ଓଡ଼ିଆ ଉଇକିପିଡ଼ିଆ: ଇଣ୍ଟରନେଟରେ ବିଶାଳତମ ଅନଲାଇନ ଜ୍ଞାନକୋଷ ଗଢ଼ିବାର ଅଭିଯାନ
This article. that details about the journey of the Odia Wikipedia in the last 14 years appeared in YourStory Odia on on June 3.
ଜଣାଶୁଣା ବ୍ୟକ୍ତି, ବିଷୟ, ଘଟଣା, ସ୍ଥାନ ଆଦି ବିଷୟରେ ସଂକ୍ଷେପରେ ଲେଖିବା ପାଇଁ ଏନସାଇକ୍ଲୋପିଡ଼ିଆ ବା ଜ୍ଞାନକୋଷର ପରିକଳ୍ପନା । ତାକୁ ପୁଣି ଇଣ ୍ଟରନେଟର ଉପଲବ୍ଧ କରିବା ପାଇଁ ୨୦୦୧ରେ ଆରମ୍ଭ ହେଲା ଉଇକିପିଡ଼ିଆ (Wikipedia) । ପ୍ରଥମେ ଇଂରାଜୀରେ ଆରମ୍ଭ ହୋଇ ପରେ ବିଭିନ୍ନ ଭାଷାକୁ ଏହା ବଢ଼ିଲା । ଆଉ ଇଂରାଜୀ ଉଇକିପିଡ଼ିଆ ଆରମ୍ଭ ହବାର ବର୍ଷଟିଏ ପରେ ୨୦୦୨ ମସିହାରେ ଓଡ଼ିଆ, ଅହମିୟା, ପଞ୍ଜାବୀ ଓ ମାଲାୟାଲାମ ଭାଷାରେ ମଧ୍ୟ ଉଇକିପିଡ଼ିଆ ଆରମ୍ଭ ହେଲା । ପ୍ରଥମ ଚାରୋଟି ଭାରତୀୟ ଭାଷାରେ ତିଆରି ଉଇକିପିଡ଼ିଆ ଭିତରୁ ଓଡ଼ିଆ ଗୋଟେ ବୋଲି ଅନେକଙ୍କୁ ଆଜି ବି ଅଜଣା । ଇଣ୍ଟରନେଟରେ https://or.wikipedia.org ରେ ଉପଲବ୍ଧ ଓଡ଼ିଆ ଉଇକିପିଡ଼ିଆ ପାଖାପାଖି ୯ ବର୍ଷ ଧରି ସକ୍ରିୟ ସମ୍ପାଦନାର ଅଭାବରୁ ୨୦୧୧ ଯାଏ ଏକ ରକମ ନିଷ୍କ୍ରିୟ ହୋଇ ପଡ଼ିରହିଥିଲା । ୨୦୧୧ରେ ଏ ିରେ ଅନେକ ସ୍ୱେଚ୍ଛାସେବୀ ସମ୍ପାଦକ ବା ଉଇକିଆଳିମାନେ ଯୋଡ଼ିହୋଇ ଲେଖିବା ଆରମ୍ଭ କରିବା ଫଳରେ ଅଧୁନା ଏଥିରେ ୧୦,୬୧୯ ସଂଖ୍ୟକ ପ୍ରସଙ୍ଗ ଲେଖାସରିଲାଣି । ଆଉ ନିତି ନୂଆ ନୂଆ ଲେଖା ଏଥିରେ ଯୋଡ଼ିହୋଇ ଚାଲିଛି ।
ତେବେ ଜଣେ ସାଧାରଣ ପାଠକ ପାଇଁ ଉଇକିପିଡ଼ିଆରେ କଣ ରହିଛି ତାହା ଜାଣିବା ବେଶି ଜରୁରୀ । ଜ୍ଞାନ ଆହରଣର ବାଟ ପିଢ଼ିରୁ ପିଢ଼ିକୁ ବଦଳେ । ଆମ ପିଲାବେଳେ ଆମେ କାଁ ଭାଁ କମ୍ପ୍ୟୁଟର ଓ ଇଣ୍ଟରନେଟର ସୁବିଧା ପାଉଥିଲୁ । ଆଉ ସେତେବେଳେ ଓଡ଼ିଆ ମିଡ଼ିଅମ ସ୍କୁଲର ପାଠାଗାର କିଛି ଗପ ଉପନ୍ୟାସ ବହି ଭିତରେ ସୀମିତ ଥିଲା । ନୂଆ ବହିଟିଏ ଦେଖିବା ଆଗରୁ କାନ୍ଥରୁ ଚୂନ ଝଡ଼ିପଡୁଥିଲା । ହେଲେ ଏବେ ଘରେ ଘରେ ଏକାଧିକ ମୋବାଇଲ ଆଉ ସେସବୁ ପୁଣି ଇଣ୍ଟରନେଟ ସୁବିଧା ଥିବା ସ୍ମାର୍ଟଫୋନ ଆସିଲାଣି । ସ୍କୁଲ ପିଲାଏ ଆଉ କିଛି କରନ୍ତୁ ନ କରନ୍ତୁ କିନ୍ତୁ ଗେମ ଖେଳିବା କି ଫେସବୁକ ଆଦିରେ ସାଙ୍ଗମାନଙ୍କ ସଙ୍ଗେ ଚାଟିଂ ଆଦି କରିବାରେ ପକ ହେଲେଣି । ଇଣ୍ଟରନେଟ କମ୍ପୁଟରରୁ ସମ୍ପୂର୍ଣ୍ଣ ମୋବାଇଲମୁଖୀ ହୋଇଗଲାଣି । ପିଲାଙ୍କଠୁ ବଡ଼ ଯାଏ କାହା ପାଖେ ଆଉ ଏନସାଇକ୍ଲୋପିଡ଼ିଆ ବ୍ରିଟାନିକା ଭଳି ଓଜନିଆ ପୋଥି ଦେଇ କିଛି ଖୋଜିବା ପାଇଁ ବେଳ ନାହିଁ । ତେଣୁ ଏଭଳି ପରିସ୍ଥିତିରେ କୌଣସି ବିଷୟକୁ ଅଧିକ ଲୋକାଭିମୁଖୀ କରିବାର ସୁବିଧା ବାଟ ହେଉଛି ସେସବୁକୁ ଇଣ୍ଟରନେଟରେ ଉପଲବ୍ଧ କରାଇବା । ତେବେ ବହି ବା ଜର୍ଣ୍ଣାଲର ବିକଳ୍ପ ନୁହେଁ ବରଂ ବହି ସଙ୍ଗେ ଭିନ୍ନ ଏକ ମାଧ୍ୟମରେ ଜ୍ଞାନ ବିତରଣର ବାଟ ରୂପରେ ଇଣଟରନେଟ ଅଧିକରୁ ଅଧିକ ଲୋକଙ୍କ ପାଖେ ପହଞ୍ଚିପାରୁଛି ।
ବିଭିନ୍ନ ଭାଷାରେ ଇଣ୍ଟରନେଟରେ ଜ୍ଞାନ ଆହରଣର ସ୍ଥିତି ଭିନ୍ନ । ତେବେ ଓଡ଼ିଆ ପାଇଁ ଇଣ୍ଟରନେଟର ଅବସ୍ଥା ଯେତେ ଚିନ୍ତାଜନକ ଓଡ଼ିଆ ଭାଷାକୁ ଇଣ୍ଟରନେଟରେ ଅଧିକ ବ୍ୟବହାର ଉପଯୋଗୀ କରିବା ସେତେ ଅଧିକ ଲୋଡ଼ା । ୨୦୧୧ ଜନଗଣନା ତଥ୍ୟ ଅନୁସାରେ ଓଡ଼ିଶାରେ ମାତ୍ର ୧.୪ ଭାଗ ଲୋକଙ୍କ ପାଖେ ଇଣ୍ଟରନେଟର ସୁବିଧା ଥିଲା । ଏହି ପାଞ୍ଚ ବର୍ଷ ଭିତରେ ଏହା ବହୁ ଅଧିକ ବଢ଼ିଥିବ । ହେଲେ ସେ ସଭିଏଁ କଣ ସତରେ ଇଣ୍ଟରନେଟର ବ୍ୟବହାର କରୁଛନ୍ତି ନାଁ ସୀମ ିତ କେତୋଟି ସାଇଟ ଭିତରେ ସୀମିତ । ଅଧିକାଂଶ ତଥାକଥିତ ଇଣ୍ଟରନେଟ ବ୍ୟବହାରକାରୀ ଫେସବୁକରେ ସାଙ୍ଗମାନଙ୍କ ସଙ୍ଗେ ଭାବ ଦିଆନିଆ କି ହୁଆଟସଆପରେ ପରିଚିତଙ୍କ ସଙ୍ଗେ ଆଳାପ ଅଥବା ଇଉଟିଉବରୁ ଗୀତ ଶୁଣିବା ବାହାରେ ବେଶୀ କିଛି ଜାଣନ୍ତି ନାହିଁ । ଏହାର ମୁଖ୍ୟ କାରଣ ହେଉଛି ସେମାନଙ୍କ ପାଇଁ ସବୁଠୁ ବେଶୀ ପରିଚିତ ଭାଷା ଓଡ଼ିଆରେ ବେଶୀ ୱେବସାଇଟ ନାହିଁ । ଖବର ପଢ଼ାଳିଙ୍କ ପାଇଁ ନାଁ ଭଲ ଖବର ୱେବସାଇଟଟିଏ ରହିଛି ନାଁ ଗବେଷକଙ୍କ ପାଇଁ ଆମ ଐତିହ୍ୟ ଓ ପୁରୁଣା ଶିଳ୍ବାବଦରେ ପଢ଼ିବା ପାଇଁ ଆମ ମିଉଜିଅମ ୱେବସାଇଟରେ ସମସ୍ତ କଳାକୃତିର ତଥ୍ୟ ଓଡ଼ିଆରେ ଦିଆଯାଇଛି । ସେମିତି ଭିନ୍ନ ଭିନ୍ନ ବିଷୟରେ ବିଭିନ୍ନ ବିଷୟ ଜାଣିବା ପାଇଁ ଓଡ଼ିଆରେ ନିହାତି ଦରକାରୀ ବିଷୟ ମଧ୍ୟ ଇଣ୍ଟରନେଟରେ ନାହିଁ । ଏଭଳି ଓଡ଼ିଆରେ ପ୍ରକାଶିତ କେଇଶହ ଖବରକାଗଜ ଭିତରୁ କେବଳ ଗୋଟେ କାଗଜର ଖବରଗୁଡ଼ିକ ଇଣ୍ଟରନେଟରେ ଖୋଜିପାଇହେବ । କାରଣ ବାକି ଖବରକାଗଜର ଲେଖା ଇଉନିକୋଡ଼ ଭଳି ଆନ୍ତର୍ଜାତିକ ମାନକକୁ ନ ଆପଣାଇ ଆକୃତି, ଶ୍ରୀଲିପି ଆଦି ପୁରୁଣାକାଳିଆ ଅଣ-ମାନକ ସଫ୍ଟଓଏରରେ ଲେଖି ଛବି ଭାବେ କିମ୍ବା ପିଡିଏଫ ଡକୁମେଣ୍ଟ ଭାବେ ସେମାନଙ୍କ ସାଇଟରେ ଉପଲବ୍ଧ । ସେଗୁଡ଼ିକ ଦେଖିବାକୁ ଭିନ୍ନ ନ ଲାଗିଲେ ମଧ୍ୟ ଗୁଗୁଲ ବା ସର୍ଚ ଇଞ୍ଜିନରେ ଓଡ଼ିଆରେ ଟାଇପ କରି ଖୋଜିହୁଏନାହିଁ କିମ୍ବା ମୋବାଇଲ ଆଦିରେ ସଳଖେ ପଢ଼ିହୁଏନାହିଁ ।
ଓଡ଼ିଆରେ ୧୯୩୦ ମସିହାରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭଳି ବିଶାଳ ଜ୍ଞାନକୋଷ ରଚନା କାମ ଆଜିଯାଏ ଆଉ କିଛି ହୋଇପାରିନାହିଁ । ଆଧୁନିକ ଟେକନୋଲୋଜି ବ୍ୟବହାର କରି ଏବେ ଉଇକିପିଡ଼ିଆ ଅତୀତ ସହ ସନ୍ଧିଟିଏ ତିଆରି କରିପାରିବ । ଏହା ସମ୍ପୂର୍ଣ୍ଣ ଭାବେ ଅଣ-ଲାଭକାରୀ ଓ ଏଥିରେ ବିଜ୍ଞାପନ ନ ଥାଏ । ଏଥିରେ ଲେଖାଗୁଡ଼ିକ ଲେଖୁଥିବା ଉଇକିଆଳିଏ ସଭିଏଁ ସ୍ୱେଚ୍ଛାସେବୀ ଓ ଲେଖାସବୁ ସେମାନଙ୍କ ସ୍ୱତ୍ୱାଧୀକାରରେ ପ୍ରକାଶିତ । ତେବେ ଜ୍ଞାନ ବିତରଣ ଉଦ୍ଦେଶ୍ୟରେ ତିଆରି ହୋଇଥିବାରୁ ଲେଖାସବୁ କପିରାଇଟ ଦେଇ ନ ରୋକିବା ଲାଗି ସେସବୁ କ୍ରିଏଟିଭ କମନ୍ସ ସେଆର-ଏଲାଇକ ଲାଇସେନ୍ସରେ ବିତରିତ । ଫଳରେ ସଭିଏଁ ମାଗଣାରେ ପଢ଼ିପାରିବେ, ପ୍ରସଙ୍ଗଗୁଡ଼ିକ ପୁନବ୍ୟବହାର କରିପାରିବେ ଓ ଉଭୟ ଲାଭକାରୀ ଓ ଅଣ ଲାଭକାରୀ କାମରେ ବ୍ୟବହାର କରିପାରିବେ । ଏଥି ସହିତ କୌଣସି ଲେଖାରେ ଭୁଲ ପାଇଲେ ଜଣେ ଲେଖା ସମ୍ପାଦନା କରି ସୁଧାରିପାରିବେ । ଏଥିରେ ଲେଖା ଓ ସମ୍ପାଦନା ପଦ୍ଧତି ଏତେ ଖୋଲା ଯେ ପ୍ରାୟ ସବୁ ଲେଖା ଏକ ନୁହେଁ ଅନେକ ଲୋକଙ୍କ ଦେଇ ଏକାଠି ଲିଖିତ । ତେବେ ଲେଖାର ମାନରେ ସମତା ରଖିବା ନିମନ୍ତେ କେତେଗୁଡ଼ିଏ ନିୟମାବଳୀ ଅକ୍ରିୟ ସଭ୍ୟମାନେ ମିଶି ତିଆରି କରିଛନ୍ତି । ଏଗୁଡ଼ିକ ୨୯୩ଟି ଭାଷାରେ ଉପଲବ୍ଧ ସବୁ ଉଇକିପିଡ଼ିଆ ପାଇଁ ମୋଟାମୋଟି ଏକା ହେଲେ ମଧ୍ୟ ଭିନ୍ନ ଭିନ୍� � ଭାଷାଭାଷୀ ଉଇକିଆଳିଗଣ ନିଜ ଭାଷା ଓ ସମାଜର ଆବଶ୍ୟକତାକୁ ଆଖିରେ ରଖି ସେଗୁଡ଼ିକୁ ସାମାନ୍ୟ ବଦଳାଇଛନ୍ତି । ବିଭିନ୍ନ ବ୍ୟକ୍ତିବିଶେଷଙ୍କ ବାବଦରେ କିମ୍ବା ଘଟଣା ବାବଦରେ ଲିଖିତ ପ୍ରସଙ୍ଗ ଏକପାଖିଆ ନ ହୋଇ ନିରପେକ୍ଷ ଭାବେ ଲେଖିବା ଏହି ନିୟମାବଳୀ ମଧ୍ୟରୁ ଏକ ମୁଖ୍ୟ ନିୟମ । ସେହି ଭଳି ନିଜ ବ୍ୟକ୍ତିଗତ ମତ ବଦଳରେ କେବଳ ପ୍ରକାଶିତ ତଥ୍ୟ ଲେଖିବା ଆଉ ଏକ ନିୟମ । ସବୁଠାରୁ ମଜାର କଥା ହେଲା ଉଇକିପିଡ଼ିଆ କୌଣସି ଦେଶ ବା ସଙ୍ଗଠନ ଅଧୀନରେ ନ ଥାଇ ଏହା ଉପରେ ପ୍ରତ ିଟି ଉଇକିଆଳିଙ୍କ ସମାନ ଅଧିକାର ରହିଛି । ପୁଣି ସେମାନଙ୍କ ଭିତରେ ସେମାନଙ୍କ କାମକୁ ନେଇ ଦାୟିତ୍ୱ ବଣ୍ଟାଯାଇଛି । ବିବାଦ ଉପୁଜିଲେ ବି ସୁଧାରିବାକୁ ରହିଛି କିଛି ସ୍ୱେଚ୍ଛାସେବୀଙ୍କୁ ନେଇ ତିଆରି କମିଟିମାନ ।
ତେବେ ଉଇକିପିଡ଼ିଆରେ ଥିବା ସବୁଯାକ ଲେଖାକୁ ଆଖିବୁଜି ଗ୍ରହଣ କରାଯାଇପାରିବ ନାହିଁ । କାରଣ ପ୍ୟାରିସ ଉପରେ ଥିବା ଲେଖାଟି ଶହେ କି ହଜାରେ ଲୋକ ମିଶି ଲେଖିଥିବା ବେଳେ ଭୁବନେଶ୍ୱର ଉପରେ ଥିବା ଲେଖାଟି ହାତଗଣତି କେତେ ଜଣ ହୁଏତ ଲେଖିଥିବେ । ଯେଉଁ ଲେଖା ଯେତେ ଅଧିକ ଅଭିଜ୍ଞତା ଥିବା ଲୋକଙ୍କ ଦେଇ ଯେତେ ଘସା ମଜା ହୋଇ ଲେଖାହୋଇଥିବ ସେ ଲେଖା ସେତେ ଉଜ୍ଜଳ ହୋଇ ଚମକୁଥିବ । ଓଡ଼ିଆ ଓ ଓଡ଼ିଶା ସମ୍ବନ୍ଧିତ ଲେଖାସବୁରୁ ଇଂରାଜୀ ଉଇକିପିଡ଼ିଆରେ ମଧ୍ୟ ଭଲ ଲେଖା ଖୋଜି ପାଇବା କଷ୍ଟ । ଆଉ ଓଡ଼ିଆରେ ଲେଖୁଥିବା ଉଇକିଆଳିଙ୍କ ସଂଖ୍ୟା ପାଖାପାଖି ୩୦ ଭିତରେ । ସାଢ଼େ ଚାରିକୋଟି ଓଡ଼ିଆଙ୍କ ଭିତରୁ ଯଦି ଏତେ କମ ଲୋକ ଏତେ ବଡ଼ କାମର ବୋଝ ଉଠାଉଥିବେ ତେହେଲେ ସବୁ ଲେଖାର ମାନ ଯେ ଏକା ଭଳି ଓ ସବୁ ଲେଖାରେ ଆବଶ୍ୟକୀୟ ସବୁ ତଥ୍ୟ ମିଳିବ ତା'ର ମାନେ ନାହିଁ । ତେଣୁ କେବେ କେବେ ବିଭିନ୍ନ ମେଳା ମଉଛବକୁ ଧରି ଲେଖାଳିଏ ମିଶି ଗୋଟେ ବିଷୟରେ ଅଧିକ ଲେଖା ଲେଖିବା ପାଇଁ ଗଣ-ସମ୍ପାଦନା କରନ୍ତି । ଜଗନ୍ନାଥ ଚଳଣି ଉପରେ ଲିଖିତ ପ୍ରସଙ୍ଗସବୁ ନବକଳେବର ସମୟରେ ବିଭିନ୍ନ ଖବରକାଗଜ ଓ ପତ୍ରିକା ଆଦିରୁ ତଥ୍ୟ ସଂଗ୍ରହ କରି ବହୁଭାବେ ଉନ୍ନତ କରାଯାଇଥିଲା । ଏବେ ଏ ପ୍ରସଙ୍ଗସବୁ ଉଇକିପିଡ଼ିଆର ବାକି ପ୍ରସଙ୍ଗସବୁଠାରୁ ଅଧିକ ତଥ୍ୟରେ ଭରା । ଏଥିରେ ଲେଖିବାକୁ ଆଗ୍ରହୀ ଓଡ଼ିଆମାନେ ଏହି ପୃଷ୍ଠାରେ ଦିଆଯାଇଥିବା ସରଳ ନିର୍ଦ୍ଦେଶ ପଢ଼ି ନିଜେ ମଧ୍ୟ ବିଭିନ୍ନ ସ୍ଥାନ ଓ ଅନ୍ୟାନ୍ୟ ବିଷୟରେ ଲେଖିପାରିବେ ।
ଉଇକିପିଡ଼ିଆ ହେଉଛି ଏକ ଯାତ୍ରା । ଆଉ ଏ ବାଟ ଅସରନ୍ତି । ଯେତେ ଲେଖିଲେ ବି ସ ରିବନି କିନ୍ତୁ ଏ ଲେଖା ଚାଲିରହିଥିବ । ଆଜି ଓଡ଼ିଆଙ୍କ ଭିତରେ ଅଳପ ଜଣା ଉଇକିପିଡ଼ିଆ ଜଗତର ବାକି ଭାଷାରେ ପ୍ରକାଶିତ ଉଇକିପିଡ଼ିଆ ଓ ବାକି ଜ୍ଞାନକୋଷ ସଙ୍ଗେ ସମକକ୍ଷ ହୋଇ ଓଡ଼ିଆଙ୍କ ମଥାକୁ ଟେକି ଧରିବା ପାଇଁ ସପନ ଦେଖିବା ପାଇଁ ଲୋଡ଼ା ଅଧିକରୁ ଅଧିକ ହାତ । ଓଡ଼ିଆ ଉଇକିପିଡ଼ିଆର ଏ ଜୟଯାତ୍ରା ପାଳନ କରିବା ପାଇଁ ଭୁବନେଶ୍ୱରରେ ପାଳିତ ହେଉଛି ଏକ ସାଧାରଣ ସଭା ଓ ସବିଶେଷ ଏହି ପୃଷ୍ଠାରେ ପଢ଼ିପାରିବେ ।