You are here: Home / Openness / Blog / ଅବସର ପରର ଦ୍ବିତୀୟ ଜୀବନ, ଅବସର ପରେ ସକ୍ରିୟ ଭାବେ ଓଡ଼ିଆ ଉଇକିପିଡ଼ିଆରେ ଲେଖାଲେଖି ଜାରୀ ରଖିଥିବା ଜଣେ ଡାକ୍ତରଙ୍କ ସ‌ହ ଭାବାଲୋଚନା

ଅବସର ପରର ଦ୍ବିତୀୟ ଜୀବନ, ଅବସର ପରେ ସକ୍ରିୟ ଭାବେ ଓଡ଼ିଆ ଉଇକିପିଡ଼ିଆରେ ଲେଖାଲେଖି ଜାରୀ ରଖିଥିବା ଜଣେ ଡାକ୍ତରଙ୍କ ସ‌ହ ଭାବାଲୋଚନା

Posted by Subhashish Panigrahi at Sep 10, 2013 06:05 PM |
This is a column about Dr. Subas Chandra Rout, a noteworthy wikipedian who started contributing to Wikipedia articles on Odia Wikipedia related to medical science after retiring as an Orthopedic Specialist-Assistant Professor of a Medical college.
ଅବସର ପରର ଦ୍ବିତୀୟ ଜୀବନ, ଅବସର ପରେ ସକ୍ରିୟ ଭାବେ ଓଡ଼ିଆ ଉଇକିପିଡ଼ିଆରେ ଲେଖାଲେଖି ଜାରୀ ରଖିଥିବା ଜଣେ ଡାକ୍ତରଙ୍କ ସ‌ହ ଭାବାଲୋଚନା

Wikipedian Dr. Subas Chandra Rout (by Santosh Mallik, Wikimedia Commons, CC-BY-SA 3.0)


This guest column by Subhashish Panigrahi was published by Odiapua on September 10, 2013.


(ଶୁଭାଶିଷ ପାଣିଗ୍ରାହୀ)
ଅଧିକାଂଶ ସମୟରେ ଦେଖାଯାଏ ଯେ ଅବସର ପରେ ଚାକିରୀରେ ଥିବା ଲୋକେ ସ୍ଥାଣୁ ହୋଇପଡ଼ନ୍ତି୤ ଅବସର ସମୟ ବିତେ ଟିଭି ଦେଖିବାରେ କିମ୍ବା ଛୋଟ ମୋଟ ଘର କାମ କରିବାରେ୤ ତେବେ ଜୀବନର ଅଧାରୁ ଅଧିକ ସମୟ ଯାହାର କଟିଥିବ ନିଜ ବୃତ୍ତି-ବେଉସା ପାଇଁ ଅବସର ପରେ ତା' ବିନା ବଞ୍ଚିବା କଷ୍ଟକର ହେଉନ‌ଥିବ କି? ଏ ପ୍ରଶ୍ନଟିର ଉତ୍ତର ଦେବା ଆହୁରି କଷ୍ଟ୤ ଅବସରର ଅର୍ଥ ଦୈନନ୍ଦିନ କାମରୁ ବିରତି ନେଇ ସାମାଜିକ, ପାରିବାରିକ ଓ ଜଞ୍ଜାଳହୀନ ଚାକିରୀରୁ ବିରାମ ନେବା୤ ତେବେ ଅନେକଙ୍କ ପାଇଁ ଏ ବିରାମର ମାନେ କିଛି ନ ଥାଏ୤ ଢିଙ୍କି ସ୍ବର୍ଗକୁ ଗଲେ ବି ଧାନ କୁଟିବା ଭଳି କିଛି ଲୋକ ଅବସର ପରେ ନିଜର ଜ୍ଞାନର ପରିସରକୁ ଆହୁରି ପରିବ୍ୟାପ୍ତ କରାନ୍ତି୤ ଚାକିରୀର ବ୍ୟସ୍ତତା ଭିତରେ ଜ୍ଞାନ ବିତରଣର ସୁଯୋଗଟିକ‌କ ଯେଉଁ କେବେ କେବେ ହାତଛଡ଼ା ହେଇଯାଉଥିବ ତାକୁ ବଢ଼ାନ୍ତି୤ ପୁରା ସମ‌ୟକୁ ବିନି‌ଯୋଗ କରନ୍ତି ଅଧିକ ପଢ଼ିବା ଓ ଅଧିକ ଜ୍ଞାନ ବିତରଣ କରିବାରେ୤ ଏମିତି ଜଣେ ଡାକ୍ତର ଡା ସୁବାସ ଚନ୍ଦ୍ର ରାଉତ୤ ଭୁବନେଶ୍ୱରରେ ଅବସ୍ଥାପିତ ଡା. ରାଉତ ଓଡ଼ିଶା ସରକାରଙ୍କ ଅଧୀନରେ ଅନେକ କାଳ କାମ କରିବା ପରେ ଅବସର ନେଇସାରିଛନ୍ତି୤ ସେ କିଛି କାଳ କିମ୍ସ କଲେଜରେ ସ‌ହକାରୀ ପ୍ରଫେସର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି୤ ତାଙ୍କର ଅବସର ସମୟ ବିତୁଥିଲା ବ‌ହି ପଢ଼ାରେ ଓ କବୀରଙ୍କ ଦୋହାବଳୀକୁ ଓଡ଼ିଆରେ ଲେଖିବାରେ୤ ଏହି ପଢ଼ାପଢ଼ି-ଲେଖାଲେଖି ଭିତରେ ଥରେ ତାଙ୍କ ଆଖିରେ ପଡ଼ିଲା ଓଡ଼ିଆ ଉଇକିପିଡ଼ିଆର ଫେସବୁକ ଗ୍ରୁପ୤ ସେଠି ଦେଖିଲେ ଓଡ଼ିଆ ଉଇକିପିଡ଼ିଆରେ ନାନାଦି ପ୍ରସଙ୍ଗ ଲେଖିବା ପାଇଁ ଜଣେ ପ୍ରମୁଖ ସଭ୍ୟ ମୃତ୍ୟୁଞ୍ଜୟ କରଙ୍କର ଆମନ୍ତ୍ରଣ୤ ଜିଜ୍ଞାସୁ ଡାକ୍ତର ମନ ପଚାରିବସିଲା ଉଇକିପିଡ଼ିଆ କଣ, ସେଥିରେ ଜଣେ ସାଧାରଣ ଲୋକର ଭୂମିକା କଣ, କିପରି ଜଣେ ସେଥିରେ ପ୍ରସଙ୍ଗମାନ ଲେଖିପାରିବ୤ ମୃତ୍ୟୁଞ୍ଜୟ ଓ ଅନ୍ୟାନ୍ୟ ସଭ୍ୟଙ୍କ ଆଦର ଓ ସମ୍ମାନ ତାଙ୍କୁ ଆଗଭର କରାଇଲା ଅଧିକ ଜାଣିବା ପାଇଁ ଓଡ଼ିଆ ଉଇକିପିଡ଼ିଆ ବାବଦରେ୤ ନୂଆ ନୁଆ ଜିନିଷ ଶିଖିବାକୁ ମିଳୁଥାଏ୤ ପ୍ରଥମେ ସେ ଏକ ପ୍ରକଳ୍ପ ଉଇକିକଥାରେ ନୂଆ ନୂଆ ଅସୁବିଧାକୁ ସାମ୍ନା କରିବା ଭିତରେ ଡା. ରାଉତ ଆରମ୍ଭ କଲେ ନିଜ ସାରାଜୀବନର ସାଇତା ଚିକିତ୍ସା ବିଜ୍ଞାନ ସମ୍ପର୍କିତ ପ୍ରସଙ୍ଗ ଲେଖିବା୤ ଆରମ୍ଭରେ ଅସୁବିଧା ହେଉଥିଲା ୟୁନିକୋଡ଼ ଓଡ଼ିଆରେ ଟାଇପ କରି ଲେଖିବାରେ୤ ପରେ ଧୀରେ ଧୀରେ ଅଧିକ ଲେଖୁ ଲେଖୁ ବାଟ ହୁଡ଼ୁଥିବା ଲୋକଟି ପାଲଟିଗଲା ପଟୁ ଲେଖାଳୀ୤ ୪୨ ଟି ନୂଆ ପ୍ରସଙ୍ଗ ତିଆରିଥିବା ଓ ଅନେକ ପ୍ରସଙ୍ଗକୁ ଶତାଧିକ ଥର ସମ୍ପାଦନା କରିଥିବା ଡା. ରାଉତ କହନ୍ତି, 'ବାକି ଉଇକିଆଳିଙ୍କ ଶ୍ରଦ୍ଧା, ସମ୍ମାନ ଓ ସହଯୋଗ ପାଇଁ ମୁଁ ଆଜି ମୋର ପୁରା ଅବସର ଜୀବନ ଓଡ଼ିଆ ଉଇକିପିଡ଼ିଆ ଲେଖିବାରେ ବିନିଯୋଗ କରିଦେଇଛି୤' ଅଗଷ୍ଟ ୭ ରୁ ୧୧ ଯାଏଁ ହଂକଂଠାରେ ଜଗତର ୨୮୬ ରୁ ଅଧିକ ଭାଷାରେ ଉଇକିପିଡ଼ିଆରେ ସମ୍ପାଦନା କରୁଥିବା ଉଇକିଆଳିଙ୍କ ସମାବେଶ "ଉଇକିମାନିଆ ୨୦୧୩"ରେଯୋଗଦାନ କରିଥିବା ଉଇକିଆଳିଙ୍କ ଭିତରୁ ଜଣେ ମାତ୍ର ଓଡ଼ିଆ ଥିଲା ଏ ଲେଖକ୤ ସେଠାରେ ଡା ସୁବାସ ରାଉତଙ୍କ ଭଳି ଆହୁରି କେତେ ଜଣ ବୟୋଜ୍ୟେଷ୍ଠ ଉଇକିପିଡ଼ିଆ ସମ୍ପାଦକଙ୍କ ସହ ଭେଟିବାର ସୁଯୋଗ ମିଳିଥିଲା୤ ଆଗାମୀ ଉଇକିମାନିଆ ଯାହା ଲଣ୍ଡନରେ ଅନୁଷ୍ଠିତ ହେଉଛି ସେଥିରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ଡା. ରାଉତ୤ ସେ ଭୁବନେଶ୍ୱରରେ ଥିବା ବାକି ଯୁବ ସମ୍ପାଦକଙ୍କୁ ଏକାଠି କରି ଅଧିକରୁ ଅଧିକ ସଚେତନତା ତଥା ଓଡ଼ିଆ ଉଇକିପିଡ଼ିଆରେ ସମ୍ପାଦନା କରିବା ବାବଦରେ କର୍ମଶାଳାର ଆୟୋଜନ କରୁଛନ୍ତି୤ ସହଜରେ ଓଡ଼ିଆରେ ଲେଖିବା ପାଇଁ ଓଡ଼ିଆ ଉଚ୍ଚାରଣକୁ ନେଇ "ଲେଖନୀ" ନାମରେ ଏକ କି-ବୋର୍ଡ଼ ଲେଆଉଟ ଆମେମାନେ ତିଆରି କରିଥିଲୁ ଯାହା ସହାୟତାରେ କୌଣସି ବି ବ୍ୟକ୍ତି ଓଡ଼ିଆରେ ଟାଇପ କରିପାରିବ୤ ଏଥିରେ ଥିବା ନାନାଦି ଅସୁବିଧାକୁ ଜଣାଇବାରେ ଡା. ରାଉତଙ୍କ ଅବଦାନ କିଛି କମ ନୁହେଁ୤ ଏହା ନିର୍ଭୁଲ ଓଡ଼ିଆ ଟାଇପିଂରେ ସହାୟକ ହେଉଛି୤ ଚାକିରୀ ପରର ଅବସର ଜୀବନ ତାଙ୍କର କଟୁଛି ଉଇକିପିଡ଼ିଆରେ ଡାକ୍ତରୀ ବିଷୟ ସମ୍ପର୍କିତ ପ୍ରସଙ୍ଗ ସମ୍ପାଦନା ଓ କିଛି ମାତ୍ରାରେ କବୀର ଦୋହାର ଓଡ଼ିଆ ଅନୁବାଦ କରିବାରେ୤ ବିଳମ୍ବରେ ଉଇକିପିଡ଼ିଆ ବାବଦରେ ଜାଣିଲେ ବୋଲି କହି ମନ ଉଣା କରି ସେ କହନ୍ତି, “ଆଗରୁ ଜାଣିଥିଲେ ହୁଏତ ଆହୁରି କେତେ ଗୁଡ଼ିଏ ପ୍ରସଙ୍ଗରେ ଲେଖିପାରିଥାନ୍ତି"୤ ନିଜର କୁନି ନାତୁଣୀ ସହିତ ଟିକେ ଖେଳିବା ବ୍ୟତୀତ ବାକି ସମୟ ସେ ଏମିତି ଜଣେ ସ୍ୱର୍େଚ୍ଛାସେବୀ ଭାବରେ ଓଡିଆରେ ଜ୍ଞାନର ବିତରଣର ସବୁଠୁ ବିଶାଳ ମାଧ୍ୟମ ଉଇକିପିଡ଼ିଆରେ ସମ୍ପାଦନାରେ ସମୟ କାଟିବେ ବୋଲି କହନ୍ତି ଡା ସୁବାସ ଚନ୍ଦ୍ର ରାଉତ୤

ଲେଖକଙ୍କ ବାବଦରେ: ସୁଭାସିସ ପାଣିଗ୍ରାହୀ ଓଡ଼ିଆ ଉଇକିପିଡ଼ିଆ ସ‌ହିତ ୩ ବର୍ଷ ଧରି ଜଡ଼ିତ ଅଛନ୍ତି୤ ଅତୀତରେ ସେ ଉଇକିମିଡ଼ିଆ ଫାଉଣ୍ଡେସନରେ କମ୍ୟୁନିଟି ଓ ପ୍ରୋଗ୍ରାମ ସ‌ପୋର୍ଟ କନସଲଟାଣ୍ଟ ଭାବେ କାମ କରିଛନ୍ତି୤ ଅଧୁନା ସେ ବାଙ୍ଗାଲୋରଠାରେ  ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟିର ଆକ୍ସେସ ଟୁ ନଲେଜରେ ପ୍ରୋଗ୍ରାମ ଅଫିସର ଭାବରେ ଅବସ୍ଥାପିତ୤ ସେଠାରେ ସେ ଭାରତୀୟ ଭାଷାର ଉଇକିପିଡ଼ିଆ ଓ ସେଥିରେ ପ୍ରସଙ୍ଗ ଲେଖୁଥିବା ସ୍ୱେଚ୍ଛାସେବୀ ସମ୍ପାଦକମାନଙ୍କର ବିକାଶ ନିମନ୍ତେ କାର୍ଯ୍ୟରତ୤ ଟେକ୍ନୋଲୋଜି କ୍ଷେତ୍ରରେ ବିକାଶ ଓ ଓଡ଼ିଆ ଭାଷାର କମ୍ପ୍ୟୁଟରୀକରଣ ସମ୍ବନ୍ଧରେ ତାଙ୍କର ଅନେକ ଲେଖା ନାନାଦି ସମ୍ବାଦପ୍ତ୍ର ଓ ପ‌ତ୍ରପ‌ତ୍ରିକାରେ ପ୍ରକାଶିତ୤ ତାଙ୍କୁ [email protected]ରେ ଇ-ମେଲ ଯୋଗେ ଯୋଗାଯୋଗ କରା‌ଯାଇପାରିବ୤