ଓଡ଼ିଆ ଭାଷା ବିକାଶର ରାସ୍ତା

Posted by Subhashish Panigrahi at Jul 23, 2014 08:30 AM |
The column was published in Odia newspaper The Sambad's editorial. It shows a comparative analysis of Odia language with other languages — both linguistic and usability in digital platforms. The article also emphasizes on various aspects that need advancements.

Odia bhasa bikasara rasta

The text below is the unedited version which was submitted for publication. For an edited version published by the Sambad on July 21, 2014, click here. Download the PDF here.


ଓଡ଼ିଆ ଭାଷା ତାହାର ୨,୫୦୦ ବର୍ଷର ଭାଷାଭିତ୍ତିକ ନଥିକରଣ ଓ ଆହୁରି କେଇ ହଜାର ବର୍ଷର ନଥିକରଣ ହୋଇନଥିବା ଇତିହାସ, ବାକି ଭାଷାମାନଙ୍କଠାରୁ ଖୁବ କମ ପ୍ରଭାବିତ ହୋଇ ଏକ ନିଆରା ଭାଷା ଭାବେ ନିଜେ କେତେ ହଜାର ବର୍ଷ ଧରି ବଢ଼ିଥିବାର ପ୍ରମାଣକୁ ଆଧାର କରି, ଏହି ବର୍ଷ ଫେବ୍ରୁଆରି ୨୦ ତାରିଖରେ ଶାସ୍ତ୍ରୀୟ ମାନ୍ୟତା ପାଇଲା । ଏଠାରେ ଗୋଟିଏ ବିଷୟ ବାରିହୋଇପଡ଼େ, ତାହା ହେଲା ଓଡ଼ିଆ ନିଶ୍ଚିତ ଭାବେ ବାକି ଭାରତୀୟ ଭାଷାମାନଙ୍କ ଠାରୁ ପୁରୁଣା ଓ ଅଧିକ ସମୃଦ୍ଧ । ଅଧିକନ୍ତୁ ଅନେକ ଭାଷାରେ ଯେଉଁଠି କାଳ୍ପନିକ କବିମାନଙ୍କ ରଚନାର ଆଧାର ଅତୀତରେ ରାଜନୈତିକ ଚାପ ବଳରେ ଶାସ୍ତ୍ରୀୟ ମାନ୍ୟତା ହାସଲ କରାଯାଇଥିଲା ସେଠାରେ ଓଡ଼ିଶାରେ ରାଜ୍ୟ ଓ କେନ୍ଦ୍ରରେ ଭିନ୍ନ ଭିନ୍ନ ରାଜନୈତିକ ଦଳ ଥିବା ସତ୍ତ୍ବେ ମଧ୍ୟ ଓଡ଼ିଆକୁ ଶାସ୍ତ୍ରୀୟ ବୋଲି ମାନିବାକୁ ଶାସ୍ତ୍ରୀୟ ଭାଷା କମିଟି ବାଧ୍ୟ ହେଲା । ତେବେ ଅନ୍ୟଭାଷାକୁ ଆଢ଼ୁଆଳ କରି ନିଜ ଭାଷା ଆଡ଼େ ଆମେ ନିରେଖି ଦେଖିଲେ ଏହାର ଏହି ଲମ୍ବା ଇତିହାସକୁ ଆଗକୁ ବଢ଼ାଇବା ପାଇଁ ବର୍ତମାନ ପାଇଁ କିଛି ବିରାଟ ଆବଶ୍ୟକତା ମଧ୍ୟ ଆମେ ଆଖିରେ ପଡ଼ୁଛି । ଭାଷାଟିଏ କେବଳ ପୁରାତନ ହେଲେ ଚଳିବ ନାହିଁ । ଯେଉଁ ଭାଷାର ବ୍ୟବହାର ଯେତେ ଅଧିକ, ଯେଉଁ ଭାଷା ଯେତେ ଜନାଦୃତ, ଯେଉଁ ଭାଷା ଜଗତରେ ବାକି ଭାଷାମାନଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଚାଲିଛି, ଯେଉଁ ଭାଷା କମ୍ପ୍ୟୁଟରରେ ଯେତେ ବ୍ୟବହାରଯୋଗ୍ୟ, ସେ ଭାଷା ସେତେ ଉନ୍ନତ । ଯଦି ମାଣ୍ଡାରିନ ଭାଷାଭାଷୀ ଲୋକେ ନିଜ ଭୂମିର ସବୁତକ ଥାନରେ ନିଜ ଭାଷା ଆଉ ଲିପିର ବ୍ୟବହାରକୁ କଡ଼ାକଡ଼ି କରିନଥାନ୍ତେ, ଯଦି ଜର୍ମାନଭାଷୀଏ "ୟେସ ସାର" କରି ଇଂରାଜୀକୁ ସହଜରେ ଗ୍ରହଣ କରିନେଇଥାନ୍ତେ, ତେବେ ସେ ଭାଷାସବୁ ଯେତେ ପୁରାତନ ହୋଇଥିଲେ ବି, କଦାପି ସେ ଭାଷାରେ ଆଜି 'ସି' ଆଉ 'ଜାଭା' ଆଦି କମ୍ପ୍ୟୁଟର ଲାଙ୍ଗୁଏଜ ତିଆରି ହୋଇନଥାନ୍ତା । ଥୋକେ ଯେଉଁ କେଇ ବର୍ଷ ତଳେ ପ୍ରଚାର ଆରମ୍ଭ କଲେ ସଂସ୍କୃତ ହେଉଛି କମ୍ପ୍ୟୁଟରରେ ସବୁଠାରୁ ଅଧିକ ବ୍ୟବହାରଯୋଗ୍ୟ ସେ ଫସର ଫାଟିଗଲା କେବଳ ତାହାର ସାଧାରଣ ଜନଜୀବନରେ ବ୍ୟବହାର ନ ଥିବାରୁ । ଭାଷାଟିର ବ୍ୟବହାର ନ ହୋଇ ଏହା ଯେ କେବଳ ସାଂସ୍କ୍ରିଟ ଟୁଲ ଆଉ କିଛି ବିଶ୍ୱବିଦ୍ୟାଳୟ ଏବଂ ପୂଜାପଟଳ କରି ଜୀବିକା ବଞ୍ଚାଉଥିବା ଯଜମାନଙ୍କ ପାଇଁ ଅଧୁନା ବଞ୍ଚିଛି ତାହା ଜଳ ଜଳ ଦିଶୁଛି । ଏଇ ନିକଟରେ, ୨୦୧୦ରେ, ଆଣ୍ଡାମାନର "ବୋ" ଭାଷାଟି ସମାଧି ନେଲା ସେ ଭାଷା କହୁଥିବା ଶେଷ ମାନବୀ ବୋଆ ସିନିଅରଙ୍କ ଦେହାନ୍ତ ସାଙ୍ଗରେ । ଭାଷା ବ୍ୟବହାର ଅଭାବର ଗରଳ ଧୀରେ ଧୀରେ ଏମିତି ଅନେକ ଭାଷାକୁ ମାରୁଛି ଯେଉଁଠି ସେ ଭାଷାମାନଙ୍କର ବିଶାଳ ଇତିହାସ କିମ୍ବା ପୁରାତନପଣ ତାହାକୁ ବଞ୍ଚାଇ ପାରୁନାହିଁ । ତେବେ ରାଜନୈତିକ ଇଚ୍ଛାଶକ୍ତିର ଇନ୍ଧନରେ ଅନେକ ଭାଷା ନାହିଁରୁ ଯେ କାହିଁ ହୋଇଛନ୍ତି ତାହା ଆମେ ଅସ୍ୱୀକାର କରିପାରିବା ନାହିଁ । ତେବେ ଏବେ ବେଳ ଆସିଛି ଅନୁଶୀଳନ କରିବାର କି, ଓଡ଼ିଆ ଭାଷାର ବିକାଶ ଓ ଜଗତର ବାକି ଅଧିକ ବ୍ୟବହୃତ ଭାଷାମାନଙ୍କ ସମକକ୍ଷ ହେବା ପାଇଁ ପ୍ରତିବନ୍ଧକ କଣ ରହିଛି ।

ଓଡ଼ିଆ ଭାଷା ଯେଉଁ ଶାସ୍ତ୍ରୀୟ ମାନ୍ୟତା ପାଇବା ପଛରେ ତାହାର ସବୁଠାରୁ ଦମ୍ଭିଲା କାରଣଟି ହେଉଛି ଏହାର ନିଆରାପଣ । ଓଡ଼ିଆ ଭାଷା ଏ ଦୀର୍ଘ କେଇ ବର୍ଷର ଇତିହାସରେ ଯେ ଆଉ ଭାଷାଠାରୁ ପ୍ରଭାବିତ ହୋଇନାହିଁ ତା' ନୁହେଁ । ହେଲେ, ସେ ପ୍ରଭାବ ନଗଣ୍ୟ । ବରଂ ଓଡ଼ିଆ ନିଜର ପଡ଼ୋଶୀ ଭାଷାମାନଙ୍କୁ ତାଠାରୁ କେଇଗୁଣା ଅଧିକ ପ୍ରଭାବିତ କରିଛି ଯାହା ବୋଧେ ଆମ ଇତିହାସରେ ଲିଖିତ ହୋଇନାହିଁ ସ୍ପଷ୍ଟ ଭାବରେ । ହେଲେ ଓଡ଼ିଆର ସୂତା ଲମ୍ବିଛି କଳିଙ୍ଗର ସେଇ କାଳକୁ ଯେଉଁକାଳେ ଏହାର ସାଧବ ପୁଅ ସମଗ୍ର ଦକ୍ଷିଣ ଏସିଆରେ ନିଜର ପତିଆରା ଜାରି ରଖିବାରେ ସଫଳ ହୋଇଥିଲେ ଏକ ବଣିକ ଜାତି ଭାବରେ । କେବଳ ପାଟଲୁଗା ନୁହେଁ, ଏଠାର ଭାଷା, ଚଳଣି, ପାର୍ବଣଠାରୁ ଆରମ୍ଭ କରି ମନ୍ଦିର ଓ ସଉଧ ନିର୍ମାଣ ଶୈଳୀଯାଏ ଦରିଆପାରି ଦେଶମାନଙ୍କୁ ଯାଇଥିଲା । ଆଜି ଦକ୍ଷିଣ ଏସିଆର ଲୋକଙ୍କ ମୁଣ୍ଡିଆ ମାରିବା ହେଉ କି ସେମାନଙ୍କ ଖାଦ୍ୟର ଚାଉଳ ବହୁଳ ବ୍ୟବହାର ହେଉ କିମ୍ବା ଜଗତର ବିଶାଳତମ ମନ୍ଦିର ଆଙ୍ଗକ ଓରର ସ୍ଥାପତ୍ୟରେ କଳିଙ୍ଗ ମନ୍ଦିରର ପରିପାଟୀ ହେଉ, ଏସବୁ ଆମକୁ ନିଜର ନିଜର ଲାଗିବା ପଛରେ ରହିଛି ଆମ ବଡ଼ବଡ଼ୁଆଙ୍କ ସମ୍ବନ୍ଧଟି । ଅନେକ ଦକ୍ଷିଣ ଏସିଆର ଭାଷାରେ କ୍ଳିଙ୍ଗ, କେଲିଙ୍ଗ ଆଦି ଶବ୍ଦର ବ୍ୟବହାର ତ ଆମ ଭୂଖଣ୍ଡର ଏ ଦେଶସମୂହଙ୍କ ପାଇଁ ଅବଦାନର ଆଉ ଏକ ନମୂନା । ତେବେ ଆମର ପୂର୍ବପୁରୁଷ ଯେଉଁ ସବୁ ଦେଶରେ ନିଜର ଉପନିବେଶମାନ ଗଢ଼ିଥିଲେ, ସେଠାର ଭାଷାସବୁ ନିଜ ଭାଷାକୁ ପିନ୍ଧାଲୁଗା କରି ଜଡ଼ାଇ ଧରିବା ବଳରେ ଆଜିର ଯୁବସମାଜ ସେଠାରେ ମୋବାଇଲରେ ନିଜ ଭାଷାରେ ଗେମ ଖେଳୁଛନ୍ତି । ଆଜି ବି ଇଉରୋପ ଆଉ ଆମେରିକା ସେମାନଙ୍କୁ ଭେଦ କରିବାରେ ବିଫଳ ହୋଇଛନ୍ତି ସେମାନଙ୍କର ଏହି ଭାଷା ଆଉ ନିଜ ଚଳଣିର ଦମ୍ଭିଲା ନିଅଁଟି ଲାଗି । ଭାଷା ଯେ କେବଳ କଥା ବାର୍ତ୍ତାର ଏକ ମାଧ୍ୟମ ଆଉ ତାର ଆମ ଜୀବନର ଆଉ କିଛି ଅବଦାନ ନାହିଁ ଏ କଥା ଭାବିବାଠୁ ବଳି ଆଉ ଭୁଲ ନାହିଁ । ପର୍ତ୍ତୁଗୀଜ ପାଦ୍ରିଏ ଗୋଆରେ ପାଦ ଥାପୁ ଥାପୁ ପ୍ରଥମେ ଯାହା ଶିଖିଲେ ତାହା ହେଲା କୋଙ୍କଣୀ ଭାଷା । ସେଥିଲାଗି ସେ ଭାଷାର ପ୍ରଥମ ଛପା ଗ୍ରନ୍ଥଟି ହେଲା ବାଇବେଲର ଟେଷ୍ଟାମେଣ୍ଟ । ଏପରିକି ଆମ ଓଡ଼ିଆ ଭାଷା ଆଉ ଅନେକ ଭାରତୀୟ ଭାଷାର ପ୍ରଥମ ଛପା ବହି ବାଇବେଲ । କାରଣ ହେଉଛି ଭାଷା ହେଉଛି ଏକ ଜନଜାତିର ଦାଣ୍ଡଦୁଆର । ସେ କବାଟ ଫିଟିଲେ ଯାଇ ଘର ଭିତରକୁ ଯିବା ସମ୍ଭବ । ଏ କଥାଟି ଭଲା ଆମ ନେତାଗଣ ଥରେ ଚେତିଥାନ୍ତେ! ରାଜନୈତିକ ପୃଷ୍ଠପୋଷକତାରେ ଆମ ଭାଷା କାହିଁ କେତେ ଉଚ୍ଚକୁ ଉଠିଥାନ୍ତା! ତେବେ ଓଡ଼ିଆକୁ ଦମ୍ଭିଲା କରିବାକୁ ଯେଉଁ ମୂଳ କେତୋଟି ରୂହ ନିହାତି ଲୋଡ଼ା ସେ ଯଥାକ୍ରମେ ହେବେ ଭାଷାକୁ ସରକାରୀ ସ୍ତରରେ ବାଧ୍ୟତାମୂଳକ କରି ସରକାରୀ ନଥିକରଣରେ ବ୍ୟବହାର, ଭାଷାର ବହୁଳ ବ୍ୟବହାରକୁ ବ୍ୟାପକ କରିବାର ସାଧନ ତିଆରି ଓ ଶେଷରେ ଭାଷା ସମ୍ବନ୍ଧରେ ଅଧିକ ଗବେଷଣା ଓ ଭାଷା ଶିକ୍ଷା ନିମନ୍ତେ ଅଧ୍ୟୟନ କେନ୍ଦ୍ରର ପ୍ରତିଷ୍ଠା ସହିତ ଓଡ଼ିଆରେ ସ୍ନାତକମାନଙ୍କ ଲାଗି ଅଧିକ ସ୍ୱଚ୍ଛଳ ଚାକିରୀ ।

ପ୍ରଥମ କଥାଟି ବିଚାରିବା । ଏକ ବିଡ଼ମ୍ବିତ ବେଳାରେ ଓଡ଼ିଆ ବଦଳରେ ଇଂରାଜୀରେ ନଥିକରଣ କରାଯିବାର ଏକ ସିଦ୍ଧାନ୍ତ ଓଡ଼ିଶା ସରକାରଙ୍କ ତରଫରୁ ନିଆଯାଇଥିଲା । ଏତେସଂଖ୍ୟକ ସଭ୍ୟଙ୍କ ଉପସ୍ଥିତିରେ କିପରି ଯେ ସେତେବେଳେ ଏହା ବିଧାନସଭାରେ ଗୃହୀତ ହୋଇଥିଲା ତାହା ନିଶ୍ଚେ ଆଲୋଚନାର ବିଷୟ, କିନ୍ତୁ ତା' ଠାରୁ ଆହୁରି ଗୁରୁ ବିଷୟ ହେଉଛି ସେଇ ନିୟମର ସଂଶୋଧନ କରି ଓଡ଼ିଶାରେ ସମସ୍ତ ସରକାରୀ ନଥିକରଣ ଓଡ଼ିଆ ଭାଷାରେ ଓ ଓଡ଼ିଆ ଲିପିରେ କରିବା ବାଧ୍ୟତାମୂଳକ କରିବା । ଆମ ଦେଶର ଅନେକ ରାଜ୍ୟରେ ସରକାରୀ କାମ ପାଇଁ ସ୍ଥାନୀୟ ଭାଷାର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ବାଧ୍ୟତାମୂଳକ । ତାମିଲନାଡ଼ୁ ଭଳି ରାଜ୍ୟରେ ଏହା ଏତେ ଅଧିକ କଡ଼ାକଡ଼ି ଯେ ଅଣ-ତାମିଳ ଆଇଏସ ଅଫିସରମାନେ ମଧ୍ୟ ତାମିଳ ବୁଝିବା, ପଢ଼ିବା ଓ ଲେଖିବାକୁ ବାଧ୍ୟ । ସରକାରୀ ଭାବେ ନିୟମଟିଏ ପ୍ରଣୟନ ହେଲେ ତାହା ଭାଷାର ବ୍ୟବହାରରେ କେତେ ଯେ ସାହାଯ୍ୟ କରେ ତାହା ଏଥିରେ ସହଜରେ ଅନୁମିତ ହେବ । ସରକାରୀ କଳର ନଥିକରଣ ଯଥା: ଅଫିସରେ ଓଡ଼ିଆ ଭାଷାରେ ଲେଖାପଢ଼ା, କିରାଣୀମାନଙ୍କ ଖାତାଆଦିରେ ଲେଖାରେ ଓଡ଼ିଆର ବ୍ୟବହାର, କୋର୍ଟ-କଚେରିରେ ଓଡ଼ିଆରେ ବିଚାର-କାରବାର, ସ୍କୁଲ କଲେଜରେ ଓଡ଼ିଆରେ ରଚନାଲେଖାଠାରୁ ଆରମ୍ଭ କରି ନିୟମିତ ନାନାଦି ଭାଷା ସମ୍ବନ୍ଧିତ ପ୍ରତିଯୋଗିତା ଆଦିର ଆୟୋଜନ କଲେ ଧୀରେ ଧୀରେ ସମସ୍ତ ସ୍ତରରେ ଓଡ଼ିଆର ବ୍ୟବହାର ବଢ଼ିବ । ସାଇନବୋର୍ଡ଼ରେ ଲିପିର ବ୍ୟବହାର ବାବଦରେ କର୍ଣ୍ଣାଟକର ଉଦାହରଣ ନିଆଯାଇପାରେ । ଏହା ବାଧ୍ୟତାମୂଳକ କରାଯିବା ଫଳରେ ଜଣେ ସାଧାରଣ ଅଣ-କର୍ଣ୍ଣାଟକର ଲୋକକୁ କନ୍ନଡ଼ ପଦେ ଶିଖିବାକୁ ପଡ଼ୁଛି । କିନ୍ତୁ ଓଡ଼ିଶାରେ ବାଧ୍ୟତାମୂଳକ ନଥିବା ହେତୁ ବାହାରୁ ଲୋକଟିଏ ଆସିଲେ ହିନ୍ଦୀରେ କହିଲେ ଚଳିଯାଉଛି । ଭାଷା ପାଇଁ ସଚେନତତା ତିଆରି କରି ଯାହା ପୁରୁଷେରେ ହୁଏତ ସମ୍ଭବ ହେବନାହିଁ ତାହା ବରଷେରୁ ଉଣା ସମୟରେ ସରକାରୀ ନିୟମଟିଏ ତିଆରି କରି ହୋଇପାରିବ ।  ଯଦି ବେଙ୍ଗାଳୁରୁର ମିଠାଦୋକାନୀଟିଏ ଓଡ଼ିଆ ଲିପିରେ "ଓଡ଼ିଶା ପ୍ରସିଦ୍ଧ ପାହାଳ ରସଗୋଲା" ଲେଖିପାରୁଛି ତାହେଲେ ନାମୀ ଦାମୀ ବ୍ରାଣ୍ଡର ଦୋକାନରେ ବଡ଼ ବଡ଼ ଓଡ଼ିଆ ସାଇନ ବୋର୍ଡ଼ କାହିଁକି ରହିବ ନାହିଁ? ଅଧିକନ୍ତୁ ସରକାରୀ ୱେବସାଇଟର ତଥ୍ୟସମୂହ ମଧ୍ୟ ଓଡ଼ିଆରେ ରଖିବା ଜରୁରୀ । ଯଦି ସରକାର ଏଥିରେ କିଛି ଅର୍ଥ ଖର୍ଚ୍ଚ କରି କରନ୍ତି ତାହେଲେ ମଧ୍ୟ ତାହାର ମୂଲ୍ୟ ଅଛି, କାରଣ ଯଦି ସାଧାରଣ ନାଗରିକ ବାପୁଡ଼ାଟି ଇଣ୍ଟରନେଟରେ ଓଡ଼ିଆରେ ତଥ୍ୟ ପାଇପାରିଲା ତାହାଠାରୁ ବଳି ବଡ଼ ଜିନିଷ ଆଉ କିଛି ଅଛି? ଯେଉଁ ଇ-ଗଭର୍ଣ୍ଣାସ ବାବଦରେ କୋଟି କୋଟି ଖର୍ଚ୍ଚ ହୋଇଛି ଆଉ ହେଉଛି ତାହାର ମୂଳ ସୋପାନ ହେଉ ଓଡ଼ିଆରେ ସମସ୍ତ ଅନୁବାଦ ଆଦି କରି ୱେବସାଇଟ ଓ ତଥ୍ୟ ଓଡ଼ିଆରେ ଉପଲବ୍ଧ କରାଇବା ।

ଗଳିକନ୍ଦିରେ ସ୍ଥାନୀୟ ଲୋକଙ୍କୁ ନେଇ ନାଟକ ଆଦିର ପରିବେଷଣ ଏକ ବିଷୟକୁ ଲୋକଙ୍କ ସାମନାକୁ ଆଣିବାର ଆଉ ଏକ ବିରାଟ ମାଧ୍ୟମ । ଦିଲ୍ଲୀ ଗଣଧର୍ଷଣ ପରେ ସେଠାରେ ସଙ୍ଗଠନ ଓ ଜନସାଧାରଣ ଏତେ ସଂଖ୍ୟାରେ ସଚେତନତାମୂଳକ ନାଟକମାନ ପରିବେଷଣ କରିଥିଲେ ଯେ ତାହା ସ୍ଥାନୀୟ ଲୋକଙ୍କ ମନରେ ଲମ୍ବା ସମୟ ପାଇଁ ଗଭୀର ପ୍ରଭାବ ପକାଇବାରେ ସାହାଯ୍ୟ କରିଥିଲା । ଜନଗଣଙ୍କ ପାଖରେ ଆଉ ଏକ ଜିନିଷ ବହୁ ଅଧିକ ପ୍ରଭାବ ପକାଇଥାଏ । ତାହା ହେଲା ବିଜ୍ଞାପନ ବା ଆଡ଼ । ବିଜ୍ଞାପନ ଦେଖି କେତେଜଣ ସାବୁନ ବା ସାମ୍ପୁ କିଣନ୍ତି ତାହା ମାର୍କେଟ ସର୍ଭେ କରୁଥିବା କମ୍ପାନି କହିପାରିବେ । ହେଲେ ସେଥିରେ ଯୁବକଯୁବତୀଙ୍କ ଭଳି ହରେକ ରକମର ପୋଷାକ ପିନ୍ଧିବା କିବା ସେମାନଙ୍କ ଭଳି ଚଷମାଟେ ମୁଣ୍ଡରେ ଟେକି ଲଗାଇବା ଯେ ଆମ ଅଜାଣତରେ ଆମ ଭିତରକୁ ଆସୁଛି ଏ କଥା ଲେଖକ ହଲପ କରି କହିପାରେ । ଆମ ଓଡ଼ିଆ ବିଜ୍ଞାପନ ଯାହା ଟିଭିରେ ଦେଖିବାକୁ ମିଳୁଛି ସେସବୁର ଭାଷାର ନିମ୍ନ ମାନ ଦେଖିଲେ ଲାଗେ ଯେ ଏ ଚାଲୁ ଭାଷା ଆଉ କିଛି କାଳ ଚାଲିଲେ ଆମ ଭାଷାର ଥାଳରୁ ଅକ୍ଷରମାନ ବି ଚଳୁ ହେଇଯିବ । ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ କିଛି ବିଜ୍ଞାପନ ତିଆରି କରାଯାଇପାରନ୍ତା ଆଉ ଭାଷା ଶିକ୍ଷାରେ ଯୁଗଟିଏ ଆଣନ୍ତା ଗଣଶିକ୍ଷା ବିଭାଗ ତରଫରୁ କିଛି ମାଗଣା ଓଡ଼ିଆ ଶିକ୍ଷା ଲାଭ ପାଇଁ ସହଜ ଶିକ୍ଷଣ ଓ ତା'ର ମାଗଣା ବିତରଣ । ଚତୁର ବିନୋଦଠାରୁ ଆରମ୍ଭ କରି ଅବୋଲକରା କାହାଣୀ ଯାଏ ଆମ ସାହିତ୍ୟର ନାନାଦି ଜଣାଶୁଣା ସାହିତ୍ୟକୁ ଆନିମେସନ ଫିଲ୍ମ, ଗ୍ରାଫିକ ନଭେଲ, କମ୍ପ୍ୟୁଟର ଗେମ ଆଦି ତିଆରି କରାଗଲେ ଆଜିର ପିଲାଠୁ ବୁଢ଼ାଙ୍କର ଅବଚେତନରେ ଓଡ଼ିଆ ଭାଷା ଓ ବିଶେଷ କରି ଶୁଦ୍ଧ ଭାଷା ଆବୋରି ବସିବ  । ଓଡ଼ିଆ ହେଉଛି ସେହି ଭାରତୀୟ ଭାଷାମାନଙ୍କ ଭିତରୁ ଗୋଟିଏ ଯେଉଁଥିରେ ଖୁବ କମ ଲେଖାଲେଖି ଇଣ୍ଟରନେଟରେ ଉପଲବ୍ଧ । କାରଣ ହେଉଛି ଓଡ଼ିଶାରେ ଖବରକାଗଜଠାରୁ ଆରମ୍ଭ କରି ସରକାରୀ ପ୍ରକାଶନ ପର୍ଯ୍ୟନ୍ତ ଶହେରୁ ଶହେ ପ୍ରକାଶନ ଓଡ଼ିଆରେ ଟାଇପ କରିବା ପାଇଁ ଏକ ଅଣ-ଇଉନିକୋଡ଼ରେ ଫଣ୍ଟ ବ୍ୟବହାର କରିଥାନ୍ତି । ଇଉନିକୋଡ଼ ଏକ ବିଶ୍ୱଶ୍ରେଣୀର ମାନକ ଯାହା ଉଣାଅଧିକେ ସମସ୍ତ କମ୍ପ୍ୟୁଟରରେ ଫଣ୍ଟଟିଏ ଡାଉନଲୋଡ଼ ନ କରି ବି ପଢ଼ିହୁଏ । କିନ୍ତୁ ଅଣ-ଇଉନୋକୋଡ଼ରେ ଲେଖା ହୋଇଥିବା ପାଠ ପଢ଼ିବା ପାଇଁ ଫଣ୍ଟଟିଏ ଡାଉନଲୋଡ଼ କରିବାକୁ ପଡ଼େ ଯାହା ଏକ ପାଠକ ପାଇଁ କେବଳ କଷ୍ଟକର ନୁହେଁ ବରଂ କପିରାଇଟର ମଧ୍ୟ ଉଲ୍ଲଙ୍ଘନ । ଇଉନିକୋଡ଼ ଫଣ୍ଟରେ କମ୍ପୁଟରରେ ଆଗରୁ ଇନଷ୍ଟଲ ହୋଇ ଆସୁଥିବାରୁ ସେଥିରେ ସହଜରେ ଓଡ଼ିଆରେ ଲେଖାପଢ଼ା ହୋଇପାରେ । ଓଡ଼ିଆରେ ଅଧୁନା ସବୁଠାରୁ ଅଧିକ କଣ୍ଟେଣ୍ଟ ଥିବା ୱେବସାଇଟ ହେଉଛି ଓଡ଼ିଆ ଉଇକିପିଡ଼ିଆ । ଏକ ଖୋଲା ଲାଇସେନ୍ସରେ or.wikipedia.org ରେ ଉପଲବ୍ଧ ଏହି ଅନଲାଇନ ଜ୍ଞାନକୋଷରେ ପ୍ରସଙ୍ଗମାନ ସାଧାରଣ ଲୋକଙ୍କ ଦ୍ୱାରା ତିଆରି ହୋଇ ସମ୍ପାଦିତ ହୋଇଥାଏ । ଯେଉଁ ସ୍ଥାନରେ ଅନେକେ ପ୍ରଶ୍ନ ଉଠାନ୍ତି କାହିଁକି ଜଣେ ସାଧାରଣ ଲୋକକୁ ସମ୍ପାଦନାର ଗୁରୁଭାର ଦିଆଯିବ ସେଠାରେ ଏକ ବ୍ୟବସ୍ଥିତ ପରିବେଶରେ ଆଗରୁ ପ୍ରକାଶିତ ଲେଖାମାନଙ୍କର ଆଧାରରେ ଉଇକିପିଡ଼ିଆରେ ପ୍ରସଙ୍ଗ ଲେଖା ହେଉଛି ଓ ଓଡ଼ିଆ ଭାଷା ଇଣ୍ଟରନେଟରେ ନଥିବାର ଯେଉଁ ବିଶାଳ ଫାଙ୍କଟି ରହିଛି ତାହା କିଛି ପରିମାଣରେ ଭରୁଛି । ଏହା ପାଖାପାଖି ସମସ୍ତ ଭୁଲଭଟକା ଓ ବ୍ୟକ୍ତିଗତ ମତରୁ ଲେଖାଗୁଡ଼ିକୁ ଦୂରରେ ରଖିଥାଏ । ତେବେ ଏହି ଭଳି ସାମୁହିକ ଉଦ୍ୟମ କେବଳ ଅଧିକ ଲୋକଙ୍କ ସକ୍ରିୟ ଅବଦାନ ବଳରେ ହିଁ ଆଗକୁ ବଢ଼ିବ, ତୁଚ୍ଛା ସମାଲୋଚନାରୁ ନୁହେଁ ।

ଆମ ଭାଷାର ସାହିତ୍ୟ ଆଉ ଭାଷା ଦିଓଟି ଯାକ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଏ ଉଭୟ ପୁଣି ସମାଜ ଓ ଆମର ପରିବେଶ ଉପରେ ପ୍ରଭାବ ପକାଇଥାନ୍ତି । କେବଳ ଗପ, କବିତା ଓ ଉପନ୍ୟାସ ନୁହେଁ, ଭାଷାର ଗବେଷଣା, ଲିପିର ଗବେଷଣା ଓ ଭାଷା ଯେଉଁ ଯେଉଁ ସ୍ଥାନରେ ଯେଉଁ ଯେଉଁ ଭାବରେ ବ୍ୟବହାର ହୁଏ ସେ ସବୁର ସନ୍ତୁଳନ ନିତାନ୍ତ ଆବଶ୍ୟକ । ଅନେକ କମ୍ପ୍ୟୁଟର ସଫ୍ଟୱାର ଓ ୱେବସାଇଟର ବାହାର ଆବରଣ ବା ଯାହାକୁ ଜଣେ ବ୍ୟବହାରକାରୀ ବ୍ୟବହାର କରି କାମ କରେ, ତାହାର ଟେକନିକାଲ ଶବ୍ଦରାଜି "ଫ୍ରିକୁଏଣ୍ଟଲି ଇଉଜ୍‌ଡ ଏସେନସିଆଲ ଲାଙ୍ଗୁଏଜ (FUEL)" ନାମରେ ଜଣା । ଏହାର ମାନକ ଆଉ ପାଠ୍ୟପୁସ୍ତକରେ ବ୍ୟବହାର ହେଉଥିବା ଭାଷାର ମାନକ ଏକ ହେବା ନିହାତି ଜରୁରୀ । ସେହିଭଳି ଖବରକାଗଜ, ଟିଭି ଓ ବିଜ୍ଞାପନ ଆଦି ସାଧାରଣ ଗଣମାଧ୍ୟମ ଯାହା ପ୍ରତି ନିମିଷରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚୁଛି ତାହାର ଭାଷାରେ ତାଳମେଳ ରହୁନାହିଁ । ଏ ବାବଦରେ ସରକାରଙ୍କ ଶିକ୍ଷା ବିଭାଗ, ଶିକ୍ଷାବିଦ, ବିଭିନ୍ନ ବୟସ-ଜୀବିକା ବର୍ଗର ସାଧାରଣ ବ୍ୟବହାରକାରୀ, ଭାଷାବିଦ ଓ ବୈଷୟିକ ଗବେଷକମାନେ ଏକାଠି ମିଶି ଓଡ଼ିଆ ଭାଷାର ଔପଚାରିକ ଓ ଅନୌପଚାରିକ ବ୍ୟବହାର ତଥା ଶବ୍ଦର ବନାନ ବାବଦରେ ଏକ ସୂଚନା ପୁସ୍ତିକା ତିଆରି କରିପାରିଲେ ତାହା ଉଭୟ ଶିକ୍ଷାନୁଷ୍ଠାନ ତଥା ଗଣମାଧ୍ୟମ ଅନୁଷ୍ଠାନମାନଙ୍କ ବ୍ୟବହାରରେ ଲାଗିବ । ଏହା କେବଳ ଯେ ଭାଷାର ବିକାଶର ଧାରାକୁ ବଞ୍ଚାଇ ରଖିବ ନାହିଁ ବରଞ୍ଚ ଭାଷାର କାନ୍ଧରେ ଯେଉଁ କୁରାଢ଼ୀ ବାରମ୍ବାର ବାଜୁଛି ମିଡ଼ିଆଠାରୁ, ତାହା ସୁଧୁରୁଯିବ ।

ଶେଷରେ ଗୋଟେ ବିଷୟକୁ ଗଣ୍ଠି କରି ଧରିବାକୁ ପଡ଼ିବ । କେଇଜଣ ଓଡ଼ିଆଙ୍କ ଭାଷା ବିମୁଖତାକୁ ଆଧାର କରି ଓଡ଼ିଆ ଜାତିକୁ କଙ୍କଡ଼ା କହିବାର ଅବସାନ ହେଉ । ନିଜ ଲୋକଙ୍କୁ ଆଡ଼ ଆଖିରେ ଦେଖି କେଉଁ ଜାତି କେବେ ଉପରକୁ ଉଠିନାହିଁ କି ଉଠିବ ନାହିଁ । ତେବେ ଜଣେ ମୁଖ୍ୟମନ୍ତ୍ରୀର ଓଡ଼ିଆ ନ ଶିଖିବା ପାଇଁ ସଭାସମିତିରେ ଚିତ୍କାର ନ କରି ରାଜନୈତିକ ଦଳକୁ ଗୋଟିଏ ଭାଷାର ବିକାଶ ପାଇଁ ନୂଆ ନୂଆ ଯୋଜନା ନ କରି ତା ଭିତରେ ବିଭେଦ ତିଆରି କରିବାର ବାଟ ତିଆରି ଉପରେ ସମାଲୋଚନା କଲେ, ଭାଷା ପାଇଁ ନୂତନ ଆଶାର ସଂଚାର ହେବ । ଓଡ଼ିଆ ଭାଷାର ବିଭବ ତାର କଥିତ ଭାଷାମାନ । ଅଞ୍ଚଳ ଭେଦରେ ଯଦି ଭାଷାର କଥନ ବଦଳୁଛି ତାହା ଏକ ଭାଷାର ବହୁମୁଖୀତାକୁ ଦେଖାଉ ନାହିଁ କି? ଯେଉଁ ଆଣ୍ଟରେ ଗୋପାଳ ପ୍ରହରାଜେ ଓଡ଼ିଶାର ସବୁ ଅଞ୍ଚଳର ଲୋକକଥିତ ଶବ୍ଦସମ୍ଭାରକୁ ନିଜ ଭାଷାକୋଷରେ ସାଇତିଥିଲେ ଯଦି ସେସବୁକୁ ଆମ ଖବରକାଗଜ, ଟିଭି, ବିଜ୍ଞାପନ ଆଦିରେ ବ୍ୟବହାର କରାଯାଆନ୍ତା, ଖାସ କରି ଅଯଥା ହିନ୍ଦୀ ଶବ୍ଦର ବହୁଳ ବ୍ୟବହାରକୁ ରୋକି ଓଡ଼ିଶାବାସୀ ନିଜ ଅଞ୍ଚଳ ତଥା ବାକି ଅଞ୍ଚଳର ଲୋପ ପାଇଯାଉଥିବା ଅନେକ ଶବ୍ଦର ପରିଚିତି ଜାଣନ୍ତେ । ତେବେ ଭାଷା ସଭିଙ୍କର । ଯେମିତି ଆମ ଘରଲୋକଙ୍କୁ କିଏ ଗାଳିପଦେ ଦେଲେ ଆମ ହିଆକୁ ବାଧୁଛି, ହାତରୁ କଟୁରୀ ଖସୁଛି ସେମିତି ଆମ ଭାଷା ପାଇଁ ଦରଦଟି ପିଲାଙ୍କ ମନରେ ରୋପିଲେ ଆମ ପର ପିଢ଼ି ଯେ ଆଉ ଏକ ଭାଷା ଆନ୍ଦୋଳନ କରି ଜଗତର ବାକି ପାଞ୍ଚ ଭାଷା ଭିତରେ ଓଡ଼ିଆକୁ ଏକ ନ କରିବେ ତାହା କିଏ କହିବ? ଏ ଗୁରୁଦାୟୀତ୍ୱଟି ଅଭିଭାବକମାନଙ୍କର, ଆଉ ଆମ ସଭିଙ୍କର ।

ଲେଖକ ପରିଚିତି
ଶୁଭାଶିଷ ପାଣିଗ୍ରାହୀ ଜଣେ ଶିକ୍ଷାନୁସନ୍ଧାନୀ ଓ ଖୋଲା ଜ୍ଞାନ ବିତରଣ ଗବେଷକ । ସେ ଅଧୁନା ବେଙ୍ଗାଳୁରୁସ୍ଥିତ ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟିର ପ୍ରୋଗ୍ରାମ ଅଫିସର ଭାବେ ଭାରତୀୟ ଭାଷାରେ ଇଣ୍ଟରନେଟରେ ବ୍ୟବହାର ଓ ବିକାଶ ଉପରେ କାର୍ଯ୍ୟରତ । ଓଡ଼ିଆ ଭାଷାର ଉଇକିପିଡ଼ିଆ ଓ ବହିର ଡିଜିଟାଲ ସଂସ୍କରଣ ରୂପ ନିମନ୍ତେ ସେ ଅଧୁନା ଆକସେସ ଟୁ ନଲେଜ ପ୍ରକଳ୍ପରେ କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଅଧ୍ୟାପକ ଓ ଛାତ୍ରମାନଙ୍କୁ ନେଇ ଓଡ଼ିଆରେ କମ୍ପ୍ୟୁଟର ଯୋଗେ ଉଇକିପିଡ଼ିଆ ଓ ଓଡ଼ିଆ ଉଇକିପାଠାଗାରର ବିକାଶ ନିମନ୍ତେ କାର୍ଯ୍ୟ କରୁଛନ୍ତି ।ସେ ବହୁକାଳ ଧରି ଉଇକିପିଡ଼ିଆ, ମୋଜିଲା ଭଳି ଆନ୍ଦୋଳନ ତଥା ଓପନଗ୍ଲାମ ଓ ଓପନ ଏଜୁକେସନ ଭଳି ବିଶ୍ୱସ୍ତରୀୟ ସାଙ୍ଗଠନିକ ସମ୍ମିଳନୀର ଭାଗ ନେଇ ଭାଷା ସମ୍ବନ୍ଧରେ ଆଲୋଚନାରେ ଭାଗ ନେଇଛନ୍ତି । ଭାଷା ଗବେଷଣା ଓ ବ୍ୟବହାର ସମ୍ବନ୍ଧରେ ତାଙ୍କ ରଚିତ ପ୍ରବନ୍ଧମାନ ଅନେକ ଓଡ଼ିଆ ଖବରକାଗଜ, ପତ୍ରପତ୍ରିକା ଓ ବିଶ୍ୱସ୍ତରୀୟ ବ୍ଲଗମାନଙ୍କରେ ପ୍ରକାଶିତ ।