କମ୍ପ୍ୟୁଟର ଯୁଗରେ ଓଡ଼ିଆ ଭାଷା
The article was published in Odia newspaper Suryaprava on February 22, 2016.
On the day of the International Mother Language Day, it is important to look outside and draw inspirations from several success stories of digital activism for languages. Hebrew, an ancient language that was almost dead for over 1500 years was revived from ashes like phoenix. Even after being honoured with the classical language status in the same category of Sanskrit and Tamil, Odia has not seen much progress in the digital sphere. It has not yet being used for governance and judiciary even though the Orissa Official Language Act exist officially since 1954. Almost all of the newspapers do not have their content available in the Unicode standard. Large amount of Odia-language content could otherwise have influenced Google to include Odia along with the other nine Indian languages in their home page. The writer was privileged to be asked for advising on enlisting the online resources available in Odia language for the first Unicode-based Odia portal by the government "odia.odisha.gov.in". There is a huge gap in the way knowledge is disseminated in Odia. Odia Wikisource and Odia Wikipedia are trying to fill this gap to some extent where the former project has over 290 volumes of digitized text and the latter has over 11000 encyclopedic entries in Odia. Odia Wikisource is creating the next level of the book scanning work done by Srujanika, a Bhubaneswar-based non-profit that has scanned over 150000 pages from many Odia books. Similarly, Odia Wikisource is aiming to be to what Purnachandra Bhasakosha, a lexicon published in 1930s with thousands of lexical and encyclopedic entries, meant to the contemporary Odia society. But all of these are not enough until there is much awareness in the government front that could lead more policy-level reforms and a better governance in the native language.
Full text in Odia
୨୦୧୩ ମସିହାରେ ଭୁବନେଶ୍ୱରସ୍ଥିତ କିସର ମିଳିତ ସହଯୋଗରେ ଉଇକିପିଡ଼ିଆର ବୈଷୟିକ ସୁବିଧା ପରିଚାଳନା କରୁଥିବା ସଙ୍ଗଠନ ଉଇକିମିଡ଼ିଆ ଫାଉଣ୍ଡେସନରୁ କିଛି ପାଣ୍ଠି ଅନୁଦାନରେ ସାନ୍ତାଳୀ ଭାଷାର ଲିପି ଅଲ ଚିକିକୁ କମ୍ପୁଟର ଓ ଇଣ୍ଟରନେଟରେ ଉପଲବ୍ଧ କରିବାର ଏକ ପ୍ରକଳ୍ପ ଆରମ୍ଭ ହେଲା । ବେଙ୍ଗାଳୁରୁ ସ୍ଥିତ ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟିରେ ଏହି ପ୍ରକଳ୍ପର ରୂପରେଖ ତିଆରି କରାଗଲା । ପ୍ରକଳ୍ପ ଆରମ୍ଭ ହେବାବେଳକୁ ଆମେ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଙ୍ଗଠନମାନଙ୍କ ସଙ୍ଗେ ଯୋଗାଯୋଗ କରି ଜାଣିବାକୁ ପାଇଲୁ ଯେ ଚାରିଟି ଦେଶ ଓ କେବଳ ଭାରତର ସାତଟି ରାଜ୍ୟ ୬୩ ଲକ୍ଷରୁ ଅଧିକ ଲୋକଙ୍କ ଦ୍ୱାରା କଥିତ ସାନ୍ତାଳୀ ଭାଷା ପାଇଁ ଇଉନିକୋଡ଼ ଫଣ୍ଟ ଖଣ୍ଡିଏ ମଧ୍ୟ ନାହିଁ । ବହି ଛପା ପାଇଁ ଯାହା ବ୍ୟବହାର ହେଉଛି ତାହା ଆନ୍ତର୍ଜାତିକ ମାନକ ଇଉନିକୋଡ଼ରେ ହୋଇନଥିବାରୁ ଇଣ୍ଟରନେଟରେ ବ୍ୟବହାର କରିବା ଦୂରୁହ । ଏହାର କିଛି ସମୟ ପରେ ଗୁଗୁଲ ତିଆରି ନୋଟୋ ଫଣ୍ଟ ଆସିଲା ହେଲେ ସେଇଟି ତିଆରିରେ ନାଁ ସାନ୍ତାଳୀ କହୁଥିବା ଲୋକଙ୍କୁ ପଚରା ଉଚୁରା କରାଗଲା ନାଁ ତିଆରି ପରେ ତାଙ୍କ ସହ ଆଲୋଚନା କରି ଭୁଲ ସୁଧରାଗଲା । ଆଦରରେ ଗୁରୁ ଗୋମକେ ବା ରଘୁନାଥ ମୁର୍ମୁଙ୍କ ତିଆରି ଅଲ ଚିକି ଲିପିରେ ଲେଖିବା ପାଇଁ ଏବେ ନୂଆ ଫଣ୍ଟଟିଏ ସଜବାଜ ହେଉଛି ରତର ଦିନ ଧରି ସାନ୍ତାଳୀ ଭାଷାକୁ ଜାବୁଡ଼ି ଧରିଥିବା ଅଗଣିତ ଲୋକଙ୍କ ପାଇଁ । ଏଥିରେ ସାନ୍ତାଳୀ ଭାଷାରେ ବିଶାରଦ ଓ ସାହିତ୍ୟ ଏକାଡେମୀ ସଦସ୍ୟା ଡ. ଦମୟନ୍ତୀ ବେସ୍ରାଙ୍କଠାରୁ ସାନ୍ତାଳୀ ପତ୍ରିକା "ଫଗୁଣ"ର ଜନ୍ମଦାତା-ଜନ୍ମଦାତ୍ରୀଙ୍କ ମତାମତର ଫଳ । ଇଉନିକୋଡ଼ରେ ଫଣ୍ଟ ହେଲେ ଇଣ୍ଟରନେଟରେ ଜ୍ଞାନ ବାଣ୍ଟିବା ଆଉ ଆହରଣ କରିବାର ବାଟ ଖୋଲିବ । ପର ସଂସ୍କରଣକୁ ଅପେକ୍ଷା ନ କରି ଆବଶ୍ୟକ ପଡ଼ିବା କ୍ଷଣି ନୂଆ ନୂଆ ବିଷୟ ଓ ଘଟଣା ବାବଦରେ ଜାଣିହେବ । ଏ ବିଷୟ ଅବତାରଣାର ଉଦ୍ଦେଶ୍ୟ ଏକ ଭାଷାରେ କେବଳ ସାହିତ୍ୟ ନୁହେଁ କି କଥନ ନୁହେଁ ବରଂ ସେ ଭାଷା କହୁଥିବା ଲୋକେ କିପରି ନିଜ ନିଜ ଭିତରେ ସୁବିଧାରେ ସହଜରେ ଭାବ ଦିଆନିଆ କରିପାରିବେ । ଯଦି ଭାଷାଟିଏ କେବଳ ସାହିତ୍ୟ ଚାଷର ମାଧ୍ୟମ ହୋଇ ଲେଖକ ଓ ପାଠକଙ୍କ ଭିତରେ ବାନ୍ଧି ହୋଇ ରହିଗଲା ତେବେ ସେ ଭାଷା ନୁହେଁ । ଆଉ ଭାଷାକୁ ଜ୍ଞାନର ଓ ଶାସନର ଭାଷା କରିବା ଲାଗି ଲୋଡ଼ା ଆଧୁନିକ ବୈଷୟିକ ଜ୍ଞାନକୌଶଳ । ତେବେ ପ୍ରତିଟି ଭାଷା ପାଇଁ ଆଜିର ଦିନ ହେଉଛି ଜ୍ଞାନକୌଶଳର ମାପକାଠିରେ ନିଜ ଭାଷାକୁ ମାପିବା ଓ ବାକି ଭାଷା ସଙ୍ଗେ ତଉଲିବାର ଦିନ ।
ସାନ୍ତାଳୀର ସ୍ଥିତି ତ ଗୋଟେ ପ୍ରକାର । ହେଲେ ଏ ଦେଶରେ ଆହୁରି ୧୯୬ ଗୋଟି ଭାରତୀୟ ଭାଷା ମରଣମୁଖୀ । ଏ ଭାଷା କହୁଥିବା କିଛି ଲୋକ ରହିଛନ୍ତି ଆଉ ସେମାନେ ଦିହୁଡ଼ି ଆଗରେ ଦିକି ଦିକି ଜଳୁଥିବା ତାଙ୍କ ଭାଷାକୁ ଦେଖି ଭାବୁଥିବେ ଯେ ଆମେ ସେ ଦିହୁଡ଼ି ସଙ୍ଗେ ମିଶି ଗଲେ ବରଂ ଭଲ । ଉତ୍ତର ଭାରତରେ କିଛି କାଳ ରହଣି କାଳରେ କେବେ ଅଙ୍ଗିକା ତ କେବେ ଦେହାତି ପୁଣି କେବେ ଠେଟି ଆଦି ଭାଷା କହୁଥିବା ଅନେକ ଲୋକଙ୍କୁ ଭେଟିବାର ସୁଯୋଗ ମିଳିଥିବା । ତାଙ୍କୁ ବହରେଇ ଫୁସୁଲେଇ ପଚାରିଲେ ସେମାନେ ଲାଜେଇ କହନ୍ତି ନିଜ ଭାଷାର ନାଁ । ହେଲେ ପୁଣି ବୁଲିବାଲି କରି କହନ୍ତି, "ଆମ ଭାଷା ହିନ୍ଦୀ, ହେଲେ ଘରେ ଆମେ ଅମୁକ ଭାଷାରେ କହୁ" । ପୁରୁଣା ପିଢ଼ି ସରିସରି ଆସୁଛନ୍ତି । ଆଉ ନୂଆ ପିଢ଼ିଠାରୁ ଭାଷାର ବ୍ୟବହାର ବି ସରିସରି ଆସୁଛି । ଏମିତି ମରି ମରି ଆସୁଥିବା ଭାଷା କହୁଥିବା ଜଣେ ପାଠୋଈଙ୍କ ମତରେ ଯଦି ଜଣେ ନିଜ ଭାଷା ପାଇଁ ନିଜେ ଚିନ୍ତୁନି ତାହେଲେ ବାକିମାନେ ଚିନ୍ତି କରିବେ କଣ । ତାଙ୍କ କଥା ବି ସତ । ହେଲେ ପେଟର ଭୋକ ଆଗେ । ଭୋକ ମାରିବା ପାଇଁ ମଣିଷ ବାର ବେପାର ତେର ଧନ୍ଦା କରେ । ତେଣୁ ଭାଷାର ବିକାଶରେ ସାଧାରଣ ମଣିଷଟିଏର ଭୂମିକା କେତେ ଏକଥାଟି ଭାବିବା ନିହାତି ଜରୁରୀ । ମରୁ ମରୁ ବଞ୍ଚୁଥିବା ଏକ ଭାଷାର ଉଦାହରଣ ନିଆଯାଉ । ପୃଥିବୀର ଏକ ପୁରୁଣା ଭାଷା ଭିତରୁ ଗୋଟିଏ ଭାଷା ହେଲା ହିବ୍ରୁ । ହେଲେ ଏ ଭାଷାଟି ୧୫୦୦ ବର୍ଷରୁ ଅଧିକ କାଳ ଦରମଲା ରହି ଫିନିକ୍ସ ଚଢ଼େଇ ଭଳି ପାଉଁଶ ତଳୁ ଉଠିଲା । ଏବେ ଏ ଭାଷାଟି ପାଖାପାଖି ୯୦ ଲକ୍ଷ ଲୋକଙ୍କ ଦ୍ୱାରା କଥିତ କିନ୍ତୁ ଏ ଭାଷାରେ ଦେଶର ଶାସନ ଚଳେ ଆଉ କମ୍ପୁଟର ଅପରେଟିଂ ସିଷ୍ଟମ ଓ ମୋବାଇଲ ଇଣ୍ଟରଫେସରେ ଦିଶେ । ଏସବୁ ପଛରେ ରହିଛି ବିଜ୍ଞାନ ଓ କାରିଗରୀର କରାମତି । ଯଦି ଦେଶର ଶାସନ ନିଜ ଭାଷାରେ ହୁଏ ତେବେ ଶାସନ ପାଇଁ ଦରକାରୀ ସବୁ ଉପାଦାନ ନିଜ ଭାଷାରେ ତିଆରି ହୁଏ । ଆଉ ଏ ଉପାଦାନମାନ ତିଆରିବା ଲାଗି ଶିକ୍ଷା ବ୍ୟବସ୍ଥା ଗଢ଼ାହୁଏ । ପିଲେ ଚାକିରି କରନ୍ତି । ଆଉ ଭାଷା ଶାସନର ଭାଷା ହେଲେ ଶିକ୍ଷା ଓ ଜ୍ଞାନର ଭାଷା ହୋଇ ଭାଷା ଭାତ ଦିଏ । ନିଜ ନିଜ ସଙ୍ଗେ ଯୋଡ଼ା ଏ ରଥ ଚକର ଗୋଟେ ଅର ହୁଗୁଳା ହେଲେ ଆରଟି ଭୁଷୁଡ଼ି ପଡ଼ିବ । ଆଉ ଓଡ଼ିଆ ପାଇଁ ଏ ଅର ଭିତରୁ କେଉଁ ଅର କେମିତି ରହିଛି ଆଉ କଣ ମରାମତି ହେବ ଆମକୁ ବେଳ ହୁଁ ଭାବିବାକୁ ପଡ଼ିବ ।
ଅପ୍ରିୟ ସତ କଥା ହେଲା ଶାସ୍ତ୍ରୀୟ ମାନ୍ୟତା ମିଳିବାର ଦୁଇ ବର୍ଷ ବିତିଗଲା ପରେ ବି ଓଡ଼ିଆ ଏବେ ଯାଏ କୋର୍ଟ କଚେରିର ଭାଷା ହୋଇପାରିଲା ନାହିଁ । ସରକାରୀ ସ୍ତରରେ ଓଡ଼ିଆର ବ୍ୟାପକ ବ୍ୟାବହାର ବଦଳରେ ହିନ୍ଦୀରୁ ଉଧାରି ଆଣି ପାଳିତ ହେଉଛି "ରାହଗିରି ଦିବସ" । ସିନେମାରେ ବି ସେଇଆ । ଆଉ କାହା ସଙ୍ଗେ ମିତ ବସିବାରେ ଆପତ୍ତି ନାହିଁ ହେଲେ ନିଜ ପରିଚୟ ହାରି ସେ ମିତ ବସିବାରେ କି ସୁଖ । ସରକାରୀ ସ୍ତରରେ ବିଭିନ୍ନ ରାଜ୍ୟର ଯେଉଁଭଳି ତାଙ୍କ ୱେବସାଇଟସବୁ ତାଙ୍କ ରାଜ୍ୟ ଭାଷାରେ ତିଆରି ଆମର ସେମିତି ହୋଇନାହିଁ । ନିକଟରେ odia.odisha.gov.in ନାମରେ ସାଇଟଟିଏ ସରକାର ତିଆରି କଲାବେଳେ ଲେଖକକୁ ସେଥିରେ ଓଡ଼ିଆ ଭାଷାର କମ୍ପୁଟର ଓ ଇଣ୍ଟରନେଟରେ ଥିବା ବିଭିନ୍ନ ସାଜସରଞ୍ଜାମ ବାବଦରେ ପରାମର୍ଶ ଦେବାର ସୁଯୋଗ ମିଳିଥିଲା । ଏ ସଜସବୁ ଖୋଜିବା ବେଳେ ଓଡ଼ିଆରେ ଉପଲବ୍ଧ ଥିବା ୱେବସାଇଟ ବାବଦରେ କିଛି ତଥ୍ୟ ଆଖି ସାମନାକୁ ଆସିଥିଲା । ଗୁଗୁଲ ସର୍ଚରେ ଓଡ଼ିଆ ଆସୁନଥିବାର ମୁଖ୍ୟ କାରଣ ହେଲା ଇଣ୍ଟରନେଟରେ ଓଡ଼ିଆ ଲେଖାର ଅଭାବ । ଓଡ଼ିଆରେ କେଇ ଶହ ଖବରକାଗଜ ଦୈନିକ ଛପାଯାଉଥିଲେ ହେଁ ମୁଖିଆ କାଗଜମାନନଙ୍କ ୱେବସାଇଟରେ ଇଉନିକୋଡ଼ ମାନକରେ ଓଡ଼ିଆ ଲେଖା ନାହିଁ । ଲେଖାସବୁ ଅଣ-ମାନକ ଲିପି ଏନକୋଡ଼ିଂରେ ରହିଛି କିମ୍ବା ଛବି ଭାବେ ରହିଛି । ଫଳରେ ଇଣ୍ଟରନେଟରେ ଖୋଜିଲେ ଲେଖାଯାକ ମିଳିବ ନାହିଁ । ସେମିତି bhulekh.ori.nic.in ଭଳି ଓଡ଼ିଶା ସରକାରଙ୍କ ସାଇଟଟିରେ ଅଣ-ମାନକ ଫଣ୍ଟରେ ତିଆରି ହୋଇଥିବାରୁ ସଧାରଣ ଲୋକେ ସରକାରୀ ନଥିପତର ଖୋଜି ପାଇପାରୁନାହାନ୍ତି । ଓଡ଼ିଆ ପାଇଁ ଯେତେକ ଆନ୍ଦୋଳନ ଏବେ ଚାଲିଛି ସବୁ କେବଳ ସାହିତ୍ୟ ଓ ଶାସନକୁ ନେଇ କିନ୍ତୁ କେଉଁ କେଉଁ ଉପାଦାନକୁ ନେଇ ବାକି ଜାଗତିକ ଭାଷାଏ ଆଗକୁ ବଢ଼ିଛନ୍ତି ଆଉ ଓଡ଼ିଆରେ କି କି ଚିଜ ନିହାତି ଲୋଡ଼ା ତା' ଲାଗି ଆକଳନ ଲୋଡ଼ା । ଭାରତରେ ୧୯୫୫ ଆଗର ପ୍ରାୟ ବହି କପିରାଇଟ ବାହାରେ । ଏ ବର୍ଗରେ ଥିବା ଓଡ଼ିଆ ବହିସବୁ ଧୀରେ ଧୀରେ ଉଇଙ୍କ ଆହାର ହେବା ଉପରେ । ଭୁବନେଶ୍ୱରର ସୃଜନିକା ଅନୁଷ୍ଠାନ, ରାଉରକେଲା ଏନଆଇଟି ଓ ପ୍ରଗତି ଉତ୍କଳ ସଂଘ ଉଦ୍ୟମରେ ହୋଇଥିବା ଉଦ୍ୟମ ଫଳରେ ଦେଢ଼ ଲକ୍ଷରୁ ଅଧିକ ପୃଷ୍ଠା ସ୍କାନ କରାଯାଇଛି । ଏଥିରୁ କିଛି ଏବେ ଓଡ଼ିଆ ଉଇକିପାଠାଗାର ପ୍ରକଳ୍ପରେ or.wikisource.org ୱେବସାଇଟରେ ଉପଲବ୍ଧ । ଏଥିରେ ସ୍ୱେଚ୍ଛାରେ ଓଡ଼ିଆ ପାଠକମାନେ ନିଜ ପସନ୍ଦର ବହିସବୁକୁ ଡିଜିଟାଇଜ କରି ସ୍କାନ ଛବିରୁ ଲେଖାରେ ରୂପାନ୍ତର କାମ ଆରମ୍ଭ ହୋଇଛି । ଏଥିସହିତ ସମ୍ପୂର୍ଣ୍ଣ ଓଡ଼ିଆ ଭାଗବତ ଭଳି ଆମ ଭାଷାର ସମ୍ପତ୍ତି ଧୀରେ ଧୀରେ ଏଥିରେ ଆସିବାକୁ ଲାଗିଲାଣି । ଏଥି ସହିତ ଜଗତଯାକର ଜ୍ଞାନକୁ ଓଡ଼ିଆରେ ଲେଖିବାର ଉଦ୍ୟମ କରିଥିବା ଗୋପାଳ ପ୍ରହରାଜଙ୍କ ଭାଷାକୋଷ ତିଆରି କାମକୁ ଏବେର ଉଇକିପିଡ଼ିଆ ମାଧ୍ୟମରେ ଆଗକୁ ନେବାର ଉଦ୍ୟମ ହେଲାଣି । ଏଯାବତ ୧୧ ହଜାରରୁ ଅଧିକ ଲେଖା ଓଡ଼ିଆ ଉଇକିପିଡ଼ିଆରେ or.wikipedia.org ୱେବସାଇଟରେ ଉପଲବ୍ଧ । ସାମୁହିକ ଉଦ୍ୟମ ଛଡ଼ା କିଛି ବ୍ୟକ୍ତିବିଶେଷ ଓ ସଙ୍ଗଠନ ମଧ୍ୟ ଓଡ଼ିଆରେ କିଛି ୱେବସାଇଟ ଆଗରୁ ବଖଣାଯାଇଥିବା ଫାଙ୍କା ଥାନ ପୂରଣ କରିବା କାମରେ ମଧ୍ୟ ଲାଗିଛନ୍ତି । ତେବେ ଆଉ ଭାଷା ସଙ୍ଗେ ଓଡ଼ିଆକୁ ସମକକ୍ଷ କରିବା ଲାଗି ଆହୁରି ଅନେକ ଉଦ୍ୟମ ଲୋଡ଼ା । ବିଶେଷ କରି ସରକାରଙ୍କ ପାଖେ ସଚେତନତା ଲୋଡ଼ା । କେବଳ କୋଟି କୋଟି ଟଙ୍କାର ପ୍ରକଳ୍ପ ନୁହେଁ ବରଂ ଘରର ମୂଳଦୁଆ ଗଢ଼ା କାମ ପାଇଁ ଅଧକ ଉଦ୍ୟମ ନିହାତି ଲୋଡ଼ାପଡ଼ିଛି ।