀୟ ଭାଷାରେ ତିଆରି ଉଇକିପିଡ଼ିଆ ଭିତରୁ ଓଡ଼ିଆ ଗୋଟେ ବୋଲି ଅନେକଙ୍କୁ ଆଜି ବି ଅଜଣା। ଇଣ୍ଟରନେଟରେ https://or.wikipedia.org ରେ ଉପଲବ୍ଧ। ଓଡ଼ିଆ ଉଇକିପିଡ଼ିଆ ପାଖାପାଖି 9 ବର୍ଷ ଧରି ସକ୍ରିୟ ସମ୍ପାଦନାର ଅଭାବରୁ 2011 ଯାଏ ଏକ ରକମ ନିଷ୍କ୍ରିୟ ହୋଇ ପଡ଼ିରହିଥିଲା। 2011ରେ ଏଥିରେ ଅନେକ ସ୍ବେଚ୍ଛାସେବୀ ସମ୍ପାଦକ ବଉଇକିଆଳିମାନେ ଯୋଡ଼ିହୋଇ ଲେଖିବା ଆରମ୍ଭ କରିବା ଫଳରେ ଅଧୁନା ଏଥିରେ 10,619 ସଂଖ୍ୟକ ପ୍ରସଙ୍ଗ ଲେଖାସରିଲାଣି। ଆଉ ନିତି ନୂଆ ନୂଆ ଲେଖା ଏଥିରେ ଯୋଡ଼ିହୋଇ ଚାଲିଛି।

ତେବେ ଜଣେ ସାଧାରଣ ପାଠକ ପାଇଁ ଉଇକିପିଡ଼ିଆରେ କ’ଣ ରହିଛି ତାହା ଜାଣିବା ବେଶି ଜରୁରୀ। ଜ୍ଞାନ ଆହରଣର ବାଟ ପିଢ଼ିରୁ ପିଢ଼ିକୁ ବଦଳେ। ଆମ ପିଲାବେଳେ ଆମେ କାଁ ଭାଁ କମ୍ପ୍ୟୁଟର ଓ ଇଣ୍ଟରନେଟର ସୁବିଧା ପାଉଥିଲୁ। ଆଉ ସେତେବେଳେ ଓଡ଼ିଆ ମିଡିୟମ ସ୍କୁଲର ପାଠାଗାର କିଛି ଗପ ଉପନ୍ୟାସ ବହି ଭିତରେ ସୀମିତ ଥିଲା। ନୂଆ ବହିଟିଏ ଦେଖିବା ଆଗରୁ କାନ୍ଥରୁ ଚୂନ ଝଡ଼ିପଡୁଥିଲା। ହେଲେ ଏବେ ଘରେଘେ ଏକାଧିକ ମୋବାଇଲ ଆଉ ସେସବୁ ପୁଣି ଇଣ୍ଟରନେଟ ସୁବିଧା ଥିବା ସ୍ମାର୍ଟଫୋନ ଆସିଲାଣି। ସ୍କୁଲ ପିଲାଏ ଆଉ କିଛି କରନ୍ତୁ ନ କରନ୍ତୁ କିନ୍ତୁ ଗେମ ଖେଳିବା କି ଫେସବୁକ ଆଦିରେ ସାଙ୍ଗମାନଙ୍କ ସଙ୍ଗେ ଚାଟିଂ ଆଦି କରିବାରେ ପୋକ ହେଲେଣି। ଇଣ୍ଟରନେଟ କମ୍ପ୍ୟୁଟରରୁ ସମ୍ପୂର୍ଣ୍ଣ ମୋବାଇଲମୁଖୀ ହୋଇଗଲାଣି। ପିଲାଙ୍କଠୁ ବଡ଼ ଯାଏ କାହା ପାଖେ ଆଉ ଏନସାଇକ୍ଲୋପିଡ଼ିଆ ବ୍ରିଟାନିକା ଭଳି ଓଜନିଆ ପୋଥି ଦେଇ କିଛି ଖୋଜିବା ପାଇଁ ବେଳ ନାହିଁ। ତେଣୁ ଏଭଳି ପରିସ୍ଥିତିରେୌଣସି ବିଷୟକୁ ଅଧିକ ଲୋକାଭିମୁଖୀ କରିବାର ସୁବିଧା ବାଟ ହେଉଛି ସେସବୁକୁ ଇଣ୍ଟରନେଟରେ ଉପଲବ୍ଧ କରାଇବା। ତେବେ ଏହା ବହି ବା ଜର୍ଣ୍ଣାଲର ବିକଳ୍ପ ନୁହେଁ। ବରଂ ବହି ସଙ୍ଗେ ଭିନ୍ନ ଏକ ମାଧ୍ୟମରେ ଜ୍ଞାନ ବିତରଣର ବାଟ ରୂପରେ ଇଣ୍ଟରନେଟ ଅଧିକରୁ ଅଧିକ ଲୋକଙ୍କ ପାଖେ ପହଞ୍ଚିପାରୁଛି।

ବିଭିନ୍ନ ଭାଷାରେ ଇଣ୍ଟରନେଟରେ ଜ୍ଞାନ ଆହରଣର ସ୍ଥିତି ଭିନ୍ନ। ତେବେ ଓଡ଼ିଆ ପାଇଁ ଇଣ୍ଟରନେଟର ଅବସ୍ଥା ଯେତେ ଚିନ୍ତାଜନକ ଓଡ଼ିଆ ଭାଷାକୁ ଇଣ୍ଟରନେଟରେ ଅଧିକ ବ୍ୟବହାର ଉପଯୋଗୀ କରିବା ସେତେ ଅଧିକ ଲୋଡ଼ା। 2011 ଜନଗଣନା ତଥ୍ୟ ଅନୁସାରେ ଓଡ଼ିଶାରେ ମାତ୍ର 1.4 ଭାଗ ଲୋକଙ୍କ ପାଖେ ଇଣ୍ଟରନେଟର ସୁବିଧା ଥିଲା। ଏହି ପାଞ୍ଚ ବର୍ଷ ଭିତରେ ଏହା ବହୁ ଅଧିକ ବଢ଼ିଥିବ। ହେଲେ ସେ ସଭିଏଁ କ’ଣ ସତରେ ଇଣ୍ଟରନେଟର ବ୍ୟବହାର କରୁଛନ୍ତି ନା ସୀମିତ କେତୋଟି ସାଇଟ ଭିତରେ ସୀମିତ। ଅଧିକାଂଶ ତଥାକଥିତ ଇଣ୍ଟରନେଟ ବ୍ୟବହାରକାରୀ ଫେସବୁକରେ ସାଙ୍ଗମାନଙ୍କ ସଙ୍ଗେ ଭାବ ଦିଆନିଆ କି ହୁଆଟସଆପରେ ପରିଚିତଙ୍କ ସଙ୍ଗେ ଆଳାପ ଅଥବା ଇଉଟିଉବରୁ ଗୀତ ଶୁଣିବା ବାହାରେ ବେଶୀ କିଛି ଜାଣନ୍ତି ନାହିଁ। ଏହାର ମୁଖ୍ୟ କାରଣ ହେଉଛି ସେମାନଙ୍କ ପାଇଁ ସବୁଠୁ ବେଶୀ ପରିଚିତ ଭାଷା ଓଡ଼ିଆରେ ବେଶୀ ୱେବସାଇଟ ନାହିଁ। ଖବର ପଢ଼ାଳିଙ୍କ ପାଇଁ ନା ଭଲ ଖବର ୱେବସାଇଟଟିଏ ରହିଛି ନା ଗବେଷକଙ୍କ ପାଇଁ ଆମ ଐତିହ୍ୟ ଓ ପୁରୁଣା ଶିଳ୍ପ ବାବଦରେ ପଢ଼ିବା ପାଇଁ ଆମ ମିଉଜିଅମ ୱେବସାଇଟରେ ସମସ୍ତ କଳାକୃତିର ତଥ୍ୟ ଓଡ଼ିଆରେ ଦିଆଯାଇଛି। ସେମିତି ଭିନ୍ନ ଭିନ୍ନ ବିଷୟରେ ବିଭିନ୍ନ ବିଷୟ ଜାଣିବା ପାଇଁ ଓଡ଼ିଆରେ ନିହାତି ଦରକାରୀ ବିଷୟ ମଧ୍ୟ ଇଣ୍ଟରନେଟରେ ନାହିଁ। ଏଭଳି ଓଡ଼ିଆରେ ପ୍ରକାଶିତ କେଇଶହ ଖବରକାଗଜ ଭିତରୁ କେବଳ ଗୋଟେ କାଗଜର ଖବରଗୁଡ଼ିକ ଇଣଟରନେଟରେ ଖୋଜି ପାଇହେବ। କାରଣ ବାକି ଖବରକାଗଜର ଲେଖା ଇଉନିକୋଡ଼ ଭଳି ଆନ୍ତର୍ଜାତିକ ମାନକକୁ ନ ଆପଣାଇ ଆକୃତି, ଶ୍ରୀଲିପି ଆଦି ପୁରୁଣାକାଳିଆ ଅଣ-ମାନକ ସଫ୍ଟଓଏରରେ ଲେଖି ଛବି ଭାବେ କିମ୍ବା ପିଡିଏଫ ଡକୁମେଣ୍ଟ ଭାବେ ସେମାନଙ୍କ ସାଇଟରେ ଉପଲବ୍ଧ। ସେଗୁଡ଼ିକ ଦେଖିବାକୁ ଭିନ୍ନ ନ ଲାଗିଲେ ମଧ୍ୟ ଗୁଗୁଲ ବା ସର୍ଚ ଇଞ୍ଜିନରେ ଓଡ଼ିଆରେ ଟାଇପ କରି ଖୋଜିହୁଏ ନାହିଁ କିମ୍ବା ମୋବାଇଲ ଆଦିରେ ସଳଖେ ପଢ଼ିହୁଏ ନାହିଁ।

ଓଡ଼ିଆରେ 1930 ମସିହାରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭଳି ବିଶାଳ ଜ୍ଞାନକୋଷ ରଚନା କାମ ଆଜିଯାଏ ଆଉ କିଛି ହୋଇପାରିନାହିଁ। ଆଧୁନିକ ଟେକନୋଲୋଜି ବ୍ ୟବହାର କରି ଏବେ ଉଇକିପିଡ଼ିଆ ଅତୀତ ସହ ସନ୍ଧିଟିଏ ତିଆରି କରିପାରିବ। ଏହା ସମ୍ପୂର୍ଣ୍ଣ ଭାବେ ଅଣ-ଲାଭକାରୀ ଓ ଏଥିରେ ବିଜ୍ଞାପନ ନ ଥାଏ। ଏଥିରେ ଲେଖାଗୁଡ଼ିକ ଲେଖୁଥିବା ଉଇକିଆଳିଏ ସଭିଏଁ ସ୍ବେଚ୍ଛାସେବୀ ଓ ଲେଖାସବୁ ସେମାନଙ୍କ ସତ୍ବାଧ‍କାରରେ ପ୍ରକାଶିତ। ତେବେ ଜ୍ଞାନ ବିତରଣ ଉଦ୍ଦେଶ୍ୟରେ ତିଆରି ହୋଇଥିବାରୁ ଲେଖାସବୁ କପିରାଇଟ ଦେଇ ନ ରୋକିବା ଲାଗି ସେସବୁ କ୍ରିଏଟିଭ କମନ୍ସ ସେଆର-ଏଲାଇକ ଲାଇସେନ୍ସରେ ବିତରିତ। ଫଳରେ ସଭିଏଁ ମାଗଣାରେ ପଢ଼ିପାରିବେ , ପ୍ରସଙ୍ଗଗୁଡ଼ିକ ପୁନଃବ୍ୟବହାର କରିପାରିବେ ଓ ଉଭୟ ଲାଭକାରୀ ଓ ଅଣଲାଭକାରୀ କାମରେ ବ୍ୟବହାର କରିପାରିବେ। ଏଥି ସହିତ କୌଣସି ଲେଖାରେ ଭୁଲ ପାଇଲେ ଜଣେ ଲେଖା ସମ୍ପାଦନା କରି ସୁଧାରିପାରିବେ। ଏଥିରେ ଲେଖା ଓ ସମ୍ପାଦନା ପଦ୍ଧତି ଏତେ ଖୋଲା ଯେ ପ୍ରାୟ ସବୁ ଲେଖା ଏକ ନୁହେଁ ଅନେକ ଲୋକଙ୍କ ଦେଇ ଏକାଠି ଲିଖିତ। ତେବେ ଲେଖାର ମାନରେ ସମତା ରଖିବା ନିମନ୍ତେ କେତେଗୁଡ଼ିଏ ନିୟମାବଳୀ ତିଆରି ହୋଇଛି। ଏଗୁଡ଼ିକ 293ଟି ଭାଷାରେ ଉପଲବ୍ଧ ସବୁ ଉଇକିପିଡ଼ିଆ ପାଇଁ ମୋଟାମଟି ଏକା ହେଲେ ମଧ୍ୟ ଭିନ୍ନ ଭିନ୍ନ ଭାଷାଭାଷୀ ଉଇକିଆଳିଗଣ ନିଜ ଭାଷା ଓ ସମାଜର ଆବଶ୍ୟକତାକୁ ଆଖିରେ ରଖି ସେଗୁଡ଼ିକୁ ସାମାନ୍ୟ ବଦଳାଇଛନ୍ତି। ବିଭିନ୍ନ ବ୍ୟକ୍ତିବିଶେଷଙ୍କ ବାବଦରେ କିମ୍ବା ଘଟଣା ବାବଦରେ ଲିଖିତ ପ୍ରସଙ୍ଗ ଏକପାଖିଆ ନ ହୋଇ ନିରପେକ୍ଷ ଭାବେ ଲେଖିବା ଏହି ନିୟମାବଳୀ ମଧ୍ୟରୁ ଏକ ମୁଖ୍ୟ ନିୟମ। ସେହି ଭଳି ନିଜ ବ୍ୟକ୍ତିଗତ ମତ ବଦଳରେ କେବଳ ପ୍ରକାଶିତ ତଥ୍ୟ ଲେଖିବା ଆଉ ଏକ ନିୟମ। ସବୁଠାରୁ ମଜାର କଥା ହେଲା ଉଇକିପିଡ଼ିଆ କୌଣସି ଦେଶ ବା ସଙ୍ଗଠ ଅଧୀନରେ ନ ଥାଇ ଏହା ଉପରେ ପ୍ରତିଟି ଉଇକିଆଳିଙ୍କ ସମାନ ଅଧିକାର ରହିଛି। ପୁଣି ସେମାନଙ୍କ ଭିତରେ ସେମାନଙ୍କ କାମକୁ ନେଇ ଦାୟିତ୍ବ ବଣ୍ଟାଯାଇଛି। ବିବାଦ ଉପୁଜିଲେ ବି ସୁଧାରିବାକୁ ରହିଛି କିଛି ସ୍ବେଚ୍ଛାସେବୀଙ୍କୁ ନେଇ ତିଆରି କମିଟିମାନ।

ତେବେ ଉଇକିପିଡ଼ିଆରେ ଥିବା ସବୁଯାକ ଲେଖାକୁ ଆଖିବୁଜି ଗ୍ରହଣ କରାଯାଇପାରିବ ନାହିଁ। କାରଣ ପ୍ୟାରିସ ଉପରେ ଥିବା ଲେଖାଟି ଶହେ କି ହଜାରେ ଲୋକ ମିଶି ଲେଖିଥିବା ବେଳେ ଭୁବନେଶ୍ବର ଉପରେ ଥିବା ଲେଖାଟି ହାତଗଣତି କେତେ ଜଣ ହୁଏତ ଲେଖିଥିବେ। ଯେଉଁ ଲେଖା ଯେତେ ଅଧିକ ଅଭିଜ୍ଞତା ଥିବା ଲୋକଙ୍କ ଦେଇ ଯେତେ ଘସାମଜା ହୋଇ ଲେଖାହୋଇଥିବ ସେ ଲେଖା ସେତେ ଉଜ୍ଜଳ ହୋଇ ଚମକୁଥିବ। ଓଡ଼ିଆ ଓ ଓଡ଼ିଶା ସମ୍ବନ୍ଧିତ ଲେଖାସବୁରୁ ଇଂରାଜୀ ଉଇକିପିଡ଼ିଆରେ ମଧ୍ୟ ଭଲ ଲେଖା ଖୋଜି ପାଇବା କଷ୍ଟ। ଆଉ ଓଡ଼ିଆରେ ଲେଖୁଥିବା ଉଇକିଆଳିଙ୍କ ସଂଖ୍ୟା ପାଖାପାଖି 30 ଭିତରେ। ସାଢ଼େ ଚାରିକୋଟି ଓଡ଼ିଆଙ୍କ ଭିତରୁ ଯଦି ଏତେ କମ ଲୋକ ଏତେ ବଡ଼ କାମର ବୋଝ ଉଠାଉଥିବେ ତେହେଲେ ସବୁ ଲେଖାର ମାନ ଯେ ଏକା ଭଳି ଓ ସବୁ ଲେଖାରେ ଆବଶ୍ୟକ ସବୁ ତଥ୍ୟ ମିଳିବ ତା’ର ମାନେ ନାହିଁ। ତେଣୁ କେବେ କେବେ ବିଭିନ୍ନ ମେଳା ମଉଛବକୁ ଧ ରି ଲେଖାଳିଏ ମିଶି ଗୋଟେ ବିଷୟରେ ଅଧିକ ଲେଖା ଲେଖିବା ପାଇଁ ଗଣ-ସମ୍ପାଦନା କରନ୍ତି। ଜଗନ୍ନାଥ ଚଳଣି ଉପରେ ଲିଖିତ ପ୍ରସଙ୍ଗସବୁ ନବକଳେବର ସମୟରେ ବିଭିନ୍ନ ଖବରକାଗଜ ଓ ପତ୍ରିକା ଆଦିରୁ ତଥ୍ୟ ସଂଗ୍ରହ କରି ବହୁଭାବେ ଉନ୍ନତ କରାଯାଇଥିଲା। ଏବେ ଏ ପ୍ରସଙ୍ଗସବୁ ଉଇକିପିଡ଼ିଆର ବାକି ପ୍ରସଙ୍ଗ ସବୁଠାରୁ ଅଧିକ ତଥ୍ୟରେ ଭରା। ଏଥିରେ ଲେଖିବାକୁ ଆଗ୍ରହୀ ଓଡ଼ିଆମାନେ https://or.wikipedia.org/wiki/WP:CS ପୃଷ୍ଠାରେ ଦିଆଯାଇଥିବା ସରଳ ନିର୍ଦ୍ଦେଶ ପଢ଼ି ନିଜେ ମଧ୍ୟ ବିଭିନ୍ନ ସ୍ଥାନ ଅନ୍ୟାନ୍ୟ ବିଷୟରେ ଲେଖିପାରିବେ।

ଉଇକିପିଡ଼ିଆ ହେଉଛି ଏକ ଯାତ୍ରା। ଆଉ ଏ ବାଟ ଅସରନ୍ତି। ଯେତେ େଖିଲେ ବି ସରିବନି କିନ୍ତୁ ଲେଖା ଚାଲିରହିଥିବ। ଆଜି ଓଡ଼ିଆଙ୍କ ଭିତରେ ଅଳପ ଜଣା ଉଇକିପିଡ଼ିଆ ଜଗତର ବାକି ଭାଷାରେ ପ୍ରକାଶିତ ଉଇକିପିଡ଼ିଆ ଓ ବାକି ଜ୍ଞାନକୋଷ ସଙ୍ଗେ ସମକକ୍ଷ ହୋଇ ଓଡ଼ିଆଙ୍କ ମଥାକୁ ଟେକି ଧରିବା ପାଇଁ ସପନ ଦେଖିବା ପାଇଁ ଲୋଡ଼ା ଅଧିକରୁ ଅଧିକ ହାତ।