You are here: Home / Openness / Blog / ଓଡ଼ିଆ ଭାଷା ପାଇଁ ଡିଜିଟାଲ ଅସୁବିଧା

ଓଡ଼ିଆ ଭାଷା ପାଇଁ ଡିଜିଟାଲ ଅସୁବିଧା

Posted by Subhashish Panigrahi at Apr 15, 2015 01:00 PM |
This paper was presented at the 2nd National Language Seminar by CIS-A2K Pogramme Officer Subhashish Panigrahi. In the paper, Panigrahi discusses about the hindrances of mass use of Odia language on the internet and how that is impacting in overall contribution of people in the language.

He further elaborates on the major content repositories like Odia Wikipedia that have the potential to drive the bandwagon of an old and rich language like Odia online which is otherwise ceased because of the lack of contribution. Click to download the file.


"ଭାଷାସବୁ ଭାଷାଙ୍କୁ ମାରନ୍ତିନି; ଭାଷାଭାଷୀମାନେ ମାରନ୍ତି' କହିଥିଲେ ଜଣାଶୁଣା ଭାଷାବିଦ ସାଲିକିକ ମୁଫଉଇନ । ଅନେକ ଡରନ୍ତି ଜଗତରେ ଆଜି ଜିଇଁଥିବା ୬,୭୦୦ଭାଷା ମରିମରି ଆଉ ଶହେବର୍ଷ ପରେ ୨୦୦ ହୋଇସାରିଥିବ । ଭାଷା ତଳେ ଭାଷାର ସମାଧି ଲଭିବାର ମୂକସାକ୍ଷୀ ନିକଟ ଅତୀତ । ଅନେକ ଭାଷା ରାଜଭାଷା, ରାଜନୈତିକ ପୃଷ୍ଠପୋଷକତା ପାଇଥିବା ଭାଷାର ମଙ୍ଗ ଧରିଥିବା ମୁଣ୍ଡିଆଳମାନଙ୍କ ଅଦଉତିରେ ମୁଣ୍ଡଟେକି ଭବିଷ୍ୟତର ଆଲୋକ ଦେଖିାରିନାହାନ୍ତି । ତେବେ ଅନେକ ଭାଷା ଅନାଦରରୁ, ରାଜନୀତିକ ଷଡ଼ଯନ୍ତ୍ର ଶିକାର ହୋଇ ଧୀରେ ଧୀରେ ସାଧାରଣ ବ୍ୟବହାରରୁ ହଜି ଯାଆନ୍ତି । ଶାସ୍ତ୍ରୀୟ ମାନ୍ୟତା ପାଇଲାଣି ଯେବେ ଆମକୁ ଆଉ କୂପମଣ୍ଡୁକ ହୋଇ ନିଜ ଦେଶ ଭିତରେ ବାନ୍ଧି ହୋଇ ରହିଲେ ଚଳିବ ନାହିଁ । ଆମ ଓଡ଼ିଆ ଭାଷାର ସ୍ଥିତି ଏବେ ଜଗତ ପୃଷ୍ଠଭୂମିରେ କେଉଁଠି ତା' ବିଚାରିବା ବେଳ ଆସିଲାଣି । ଓଡ଼ିଆ ଭାଷାର ପୁରୁଣାପଣ ଉପରେ ଆଉ କାହାର ସନ୍ଦେହ ନାହିଁ । ତେବେ ସନ୍ଦେହଟି ଆମ ଭାଷାର ବ୍ୟାବହାରିକ ଦିଗ ଉପରେ । ଭାଷାଟି ଲୋକତୁଣ୍ଡରେ ଯେତେ ଅଧିକ କଥିତ ହେବେ ତା' ଖାଦି ସେତେ ବଢ଼ିବ । ପୁଣି ସମାଜର ମୁଣ୍ଡିଆଳମାନେ ଯେବେ ସେ ଭାଷାକୁ ଶାସନ, ବଣିଜ ଆଉ ସବୁଠି ବ୍ୟବହାର କରିବେ ସେ ଭାଷା ସେତେ ବଳୁଆ ହେବ । ଆମ ପାଇଁ ସମାଜର ଉଚ୍ଚ ବର୍ଗର ଲୋକଙ୍କ ଦେଇ ଓଡ଼ିଆ କହାଯିବାଟି ଏକ ବଡ଼ ବାଧକ ହୋଇ ଠିଆ ହୋଇଛି । ଆମ ଚାରିପାଖେ ଅନେକ ଉଞ୍ଚା ଗଛ ହେଲେ ଆମେ ଯେ ଛାଇରେ ଏକଥା କହିବା ବାହୁଲ୍ୟ । ୫୦୦ରୁ ଅଧିକ ବର୍ଷକାଳ ଓଡ଼ିଶା ପରାଧୀନ ହୋଇ ନ ରହନ୍ତା କି ଆମ ଭାଷାର ଯଥେଷ୍ଟ ପରେ ଜନମିଥିବା ନୂଆ ଭାଷାମାନେ ଆମଠୁ ଅଧିକ ବଳୁଆ ହୋଇ ଆମ ଉପରେ ହାକିମାତି ନ ଦେଖାନ୍ତେ । ଏବେ ଓଡ଼ିଶା ଗରିବ ରାଜ୍ୟ ବୋଲି ଯେଉଁ ଅପପ୍ରଚାରଟି କରାଯାଇଛି ଦୀର୍ଘ କେତେ ବର୍ଷ ଧରି ତା' ସକାଶେ ଲୋକଙ୍କ ଭିତରେ ନାହିନଥିବା ହୀନମନ୍ୟତା । ଆଉ ବଲିଉଡ଼ ଭଳି ଅର୍ଥକାରୀ ମିଡ଼ିଆ ପ୍ରଭାବରେ ଓଡ଼ିଆ ମିଡ଼ିଆର ପ୍ରଭାବ ଜନମାନସରେ ଖୁବ କମ ପଡ଼େ । ଏକ କାଳେ ଓଡ଼ିଆ ସିନେମା ଯେଉଁ ବଲିଓଡ଼ ସହିତ ସମତାଳେ ଗତି କରୁଥିଲା ବୋଲି ଆମେ ଆଜି ସିନେମାକୁ ଛି ଛାକର କରୁ ସେ କେବଳ ପ୍ରହେଳିକା । ଯେଉଁମାନେ ହିନ୍ଦୀ ସିନେମା ତିଆରି କରୁଥିଲେ ତା'ର ପ୍ରଭାବ ସିଧାସଳଖ ଓଡ଼ିଆ ଓ ବାକି ଭାଷା ଉପରେ ପଡ଼ୁଥିଲା । ଲୁଗା ପିନ୍ଧା ହେଉ କି ସଂଳାପ ସେସବୁରେ ଏକ କୃତ୍ରିମତା ବାରିପଡ଼େ । ତେବେ ଅନେକ ନିଆରା ଚିଜ ସେଥିରେ ଖଞ୍ଜାଥିଲା ଯାହା ଆଜି ଆଉ ନାହିଁ । ଆମ ମିଡ଼ିଆରେ ଏବେ ଖୁବ କମ ଭାଗ ଖାଣ୍ଟି ଓଡ଼ିଆପଣ ଅଛି, ବାକି ସବୁ ହିନ୍ଦୀ ଓ ଅନ୍ୟାନ୍ୟ ମିଡ଼ିଆରୁ ଚୋରାଯାଉଛି । ମିଡ଼ିଆର ବଡ଼ ଦେଖଣାହାରୀ ହେଲେ ଯୁବସମାଜ । ଏଇ କିଛି ବର୍ଷ ଭିତରେ ପ୍ରଚାର ଚାଲିଲା ଯେ ହିନ୍ଦୀ ଭାରତର ରାଷ୍ଟ୍ରଭାଷା ଆଉ ଏହା କହୁଥିବା ଲୋକେ ଆସି ଏବେ ୪୦ ଭାଗରେ ପହଞ୍ଚିଲେଣି । ଏ ମିଛ ପ୍ରହସନ ପାଇଁ ସରକାର କିଛି ପରିମାଣରେ ଦାୟୀ ଆଉ ବାକି ଶ୍ରେୟ ଲାଭଖୋର ବେପାରୀଙ୍କୁ ଯାଏ । ଏମାନେ ହେଲେ ମିଡ଼ିଆକୁ ନେଇ କୋଟି କୋଟି ଟଙ୍କାର ବେପାର କରୁଥିବା ବେପାରିଏ । ଏ ଦେଶେ ଇଂରାଜୀ ଭଳି ଏକ ଆନ୍ତର୍ଜାତୀୟ ସ୍ତରର ଖାଦିଥିବା ଭାଷାକୁ ଆମ ଜାତୀୟତାବାଦର ବିରୋଧୀ, ଉପନିବେଶବାଦର ସ୍ମାରକ କହି କେଇ ଶହ ବର୍ଷ ତଳେ ଆକ୍ରମଣକାରୀ ପାରସିକଙ୍କ ଭାଷାରୁ ତିଆରି ଏକ କୃତ୍ରିମ ଭାଷାକୁ ଲଦିଦିଆଗଲା ଭାରତର ରାଜଭାଷା କରି । ଏହାର ଶିକାର ଉଣାଅଧିକେ ସବୁ ଭାରତୀୟ ଭାଷା ତଥା ଆମ ପଡ଼ୋଶୀ ଦେଶର ଭାଷାଙ୍କ ଉପରେ ପଡ଼ିଛି । ତେଣୁ ଓଡ଼ିଆ ପାଇଁ ପଇସା ଭାଷା ହେବା ଦୂରୁହ ହୋଇପଡ଼ିଛି । ଆମ ଭାଷା ଏବେ କେବଳ ସାହିତ୍ୟ ଭିତରେ ସୀମିତ ବୋଲି ମୋଟାମୋଟି କହିହେବ । ତେବେ ସବୁଠୁ ବଡ଼ ସମସ୍ୟା ଆସି ହେଲାଣି ପିଢ଼ି ଅସମତା, ଆମ ବୁଢ଼ାମାନେ କିଛି ପରିମାଣରେ ଓଡ଼ିଆକୁ ଧରି ରଖିଥିବା ବେଳେ ପିଲାଏ ଫିଙ୍ଗିବା ଆରମ୍ଭିଲେଣି । ଏଥିପାଇଁ ବଡ଼ମାନଙ୍କ ଭୂମିକା ଖୁବ ଅଧିକ । ପିଲାଙ୍କୁ ଇଂରାଜୀ ମିଡ଼ିଅମ ସ୍କୁଲରେ ଛାଡ଼ିଲେ ଓଡ଼ିଆ ଯେ ଅଛୁଆଁ ଏମିତି ଏକ ଧାରଣା ଦେବା ପ୍ରତି ଅଭିଭାବକ ପାଖେ ଦେଖିବାକୁ ମିଳେ ।

ଓଡ଼ିଆରେ ଟାଇପ କରିବା:

ମୋବାଇଲ, କମ୍ପୁଟର ଓ ଟାବଲେଟ ଆଦିରେ ସହଜେ ଓଡ଼ିଆ ଟାଇପ କରିହେବ । ତେବେ ଗୋଟିଏ କଥା ଜାଣିବାକୁ ପଡ଼ିବ ଯେ ଆକୃତି, ଶ୍ରୀଲିପି, ଲିପ-ଅଫିସ ଆଦି ବ୍ୟବହାର କରି ଓଡ଼ିଆ ଲେଖିଲେ କମ୍ପୁଟରରେ ସେ ଫଣ୍ଟସବୁ ଇନଷ୍ଟଲ ହୋଇଥିଲେ କେବଳ ଜଣେ ପଢ଼ିପାରିବ । ତେବେ ଏସବୁ ପୁରୁ୍ଣାକାଳିଆ ହୋଇଥିବାରୁ ସେଥିରେ ଇମେଲ, ଫେସବୁକ ବା ୱେବସାଇଟ କଲେ ବାକିମାନେ ପଢ଼ିପାରିବେ ନାହିଁ । ଏସବୁ ଫଣ୍ଟରେ ୱେବସାଇଟ କଲେ ଗୁଗୁଲ ସର୍ଚରେ ଓଡ଼ିଆ ଆସିବ ନାହିଁ । ଅନେକ ଓଡ଼ିଆ ଲେଖା ଇଣ୍ଟରନେଟରେ ଆକୃତି, ଶ୍ରୀଲିପି ଓ ସେ ଧରଣର ଲେଖାରେ ଉପଲବ୍ଧ ହୋଇଥିବାରୁ ସେସବୁ ପାଠକେ ଖୋଜି ପାଉନାହାନ୍ତି । ବାକି ଭାଷାରେ ଉପଲବ୍ଧ ହେଲେ ମଧ୍ୟ କେବଳ ଏହି କାରଣ ସକାଶେ ଗୁଗୁଲ ଏଯାଏ ତା' ସାଇଟରେ ଓଡ଼ିଆ ବିଭାଗଟି ଖୋଲିନାହିଁ । ତେଣୁ ଲେଖାଲେଖିକୁ ଅଧିକ ଲୋକଙ୍କ ପାଖେ ପହଞ୍ଚାଇବାର ସବୁଠୁ ବଡ଼ ବାଟ ହେଲା ଇଉନିକୋଡ଼ । ଏହା ଏକ ବିଶ୍ୱସ୍ତରର ମାନକ ଓ ଜଗତର ସବୁ ଭାଷା ଏହି ମାନକ ସକାଶେ ନିଜ ନିଜ ସହ ଯୋଡ଼ା । କମ୍ପୁଟରରେ ଓଡ଼ିଆରେ ଟାଇପ କରିବା ସହଜ । Windows XP ସର୍ଭିସ ପ୍ୟାକ ୨ ପରେ ଆସିଥିବା ସବୁ ଅପରେଟିଂ ସିଷ୍ଟମରେ (XP service pack 3, Windows Vista, Windows 7, Windows 8 ଆଦି) ଓଡ଼ିଆ ଫଣ୍ଟ ଇନଷ୍ଟଲ ହୋଇ ଆସୁଛି । ତେଣୁ ଓଡ଼ିଆ ପଢ଼ିବାରେ କୌଣସି ଅସୁବିଧା ହେବା କଥା ନୁହେଁ । ଇଉନିକୋଡ଼ ଓଡ଼ିଆରେ ଟାଇପ କରିବା ପାଇଁ ମୋଜିଲା ଫାୟାରଫକ୍ସ ବ୍ରାଉଜରରେ http://bitly.com/odiafirefox ଏବଂ ଗୁଗୁଲ କ୍ରୋମ ବ୍ରାଉଜରରେ http://bitly.com/odiachrome ଖୋଲି ସେଠାରେ ଥିବା Addon ଡାଉନଲୋଡ଼ କରିପାରିବେ । ଏସୁବୁକୁ ପ୍ରଥମ ଥର ଇନଷ୍ଟଲ କଲାପରେ ଫେସବୁକ, ମେଲ ଆଦିରେ ଏକ ଫାଙ୍କା ସ୍ଥାନରେ କ୍ଲିକ କଲେ ଛୋଟ କିବୋର୍ଡ଼ ଛବିଟିଏ ଦିଶିବ । ସେ ଛବି ଉପରେ କ୍ଲିକ କରି ପ୍ରଥମେ ଓଡ଼ିଆ ଓ ପରେ "ଲେଖନୀ" କିମ୍ବା "ଫୋନେଟିକ" ବାଛି ଓଡ଼ିଆରେ ଟାଇପ କରିହେବ । ଆମେ ନିଜ ନାଁ ଯେମିତି ଇଂରାଜୀ ଅକ୍ଷରରେ ଲେଖୁଛୁ ଠିକ ସେହିଭଳି ଢଙ୍ଗରେ ଓଡ଼ିଆରେ ଟାଇପ କରିହେବ । ଯଥା: "କାମ" ଲେଖିବା ପାଇଁ "kam", "ଆଚାର" ଲେଖିବା ପାଇଁ "achar" ।

ଯଦି ଆଗରୁ ଆକୃତି, ଶ୍ରୀଲିପିରେ କିଛି ଲେଖା ଅଛି ତାକୁ ବ୍ଲଗ, ଇମେଲ, ଫେସବୁକ ଓ ଇଣ୍ଟରନେଟରେ ବାକି ଜାଗାରେ ବ୍ୟବହାର କରିବା ପାଇଁ ଇଉନିକୋଡ଼କୁ ବଦଳାଇବା ବାଟ ଆସିଲାଣି । ଆକୃତି ଲେଖା http://bitly.com/akrutiodia ଓ ଶ୍ରୀଲିପି ଲେଖା http://bitly.com/shreelipi ସାଇଟ ଖୋଲି ଇଉନିକୋଡ଼କୁ ବଦଳାଇ ହେବ । ନିଜ କମ୍ପୁଟରରେ ରାଇଟ କ୍ଲିକ କରି "Save as" ଅପସଙ୍କୁ ଯାଇ ଏ ଦୁଇଟିଯାକ କନଭର୍ଟର ନିଜ କମ୍ପୁଟର ଡେସ୍କଟପରେ ସାଇତିହେବ ଓ ପରେ ବିନା ଇଣ୍ଟରନେଟରେ ମଧ୍ୟ ବ୍ୟବହାର କରିହେବ ।

ମୋବାଇଲରେ ଓଡ଼ିଆ ଟାଇପ କରିହେବ କି ନାଁ ତା' ଜାଣିବାର ସହଜ ବାଟଟି ଓଡ଼ିଆ ଉଇକିପିଡ଼ିଆ (or.wikipedia.org) ବା ଆଉ କୌଣସି ଓଡ଼ିଆ ସାଇଟ ଖୋଲି ପରଖିପାରିବେ । ଯଦି ଏକ ମୋବାଇଲରେ ଓଡ଼ିଆ ପଢ଼ିହେଉଛି ତାହେଲେ ଓଡ଼ିଆରେ ଟାଇପ କରିବା ମଧ୍ୟ ସମ୍ଭବ । ଆଣ୍ଡ୍ରଏଡ଼ ପାଇଁ http://bitly.com/indickeyboard ଏବଂ iOS ପାଇଁ http://bitly.com/odiaios ବ୍ୟବହାର କରି ଓଡ଼ିଆରେ ଟାଇପ କରିପାରିବେ ଓ ଫେସବୁକ, ଟୁଇଟର, ଇମେଲ ଆଦିରେ ବ୍ୟବହାର କରିପାରିବେ । ତେବେ ଉଇଣ୍ଡୋଜ ଏବଂ ବ୍ଲାକବେରି ଆଦି ମୋବାଇଲରେ ଓଡ଼ିଆରେ ଟାଇପିଂ ସୁବିଧା ଏଯାଏ ଆସିନାହିଁ ।

ଓଡ଼ିଆରେ ଉଇକିପିଡ଼ିଆ:

ଅନେକେ ଜାଣନ୍ତି ନାହିଁ ଯେ ଓଡ଼ିଆରେ ଉଇକିପିଡ଼ିଆଟିଏ ଅଛି ବୋଲି । ୨୦୦୨ ମସିହାରେ ପ୍ରଥମ ଭାରତୀୟ ଭାଷାର ଉଇକିପିଡ଼ିଆ ଭାବେ ପଞ୍ଜାବୀ, ଅହମିୟା ଓ ମାଳାୟାଳାମ ସହ ଓଡ଼ିଆ ଉଇକିପିଡ଼ିଆ ଆରମ୍ଭ ହୋଇଥିଲା । or.wikipedia.org ରେ ଉପଲବ୍ଧ ଓଡ଼ିଆ ଉଇକିପିଡ଼ିଆ ୮୬୦୦ରୁ ଅଧିକ ପ୍ରସଙ୍ଗରେ ଭରା । ପାଖାପାଖି ୧୫ ଜଣ ସ୍ୱେଚ୍ଛାସେବୀ ସମ୍ପାଦକ ଏଥିରେ ବିଭିନ୍ନ ବିଷୟରେ ଜ୍ଞାନକୋଷ (ଏନସାଇକ୍ଲୋପିଡ଼ିକ) ଲେଖାମାନ ଲେଖୁଛନ୍ତି । ତେବେ ୨୦୦୨ରୁ ଆରମ୍ଭ ହେଲେ ହେଁ ପାଖାପାଖି ୯ ବର୍ଷ ଧରି ପ୍ରକଳ୍ପଟି ସକ୍ରିୟ ସପାଦକଙ୍କ ଅଭାବେ ନିଶ୍ଚଳ ହୋଇ ପଡ଼ିରହିଥିଲା ଏବଂ ୨୦୧୧ ପରେ ଏଥିରେ ସକ୍ରିୟ ସମ୍ପାଦନା ଆରମ୍ଭ ହୋଇଛି । ମଜାର କଥା ହେଲା ଏଥିରେ ସଭିଙ୍କ ପାଇଁ ସମ୍ପାଦନାର ସୁବିଧା ରହିଛି ଓ ଏକ ପ୍ରସଙ୍ଗକୁ ବହୁ ସମ୍ପାଦକ ମିଶି ସମ୍ପାଦନା କରିଥାନ୍ତି । ତେବେ ନିଜ ମନଗଢ଼ା ବିଷୟ ନ ଲେଖି ଆଗରୁ ପ୍ରକାଶିତ ବିଭିନ୍ନ ପ୍ରତିଷ୍ଠିତ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶିତ ପ୍ରବନ୍ଧ ଆଦି ଲେଖା ଆଧାରରେ ଏଥିରେ ଲେଖିବା ନିୟମ । ଏଣୁ ଗପ, କବିତା ଭଳି ସୃଜନାତ୍ମକ ସାହିତ୍ୟ ଏଥିରେ ରହିପାରିବ ନାହିଁ ।

ଓଡ଼ିଆ ଉଇକିପାଠାଗାର: ଓଡ଼ିଆରେ ଡିଜିଟାଲ ଲାଇବ୍ରେରି

ପୁରୁଣା ବହିକୁ ଡିଜିଟାଲ ମିଡ଼ିଆରେ ଆଣିବା ପାଇଁ ଏକ ନୂଆ ପ୍ରକଳ୍ପ ଓଡ଼ିଆ ଉଇକିପାଠାଗାର । ଏହି ପ୍ରକଳ୍ପଟି or.wikisource.org ରେ ଉପଲବ୍ଧ । ଏଥିରେ ଆଗରୁ ସ୍କାନ ହୋଇଥିବା ବହିଗୁଡ଼ିକ ଆଥରେ ଇଉନିକୋଡ଼କୁ ରୂପାନ୍ତର କରାଯାଉଛି । ଅନେକେ ସ୍ୱେଚ୍ଛାରେ ଅନେକ ଉପାଦେୟ ପୁରୁଣା ବହିର ଲେଖା ଆଉଥରେ ଟାଇପ କରୁଛନ୍ତି । ଫଳରେ ସେ ବହିର ଲେଖାସବୁ ଇଣ୍ଟରନେଟରେ ଖୋଜିଲେ ମିଳିବ ।

ଏମିତି ଅନେକ କାମ ଓଡ଼ିଆରେ ହୋଇସାରିଲାଣି । କିନ୍ତୁ ଆଜି ବି ଆହୁରି ପର୍ବତ ପ୍ରମାଣ କାମ ହେବାକୁ ବାକି । ବ୍ୟକ୍ତିଗତ ମାଲିକାନାରେ ଥିବା ଅନେକ ପୋଥି ଧୀରେ ଧୀରେ ସିନ୍ଦୁରବୋଳା ହୋଇ ଉଇଖିଆ ହୋଇ ଧୀରେ ଧୀରେ ନଷ୍ଟ ହୋଇଯାଉଛନ୍ତି । ଏଭଳି ପୋଥି ପାଠକଙ୍କ ପାଖରେ ଥିଲେ ଲେଖକ ତାହାର ଡିଜିଟାଲ ରୂପ ପାଇଁ ସାହାଯ୍ୟ କରିବାକୁ ଆଗ୍ରହୀ । ଓଡ଼ିଆ ଉଇକିପିଡ଼ିଆରେ ଓଡ଼ିଶା ସମ୍ବନ୍ଧିତ ଅନେକ ଲେଖା ପାଠକମାନେ ତିଆରି କରି ଜଗତର କୋଣ ଅନୁକୋଣରେ ଥିବା ଓଡ଼ିଆଙ୍କୁ ବିଭିନ୍ନ ବିଷୟରେ ଅବଗତ କରାଇପାରିବେ । ଓଡ଼ିଆ ଉଇକିପାଠାଗାରରେ ପୁରୁଣା ବହି, ପାଣ୍ଡୁଲିପି ଓ ପୋଥିର ଡିଜିଟାଲ ରୂପ ପାଇଁ ଓଡ଼ିଆରେ ଟାଇପ କରିବାରେ ପାଠକେ ଅଳପ ଅଳପ ସାହାଯ୍ୟ କଲେ ଇଣ୍ଟରନେଟରୁ ଅନେକେ ଓଡ଼ିଆ ପୁରାତନ ରଚନା ବାବଦରେ ଜାଣିବାକୁ ପାଇବେ । ଅଧିକରୁ ଅଧିକ ଲୋକ ବ୍ଲଗ, ଫେସବୁକ ଆଦିରେ ଓଡ଼ିଆରେ ଟାଇପ କରି କିମ୍ବା ଆକୃତି/ଶ୍ରୀଲିପି ଆଦିରେ ଆଗରୁ ଟାଇପ ହୋଇଥିବା ଲେଖା ବିତରଣ କଲେ ଧୀରେ ଧୀରେ ଅଧିକ ଲୋକ ଓଡ଼ିଆ ପଢ଼ିବାକୁ ପାଇବେ । ଧୀରେ ଧୀରେ ଲୋକେ ଇଣ୍ଟରନେଟରୁ ବିଭିନ୍ନ ବିଷୟ ଜାଣୁଥିବାରୁ ଓଡ଼ିଆରେ ଲେଖା ରହିଲେ ଯାଇ ଲୋକେ ପଢ଼ିବେ ଓ ନିଜେ ଲେଖିବେ ।

ଲେଖକ ପରିଚୟ: ଶୁଭାଶିଷ ପାଣିଗ୍ରାହୀ ଓଡ଼ିଆ ତ‌ଥା ଅନ୍ୟାନ୍ୟ ଭାରତୀୟ ଭାଷାର ଇଣ୍ଟରନେଟରେ ବ୍ୟବ‌ହାର ଉପରେ କାମକରୁଥିବା ଜଣେ ଶିକ୍ଷା-ଗବେଷକ । ଭାଷାର ବ୍ୟାବହାରିକ ଭୂମିରେ ତାଙ୍କର ବିଚରଣ ଓ ଆଧୁନିକ କାରିଗରି ଦ୍ୱାରା ପୁରାତନ ଭାଷାର ବିକାଶ-ଚାରା ରୋପଣ ତାହାଙ୍କ କାମ । ସେ ଅଧୁନା ବେଙ୍ଗାଳୁରୁର ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟିର ଆକ୍ସେସ ଟୁ ନଲେଜ ପ୍ରୋଗ୍ରାମରେ ଭାରତୀୟ ଭାଷାରେ ଉଇକିପିଡ଼ିଆମାନଙ୍କର ବିକାଶ ଲାଗି କାର୍ଯ୍ୟରତ । ଭାଷା ଓ ସଂସ୍କୃତିର ବିକାଶରେ ଇଣ୍ଟରନେଟର ଭୂମିକା ସମ୍ବନ୍ଧରେ ତାଙ୍କର ପ୍ରବନ୍ଧମାନ ଅନେକ ଖବରକାଗଜ ଓ ବିଶ୍ୱସ୍ତରୀୟ ବ୍ଲଗରେ ପ୍ରକାଶିତ । ସେ ଓଡ଼ିଆ ଉଇକିପିଡ଼ିଆ ତଥା ଅନେକ ଉଇକିପିଡ଼ିଆ ସମ୍ବନ୍ଧିତ ବିଶ୍ୱସ୍ତରର ସମୂହର ଏବଂ ମୋଜିଲା ଲୋକାଲାଜେସସନର ସଭ୍ୟ, ଗ୍ଲୋବାଲ

Document Actions