State of Odia Language in Computing and Future Steps

Posted by Subhashish Panigrahi at Jul 07, 2014 07:10 AM |
I participated in a "National Level Seminar on, Computer Application and Odia Language" organized by the Institute of Odia Studies and Research in Bhubaneswar on July 6, 2014 as a panelist to discuss about the state of Odia language in computing, work in progress highlighting CIS-A2K's work in the knowledge and education sector and further steps.
State of Odia Language in Computing and Future Steps

Guests releasing a souvenir during the seminar

I wrote an article on this for the Sovereign. This can be downloaded here. The invitation for the seminar can be viewed here.


କମ୍ପ୍ୟୁଟରରେ ଓଡିଆ ଭାଷାର ସ୍ଥିତି ଓ ଭବିଷ୍ୟତ ପଦକ୍ଷେପ

ଓଡ଼ିଆ: କାଲି ଓ ଆଜି

କମ୍ପୁଟରରେ ଓଡ଼ିଆ ଭାଷାର ବ୍ୟବହାର ଆରମ୍ଭ ହେବାର ଦଶନ୍ଧିଟିଏ ବିତିଯାଇଛି । ଏ ଦଶନ୍ଧିର ଶେଷ ଆଡ଼କୁ ଏହି ବର୍ଷ ଫେବ୍ରୁଆରି ୨୦ ତାରିଖରେ ଉଲ୍ଲେଖନୀୟ ଘଟଣାଟିଏ ଘଟିଲା - ଓଡ଼ିଆ ଭାଷା ଷଷ୍ଠ ଭାରତୀୟ ଭାଷା ଭାବେ ଶାସ୍ତ୍ରୀୟ ମାନ୍ୟତା ପାଇଲା । ସାଧାରଣ ମଣିଷର ମାନସିକତା ଦୋହଲେ ଅଦିନିଆ ଝଡ଼ି କିମ୍ବା ନଈ କୂଳ ଲଙ୍ଘିଲେ । ଏ ଶାସ୍ତ୍ରୀୟ ମାନ୍ୟତା ପାଇବା ଥିଲା ସେମିତି ମନ-ଦୋହଲେଇବା ଭଳି ଘଟଣାଟିଏ । ଓଡ଼ିଆ ମାଧ୍ୟମରେ ପଢ଼ୁଥିବା ପିଲାଙ୍କ ମନରେ ଅଧିକ ଚାକିରି ପାଇବାର ନୂଆ ନୂଆ ଆଶାଟିଏ ଗଜୁରିଲା । ଘରୁ ଫେରିଥିବା ପ୍ରବାସୀ ଓଡ଼ିଆ ଦୋକାନୀଟିଏ ବେଙ୍ଗାଳୁରୁ ସହରରେ ଥିବା ତା' ଜଳଖିଆ ଦୋକାନ ଆଗରେ ଓଡ଼ିଆରେ ନାମଫଳକଟିଏ ଲଗାଇଲା । ନିର୍ବାଚନରେ ବୋଧେ ପ୍ରଥମଥର ରାଜନୈତିକ ଦଳଟିଏ ଓଡ଼ିଆ ବିଶ୍ୱବିଦ୍ୟାଳୟର ଯୋଜନା ନିର୍ବାଚନ ଇସ୍ତାହାରରେ ସାମିଲ କଲା । ଫେସବୁକରେ, ୱେବସାଇଟରେ ଅନେକ ଓଡ଼ିଆ ଏ ଆନନ୍ଦର ଉତ୍ସବ ପାଳନ କଲେ । ତେବେ ଏ ସବୁରି ଆମୋଦ ଭିତରେ ବେଳ ଆସିଛି ଆମ ଏ ଶାସ୍ତ୍ରୀୟ ଓଡ଼ିଆକୁ ଆଧୁନିକ ଜ୍ଞାନକୌଶଳର ତରାଜୁରେ ତଉଲିବା । ଆମ ଭାଷା ଗୋଟେ ପୁରାତନ ଭାଷା, ଆଉ ତା'ର ମାନେ ନୁହେଁ ଯେ ସେ କେବଳ ହାତୀଗୁମ୍ଫାର କାନ୍ଥରେ କିବା ଗୁଡ଼ହାଣ୍ଡିରେ ଲୁଚିରହିବ ଶିଉଳି ଗହଣରେ । ଭାଷାର ଅତୀତ ଯେତେ ପରିପୁଟ, ତା'ର ଅଧୁନା ବ୍ୟବହାରୀଙ୍କ ଉପରେ ନିର୍ଭର କରେ ସେ କେଉଁ ଦିଗରେ ମୁହାଁଇବ - କେବଳ ପୁରାତନ ଭାଷାର ମାନ୍ୟତା ପାଇ ଜେଜେ ହୋଇ କଣ ଘରେ ବସିରହି ଦିନ ଗଣିବ, ନାଁ ଆଧୁନିକ କୌଶଳକୁ ଆପଣେଇ ଆହୁରି ଅଧିକ ବ୍ୟବହାରରେ ଲାଗିବ । ଏକ ଭାଷା ପାଇଁ ସବୁଠାରୁ ବଡ଼ ସମ୍ପତ୍ତିଟି ହେଉଛି ତାକୁ ଦୈନନ୍ଦିନ ବ୍ୟବହାର କରୁଥିବା ଲୋକେ, ବିଶେଷ କରି ତା'କୁ ପଠନ ଓ ଲିଖନରେ ବ୍ୟବହାର କରୁଥିବା ଲୋକେ । ଏ ମୋବାଇଲ, କମ୍ପୁଟର ଓ ଇଣ୍ଟରନେଟର ଯୁଗରେ ଆମ ଭାଷା ଯଦି ଇଂରାଜୀ ସହ ତାଳ ମିଳାଇ ଚାଲି ନ ପାରୁଛି ତାହେଲେ ଆଗାମୀ ପିଢ଼ିଟି ଯେ ଆମ ଭାଷାକୁ ସମ୍ପୂର୍ଣ୍ଣ ପାଶୋରି ନ ପକାଇବ ତାହା ଲେଖକ ହଲପ କରି କହିପାରେ । ଆମ ଭାଷାର ଆଧୁନିକତାର ସ୍ଥିତି ନିର୍ଦ୍ଧାରଣ କରିବା ଓ ଚଳିତ କାମମାନଙ୍କ ବିଷୟରେ ଜାଣି ଆଗାମୀ ଦିନମାନଙ୍କ ପାଇଁ ଯୋଜନାର ରୂପରେଖ ତିଆରିବା ବୋଧେ ଏ ବେଳର ପ୍ରଥମ କାମ ।

ଓଡ଼ିଆ କମ୍ପୁଟରରେ ବ୍ୟବହାର ଉପଯୋଗୀ ହେଲା ଟିକେ ବିଳମ୍ବରେ, ଏକବିଂଶ ଶତାବ୍ଦୀର କିଛି ବର୍ଷ ଆଗରୁ । ବାକି ଭାରତୀୟ ଭାଷା ସେତେବେଳକୁ କମ୍ପୁଟରରେ ଦେଖିବାକୁ ମିଳିଲାଣି । ପ୍ରାରମ୍ଭିକ କାମ ଥିଲା ଓଡ଼ିଆରେ କମ୍ପୁଟରରେ ଟାଇପ କରି ଲେଖିବା ଓ ଆଗର ବ୍ଲକ ଟାଇପିଙ୍ଗ ବଦଳରେ ସହଜରେ ଡିଟିପି କରି ଅଳ୍ପ ସମୟରେ ଛପାଇବା । ସେ ବେଳରେ ସେ ଥିଲା ଗୋଟେ ବିରାଟ ସଫଳତା । ତିଆରି ହୋଇଥିଲା ନାନାଦି ଫଣ୍ଟ (font) । ଫଣ୍ଟ ହେଉଚି କମ୍ପୁଟରରେ ଏକ ଲିପିର ଅକ୍ଷର ସଜାଣି । ଆଉ ସବୁ ଫଣ୍ଟ ଦେଖିବାକୁ ଅଲଗା ଅଲଗା । ତେବେ ଆରମ୍ଭରେ ତିଆରି ହୋଇଥିବା ଫଣ୍ଟସବୁ ତିଆରି ହୋଇଥିଲା ଏକା ଢାଞ୍ଚାରେ - ଇଂରାଜୀ ବା ଲାଟିନ ପରିବାରର ଅକ୍ଷରସବୁର ବଦଳରେ ଓଡ଼ିଆ ଅକ୍ଷର ଖଞ୍ଜାଯାଇଥିଲା । ଯାହା ଫଳରେ କିବୋର୍ଡ଼ରେ ଇଂରାଜୀ ଅକ୍ଷରଟିଏ ଟାଇପ କଲେ ଆସୁଥିଲା ଓଡ଼ିଆ ଅକ୍ଷର । ତେବେ ଏକାଧିକ ଫଣ୍ଟ ନିର୍ମାତା ଭିନ୍ନ ଭିନ୍ନ ମାନକ ତିଆରି କରିବା ଫଳରେ ଅନେକ ଗୁଡ଼ିଏ ମାନକର ଫଣ୍ଟ - ଯେଉଁମାନଙ୍କର ନିଜ ନିଜ ଭିତରେ ତାଳମେଳ ନ ଥିଲା - ତିଆରି ହେବାରେ ଲାଗିଲା । ତେଣୁ ଅମୁକ ଫଣ୍ଟରେ ଲେଖା ପାଠ ସମୁକ ଫଣ୍ଟରେ ପଢ଼ିବା ଦୁରୂହ ହୋଇପଡ଼ିଲା । ତେବେ ଅଧିକାଂଶ ଛାପା ଓ ପ୍ରକାଶନ ସଂସ୍ଥା ଆକୃତି ନାମକ ସଫ୍ଟଓଏରଟିଏ ବ୍ୟବହାର କରୁଥିବାରୁ ଅଲଗା କମ୍ପୁଟରରେ ଟାଇପ ହୋଇଥିବା ପାଠ ଭିତରେ ଗୋଟେ ପ୍ରକାର ସମାନତା ଥିଲା । ତେବେ ଏସବୁ ଫଣ୍ଟରେ ଲେଖା ପାଠକୁ ନାଁ ଇମେଲରେ କାହାକୁ ପଠାଇହେଉଥିଲା, ନାଁ ୱେବସାଇଟରେ ବ୍ୟବହାର କରିହେଉଥିଲା, ନାଁ ଗୁଗଲରେ ଖୋଜି ହେଉଥିଲା । ଏହି ସବୁ ଅସୁବିଧାକୁ ସୁଧାରିବା ପାଇଁ ଇଉନିକୋଡ଼ ଫଣ୍ଟ ଆରମ୍ଭ କରାଗଲା । ଏହା ଥିଲା ଅଣ-ଲାଟିନ ଲିପିମାନଙ୍କ ପାଇଁ ଏକ ବରଦାନ । ଏଥିରେ ସବୁ ଲାଟିନ/ଇଂରାଜୀ ଅକ୍ଷର ସହିତ ସବୁ ଓଡ଼ିଆ ଅକ୍ଷର ମଧ୍ୟ ରହୁଥିଲା । ଆଉ ଏ ଥିଲା ଏକ ବିଶ୍ୱସ୍ତରୀୟ ମାନକ । ଅର୍ଥାତ କେବଳ ଦୁଇଟି ଓଡ଼ିଆ ଫଣ୍ଟ ଭିତରେ ସମାନତା ନୁହେଁ, ଓଡ଼ିଆ-ଗୁଜୁରାଟୀ ଭିତରେ ମଧ୍ୟ ସମାନତା ରହିଲା । ତେବେ ଆମର ପ୍ରକାଶନ ସଂସ୍ଥାମାନ ଏହାକୁ ବ୍ୟବହାର କରିବା ପାଇଁ ମଙ୍ଗିଲେ ନାହିଁ । କାରଣ ଥିଲା ସେମାନେ ବ୍ୟବହାର କରୁଥିବା ଡିଟିପି ସଫ୍ଟଓଏର (ଆଡୋବି ପେଜମେକର, କ୍ୱାର୍କ ଏକ୍ସପ୍ରେସ ଆଦି)ରେ ଓଡ଼ିଆ ଇଉନିକୋଡ଼ରେ ଯୁକ୍ତାକ୍ଷର ଆଦି ଠିକରେ କାମ କରୁନଥିଲା । ଏଣୁ ଲକ୍ଷ ଲକ୍ଷ ପୃଷ୍ଠା ବହିର ମଲାଟ ତଳୁ ବାହାରି କମ୍ପୁଟର ଓ ଇଣ୍ଟରନେଟର ପାଠକମାନଙ୍କ ପଢ଼ାହେବାରୁ ବଞ୍ଚିତ ହେଲା । ଏହାର ଗୋଟେ ବାଟ ଥିଲା ଡିଟିପି ପାଇଁ ବ୍ୟବହୃତ ଫଣ୍ଟକୁ ଓଡ଼ିଆ ଇଉନିକୋଡ଼ରେ ରୂପାନ୍ତର କରି ଇଣ୍ଟରନେଟରେ ଉପଲବ୍ଧ କରାଇବା । ବିଡ଼ମ୍ବନା ଏହିକି ଯେ, ଆମ ଖବରକାଗଜମାନେ ତା' ନ କରି ଆପଣେଇଲେ ଲେଖାକୁ ଛବି କରି ନିଜ ୱେବସାଇଟରେ, ଆଉ ଥୋକେ ଡାଇନାମିକ ଫଣ୍ଟ ନାମକ ଆଉ ଏକ ପନ୍ଥା ଧରିଲେ । ଛବି ହେଲେ ଲେଖା ସବୁ ଯେ ଖୋଜିହେବ ନାହିଁ କିବା ଆଉ କେଉଁ କାମରେ ବ୍ୟବହାର କରିହେବ ନାହିଁ ତାହା କହିବା ବାହୁଲ୍ୟ । ଡାଇନାମିକ ଫଣ୍ଟରେ ମୂଳ ସର୍ଭରରୁ ଫଣ୍ଟଟିଏ ଲୋଡ଼ ହେଇଥାଏ, ଯାହା ଫଳରେ ପାଠକର କମ୍ପୁଟରରେ ସେ ଫଣ୍ଟଟି ନ ଥିଲେ ମଧ୍ୟ ସେ ପଢ଼ିପାରେ । କିନ୍ତୁ ନାଁ ସେ ଲେଖାକୁ କପି କରି କାମରେ ଲଗାଇହୁଏ ନାଁ ଗୁଗଲ ସର୍ଚରେ ସେ ଆସେ । ଓଡ଼ିଶାର ପ୍ରାୟ ସମସ୍ତ ପ୍ରକାଶିତ ପାଠ ଭିତରୁ ଅଧା ଇଣ୍ଟରନେଟରେ ଆସେ ନାହିଁ, ଆଉ ଅଧକ ଆସେ ଏମିତିକା ମୃତ ଫରମାଟରେ ଯେ ତା'କୁ ଆଉ କେହି କାମରେ ଲଗାଇପାରିବେ ନାହିଁ । ଯଦି ପାଠକଟିଏ ନିଜ ମୋବାଇଲ କି କମ୍ପୁଟରରେ ଅବାଧରେ ନିଜ ଭାଷା ପଢ଼ିନପାରୁଛି ତାହେଲେ ସେ କେମିତି ଯେ ଭାଷାକୁ ଜାବୁଡ଼ି ଧରିବ ତାହା ଆଲୋଚନାର ବିଷୟ । ପାଠ ବଢ଼ିଲେ ପାଠକମାନଙ୍କୁ ଅଧିକ ପଠନର ସୁଯୋଗ ମିଳିବ, ବିକଳ୍ପ ମିଳିବ ବାଛିବା ପାଇଁ ନିଜ ପସନ୍ଦର ବହିଟିଏ । ଆଉ ତା ଯଦି ହୁଏ ସୁବିଧାରେ ବ୍ୟବହାର କରିହେଉଥିବା ଭଳି ସାଧନରେ ତାହେଲେ ଇଂରାଜୀ ମାଧ୍ୟମରେ ପଢ଼ୁଥିବା ଓଡ଼ିଆ ଘରର ପିଲାଟି ବି ଓଡ଼ିଆରେ ପଢ଼ିବାକୁ ଆଗଭର ହେବ ।

ଉପରେ ବର୍ଣ୍ଣିତ ଅସୁବିଧା - ଅଣ-ଇଉନିକୋଡ଼ରୁ ଇଉନିକୋଡ଼କୁ ଫଣ୍ଟ ରୂପାନ୍ତର କରିବାର ସାଧନଟି ପ୍ରଥମେ ୨୦୧୧ରେ ସୃଜନିକା ଅନୁଷ୍ଠାନ ଦ୍ୱାରା ଲୋକମାନଙ୍କ ପାଇଁ ଖୋଲାରେ ବିତରଣ କରାଯାଇଥିଲା ରେବତୀ ନାମକ କନଭର୍ଟର ଦେଇ । ତେବେ ସେ ସଫ୍ଟଓଏରଟି ମଧ୍ୟ ରକ୍ଷଣାବେକ୍ଷଣା ଅଭାବରୁ ପୁରୁଣା ହୋଇଗଲା ଆଉ ନିକଟ ଅତୀତରେ ଆଉ କିଛି ବନ୍ଧୁଙ୍କ ସହ ମିଶି ଲେଖକ ଏକାଧିକ ଆକୃତି ସାରଳା ଫଣ୍ଟ ତଥା ଶ୍ରୀଲିପି ନାମକ ଆଉ ଏକ ଫଣ୍ଟରୁ ଇଉନିକୋଡ଼ ରୂପାନ୍ତର ପାଇଁ କନଭର୍ଟର ତିଆରି କରିଛନ୍ତି । ଆକୃତି ସାରଳା କନଭର୍ଟରଟି http://bitly.com/akrutiodia ରେ ଓ ଶ୍ରୀଲିପି କନଭର୍ଟରଟି http://bitly.com/shreelipi ୱେବସାଇଟରେ ଉଭୟ ଅନଲାଇନ ଓ ଅଫଲାଇନରେ ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ । ଇଣ୍ଟରନେଟର ଭାଷା ହେଲା ଇଉନିକୋଡ଼, ତାକୁ ଆଦରିଲେ ଆମ ଭାଷାର ସ୍ଥିତି ଯେ ନାହିଁରୁ କାହିଁ ହେବ ତାହା କହିବା ଏ ବିବରଣର ଅତିରଞ୍ଜନ ମାତ୍ର ହେବ ।

ଏ ତ ଗଲା ଫଣ୍ଟ-ଜନିତ ଅସୁବିଧା କଥା । ଏବେ ଆମର ବହିସବୁରେ କି କି ପ୍ରତିବନ୍ଧକ ରହିଛି ତାହା ବିଚାରିବା । ଓଡ଼ିଆ ଭାଷାରେ ଏଯାବତ ଲକ୍ଷାଧିକ ବହି ଲେଖାଯାଇଥିବ । ସେସବୁ ଭିତରୁ କେତେ ଯେ ଉପାଦେୟ ବହି ଅଛି ଆଉ ଅଚିରେ ଏସବୁ ପାଇବାର ବାଟ ଯେ ଅମଡ଼ା ଏକଥାରେ ବୋଧେ ପାଠକେ ଏକମତ ହେବେ । ଆମ ବହିସବୁ ଯଦି ଡିଜିଟାଲ ଲାଇବ୍ରେରି ମାଧ୍ୟମରେ ଖୋଲାରେ ଉପଲବ୍ଧ ହୁଅନ୍ତା ତାହେଲେ ଜ୍ଞାନଲାଭର ପଥ ସୁଗମ ହୋଇପାରନ୍ତା । ବହି ସବୁ ଇଣ୍ଟରନେଟରେ ଉପଲବ୍ଧ କରାଇବାର ସୁବିଧା ବାଟଟିଏ ହେଲା ସେସବୁକୁ ଲେଖା ବା ଟେକ୍ସଟ ରୂପରେ ରଖିବା । ଲେଖାକୁ ଇଣ୍ଟରନେଟ ଯୋଗେ ଖୋଜିହେବ, ପୁନର୍ବ୍ୟବହାର କରିହେବ ଆଉ ବିତରଣ ମଧ୍ୟ କରିହେବ । ଆଉ ଏକ ବାଟ ହେଲା ବହିକୁ ସ୍କାନ କରି ପିଡିଏଫ ରୂପରେ ଉପଲବ୍ଧ କରିହେବ । ପିଡିଏଫ ବହିସବୁ ପଢ଼ିହେଉଥିଲେ ହେଁ ଖୋଜିବା ଆଉ ପୁନର୍ବ୍ୟବହାର କରିବା ପାଖାପାଖି ଅସମ୍ଭବ । ତେବେ ଡିଟିପି ହୋଇଥିବା ବହିକୁ ଫଣ୍ଟ କନଭର୍ଟର ସାହାଯ୍ୟରେ ଇଉନିକୋଡ଼ରେ ରୂପାନ୍ତର କରିହେବ ଯାହା ବହିକୁ ସ୍କାନ କରି ପିଡିଏଫ ତିଆରିଲେ ହୋଇପାରିବ ନାହିଁ । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ରାଉରକେଲାର ମିଳିତ ସହଯୋଗରେ ୧୯୫୦ ମସିହା ଯାଏ ଛପା ହୋଇଥିବା ୭୪୦ ଖଣ୍ଡ ଉପାଦେୟ ଓଡ଼ିଆ ବହିକୁ ସୃଜନିକା ଅନୁଷ୍ଠାନ ତରଫରୁ ସ୍କାନ କରାଯାଇଛି । ଏଥି ମଧ୍ୟରୁ ୨୪୦ ଖଣ୍ଡ ବହି oaob.nitrkl.ac.in ରେ ଡାଉନଲୋଡ଼ ପାଇଁ ଉପଲବ୍ଧ । ତେବେ ବହିସବୁ ପ୍ରକାଶକଙ୍କ ଅନୁମତି ବିନା ଇଣ୍ଟରନେଟରେ ରଖିବା କପିରାଇଟ ଆଇନର ଉଲ୍ଲଙ୍ଘନ । ନିକଟରେ ଓଡ଼ିଆ ଉଇକିପିଡ଼ିଆ ତରଫରୁ ଆୟୋଜିତ "ଓଡ଼ିଶା ଦିବସ ୨୦୧୪" ଅବସରରେ ଭାଷାବିଦ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଓ ଭାଷା ଗବେଷକ ସୁବ୍ରତ ପୃଷ୍ଟିଙ୍କ ରଚିତ ଓଡ଼ିଆ ଭାଷାର ଗବେଷଣା ତଥ୍ୟ ସମ୍ବଳିତ ଏକ ଇଂରାଜୀ ବହି "Classical Odia" ଓ ଶ୍ରୀଯୁକ୍ତ ପୃଷ୍ଟିଙ୍କ ଦୁଇଟି ଓଡ଼ିଆ ବହି "ଭାଷା ଓ ଜାତୀୟତା" ଏବଂ "ଜାତି, ଜାଗୃତି ଓ ପ୍ରଗତି"କୁ CC-BY-SA ୩.୦ ଲାଇସେନ୍ସରେ ପୁନ-ଲାଇସେନ୍ସ କରିବାର ଅନୁମତି ଦେଲେ । ଏହି ଲାଇସେନ୍ସ ଜଣେ ପାଠକକୁ କେବଳ ବହିଟି ପଢ଼ିବାର ସୁଯୋଗ ଦେଇନଥାଏ, ବରଂ ବହିର ସ୍ରଷ୍ଟାଙ୍କୁ ଶ୍ରେୟ ଦେଇ ବହିର ଲେଖାକୁ ପୁନ-ବ୍ୟବହାର ଓ ବିତରଣ କରିପାରେ । ଏହା ଏକ ଯୁଗାନ୍ତକାରୀ ଓ ଐତିହାସିକ ପଦକ୍ଷେପ । ଯଦି ଆମ ଲେଖକ ଓ ପ୍ରକାଶକ ମାନେ ଏମିତି ଅନୁମତି ଦିଅନ୍ତେ ତେବେ ଅନେକ ଉପାଦେୟ ବହି ଇଣ୍ଟରନେଟରେ ଉପଲବ୍ଧ ହୋଇ ପାଠକର ପଠନ ଭୋକ ମେଣ୍ଟାନ୍ତା । ଶ୍ରୀଯୁକ୍ତ ପୃଷ୍ଟିଙ୍କ ବହି ଦୁଇଟିର ଲେଖାର ଫଣ୍ଟ ରୂପାନ୍ତର ହୋଇ ଏବେ ତାହା ଓଡ଼ିଆ ଉଇକିପାଠାଗାରରେ ଉପଲବ୍ଧ ହେବ । ଉଇକିପାଠାଗାର ଇଣ୍ଟରନେଟରେ wikisource.org/wiki/Main_Page/Odia ଠାରେ ଉପଲବ୍ଧ ଏକ ଡିଜିଟାଲ ଲାଇବ୍ରେରି ଯେଉଁଥିରେ କପିରାଇଟର ଜଞ୍ଜାଳରୁ ମୁକ୍ତ ବହିମାନ ପାଠକମାନଙ୍କ ପାଇଁ ଖୋଲାରେ ଉପଲବ୍ଧ । ଉଇକିପାଠାଗାରରେ ଆମ ଭାଗବତ, ମହାଭାରତଠାରୁ ଆରମ୍ଭ କରି ବିଜ୍ଞାନ ଓ ଆଇନର ବହିସବୁ ରଖାଯାଇପାରିବ । ବହୁ ବର୍ଷ ଧରି ଛପା ହୋଇନଥିବା ଅନେକ ଉପାଦେୟ ବହି ଯେ କେବଳ ପାଠକମାନଙ୍କ ଅବାଧ ପଠନର ଦିଗନ୍ତଟିଏ ବିସ୍ତାରିବ ତା' ନୁହେଁ, ବରଂ ଆମ ଭାଷାର ଅଧିକ ପାଠ ଇଣ୍ଟରନେଟରେ ଉପଲବ୍ଧ କରାଇ ଓଡ଼ିଆକୁ ଆଉ ପାଞ୍ଚ ବିଶ୍ୱସ୍ତରୀୟ ଭାଷା ସଙ୍ଗେ କାନ୍ଧ ମିଳାଇ ଛିଡ଼ାହେବାକୁ ଭରସା ଦେବ ।

ଖାଲି ବହି ନୁହେଁ ଆମ ଖବରକାଗଜମାନ ମଧ୍ୟ ହେଲେ ଚଳନ୍ତି ଇତିହାସର ରଥଚକ । ବହି, ପତ୍ରିକା ଆଉ ଖବରକାଗଜରୁ ତଥ୍ୟ ନେଇ ଭରିହେବ ଆମ ଭାଷାର ଉଇକିପିଡ଼ିଆକୁ । ଓଡ଼ିଆ ଉଇକିପିଡ଼ିଆ ଏକ ଆନ୍ତର୍ଜାତିକ ସଙ୍ଗଠନ ଉଇକିମିଡ଼ିଆର ଅଂଶବିଶେଷ । ଅନେକେ ଇଂରାଜୀ ଉଇକିପିଡ଼ିଆରୁ ନିତି କେତେ ବିଷୟ ପଢୁଥିବେ, ହେଲେ ଥରେ ବୋଧେ ଭାବି ନଥିବେ ଓଡ଼ିଆରେ ଉଇକିପିଡ଼ିଆ ଥିବା ବାବଦରେ । ୨୦୦୨ରୁ ଆରମ୍ଭ ହୋଇ ୨୦୧୧ ଯାଏ ସୁପ୍ତିରେ ଥିଲା ଏହି ଅନଲାଇନ ଜ୍ଞାନକୋଷ । ତେବେ ବେଙ୍ଗାଳୁରୁଠାରେ କେତେଜଣ ଓଡ଼ିଆଙ୍କ ଉଦ୍ୟମରେ ପୁଣି ତେଜିଲା ଆଉ କିଛି ଉତ୍ସାହୀ ଓଡ଼ିଆ, ଓଡ଼ିଶା ଓ ଭାରତର କୋଣ-ସନୁକୋଣରୁ ଏଥିରେ ଭାଗ ନେବା ଆରମ୍ଭ କଲେ । ମାତ୍ର ୧୫ ଜଣ ସ୍ୱେଚ୍ଛାସେବୀ ଉଇକିଆଳି (ଉଇକିପିଡ଼ିଆର ସମ୍ପାଦକ)ଙ୍କ ସମ୍ପାଦିତ ୮,୦୦୦ ରୁ ଅଧିକ ପ୍ରସଙ୍ଗରେ ଭରା ଓଡ଼ିଆ ଉଇକିପିଡ଼ିଆ ଓଡ଼ିଆ ଭାଷାର ବିଶାଳତମ ଇନଲାଇନ ଜ୍ଞାନକୋଷ । ଜ୍ଞାନକୋଷ ଭିତ୍ତିକ ଲେଖା ବୋଧେ ଗୋପାଳ ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଓ ବିନୋଦ କାନୁନଗୋଙ୍କ ଜ୍ଞାନମଣ୍ଡଳ ପରେ ଆଉ ସାମୁହିକ ଭାବେ ଲେଖାହୋଇନଥିବ । or.wikipedia.orgରେ ଉପଲବ୍ଧ ଓଡ଼ିଆ ଉଇକିପିଡ଼ିଆରେ ସମସ୍ତେ ଭାଗନେଇ ନୂଆ ପ୍ରସଙ୍ଗ ଗଢ଼ିପାରିବେଓ ଆଗରୁ ଥିବା ପ୍ରସଙ୍ଗର ସମ୍ପାଦନା କରିପାରିବେ । ଅନେକେ ଯେ ଗୁଗଲରେ ଆଉ ଫେସବୁକରେ ଓଡ଼ିଆ ଆସୁନାହିଁ ବୋଲି ଗୁମାନ କରିବସନ୍ତି ତାକୁ ଆଣିବାର ଗୋଟେ ବାଟ ହେଲା ଉଇକିପିଡ଼ିଆରେ ନିଜ ଅଞ୍ଚଳ, ପର୍ଯ୍ୟଟନ ସ୍ଥଳ, ନିଜ ପସନ୍ଦରେ ବ୍ୟକ୍ତିତ୍ୱ, ଆମର ଇତିହାସ ଓ ଆହୁରି ଅନେକ ବିଷୟରେ ପ୍ରସଙ୍ଗମାନ ଲେଖିବା ।

ଭବିଷ୍ୟତ ପାଇଁ ପନ୍ଥା:

  • ଓଡ଼ିଆ ବହିର ଡିଜିଟାଲ ରୂପ: ଉଇକିପାଠାଗାରରେ ଅଚିରେ ଓଡ଼ିଆ ବହି ସବୁକୁ ଡିଜିଟାଲ ରୂପରେ ଲେଖା ଭାବେ ରଖାଯାଇପାରିବ । ତେବେ ବହି ସବୁର ଲାଇସେନ୍ସକୁ Creative Commons Share-Alike କିମ୍ବା Public Domainରେ ପ୍ରକାଶକ କିମ୍ବା ସତ୍ୱାଧିକାରୀଙ୍କ ଅନୁମତି କ୍ରମେ ବଦଳାଇବାକୁ ପଡ଼ିବ ।

  • ଓଡ଼ିଆରେ ଅଧିକ ଇଉନିକୋଡ଼ କଣ୍ଟେଣ୍ଟ ତିଆରି: ଓଡ଼ିଆ ଉଇକିପିଡ଼ିଆ ଏଥିପାଇଁ ଏକ ପ୍ରକୃଷ୍ଠ ସ୍ଥାନ । ଏହା ସମସ୍ତଙ୍କ ପାଇଁ ଖୋଲାଥିବାରୁ ଅଧିକ ସଂଖ୍ୟକ ଲୋକ ମଧ୍ୟ ଏଥିରେ ଲେଖିପାରିବେ । ଏଥିସହିତ ଖବରକାଗଜ, ପତ୍ରପତ୍ରିକା ଆଦି ମଧ୍ୟ ନିଜର ୱେବସାଇଟରେ ଇଉନିକୋଡ଼ରେ ଲେଖାସବୁ ଦେବାକୁ ପଡ଼ିବ ।

  • ଓପନସୋର୍ସ ସାଧନର ବ୍ୟବହାର: ଅନେକ ଓପନସୋର୍ସ ସଫ୍ଟଓଏର ଏବେ ବ୍ୟବହୃତ ଆଡୋବ ପେଜମେକର ଆଦି ଡିଟିପି ସଫ୍ଟଓଏରର ବିକଳ୍ପ ଭାବେ ବ୍ୟବହାର ହୋଇପାରିବ । ଆକୃତି, ଶ୍ରୀଲିପି ଆଦିର ବଦଳରେ ଡିଟିପି ପାଇଁ ଇଉନିକୋଡ଼ ଫଣ୍ଟ ବ୍ୟବହାର କଲେ ଏବେ ଲେଖା ବିତରଣରେ ଯେଉ ବିରାଟ ଖମାଟିଏ ରହିଛି ତାହା କିଛିକାଂଶରେ ଭରିଯିବ । ସୁଖର କଥା ମାଗଣାରେ ଉପଲବ୍ଧ ଉବଣ୍ଟୁ ଓ ଫେଡୋରା ଭଳି ଓପନସୋର୍ସ ଅପରେଟିଙ୍ଗ ସିଷ୍ଟମ ମାଇକ୍ରୋସଫ୍ଟର ଉଇଣ୍ଡୋଜ XP, ଭିସ୍ତା ଆଦିଠୁ ଯଥେଷ୍ଟ ଅଧିକ ନିରାପଦ ଓ ଭାଇରସ ରହିତ । ବ୍ୟବହାରୀରେ ଏହାକୁ ଆପଣେଇପାରିବେ

  • ଓଡ଼ିଆକୁ ବାଧ୍ୟତାମୂଳକ ଭାବେ ପାଠ୍ୟକ୍ରମରେ ରଖିବା: ଶିଶୁର ଭାଷା ତା' ବୋଉର ଭାଷା ହେବା ଉଚିତ, ସେଥିପାଇଁ ଏହା ମା'ବୋଲି ମା ମା' ତୁଣ୍ଡର ଭାଷା ବୋଲି ଜଣା । ତଣ୍ଟିଚିପି ପିଲାଟିକୁ ଜନ୍ମ ହେବା ବେଳୁ ଚାକିରି ପାଇଁ ଯୋଗ୍ୟ କରିବାରେ ଯେଉଁ ବୃଥା ପରିଶ୍ରମ ଅଭିଭାବକେ କରୁଛନ୍ତି ତା' ପିଲାଟି ଉପରେ ଜୋର-ଜବରଦସ୍ତି ଏକ ବିଦେଶୀ ଭାଷା ଲଦି ଦେଉଛି । ଏହାର ପ୍ରଭାବରେ ପିଲାର ମାନସିକ ସନ୍ତୁଳନ ବିଗିଡ଼ି ନିଜ ଜାତି, ଅଞ୍ଚଳ, ରାଜ୍ୟ, ଲୋକେ ଆଉ ଏପରିକି ନିଜ ପରିବାର ପ୍ରତି ଛୁଆବେଳୁ ଏକ ପ୍ରକାର ମମତା-ରହିତ ହୋଇଯାଉଛି । ଓଡ଼ିଆ ଶିକ୍ଷା ଶିଶୁ ଶ୍ରେଣୀରୁ ନେଇ ବିଏ-ବିଏସସି ଯାଏ ବାଧ୍ୟତାମୂଳକ ହେଉ । ଓଡ଼ିଶାରେ ବାକି ରାଜ୍ୟ ଭଳି ଏକ ଗବେଷଣାମୂଳକ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଉ । ଏ ଭାଷା ଯଥେଷ୍ଟ ଆଧୁନିକ ପ୍ରେମ କବିତା ଶୁଣିଲାଣି । ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ବିଶ୍ଳେଷଣ ଲୋଡ଼ା ।

  • ଓଡ଼ିଆ ହେଉ ସରକାରୀ ଭାଷା: ଯେତେ ଯାହା ହେଉ ଯଦି ଭାଷାଟିଏ ରାଜଭାଷା ବା ସରକାରୀ କାମରେ ନ ଲାଗିଲା ତାହେଲେ ଭାଷା ପ୍ରତି ଯେତେ ମମତା ଥାଉ, ସାଧାରଣ ଲୋକଟିଏ ବ୍ୟାଙ୍କରୁ ଋଣ ଆଣିବା ବେଳେ କଷ୍ଟେମଷ୍ଟେ ଇଂରାଜୀରେ ଲେଖିବ । ଓଡ଼ିଆ ସରକାରୀ ସ୍ତରରେ ବାଧ୍ୟତାମୂଲକ ହେଲେ ବାହାରୁ ଆସୁଥିବା ଆଇଏଏସ ଅଫିସର ଯେଉଁମାନେ ସରକାରୀ କଳର ମୁଖ୍ୟ, ମଧ୍ୟ ଓଡ଼ିଆ ଶିଖିବେ ଓ ଲୋକଙ୍କର ଅସୁବିଧା ବେଶି ବୁଝିବେ । ମଣିଷର ପ୍ରାକୃତିକ ଭାଷା ଯଦି ପଠନ, ଲିଖନ, ସରବରାହ ଓ ଯୋଗାଯୋଗର ଭାଷା ହେଲା ସେ ଭାଷାର ଗତିକୁ ଯେ କେହି ରୋକିପାରିବେ ନାହିଁ ତାହା ଆମ ପାଇଁ ମାଣ୍ଡାରିନ, ଜାପାନୀ, ଥାଇ ଆଦି ଏସୀୟ ଭାଷାମାନଙ୍କଠୁ ଆରମ୍ଭ କରି ଫରାସୀ, ଜର୍ମାନ, ଋଷିଆନ, ଆରବୀ ଆଦି ଛାମୁଆଁ ଭାଷାସମୂହ ଆମ ଆଗରେ ପ୍ରମାଣ କରିଦେଇଛନ୍ତି । ଆଉ ଇଂରାଜୀକୁ ଆମର ଶତ୍ରୁ ନ ମଣି ତା' କାନ୍ଧରେ ଚଢ଼ି ଆମ୍ବ ପାରିବା କୌଶଳଟି ଏ ସାଧବର ଦାୟାଦ ଜାତିକୁ ଶିଖିବାକୁ ପଡ଼ିବ।

ଲେଖକ ପରିଚିତି:

ଶୁଭାଶିଷ ପାଣିଗ୍ରାହୀ ଜଣେ ଶିକ୍ଷା ଗବେଷକ । ସେ ଉଇକିମିଡିଆ ଫାଉଣ୍ଡେସନରୁ ଅନୁଦାନପ୍ରାପ୍ତ ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟିର ଆକସେସ ଟୁ ନଲେଜରେ ପ୍ରୋଗ୍ରାମ ଅଧିକାରୀ ଭାବେ କମ୍ପୁଟରରେ ଭାରତୀୟ ଭାଷାଶିକ୍ଷା ସମ୍ବନ୍ଧରେ କାମ କରୁଛନ୍ତି । ଉଇକିପିଡ଼ିଆ ଓ Mozilla ତଥା ଓଡ଼ିଆ ଭାଷାରେ ଇଣ୍ଟରନେଟରେ ଲୋକାଲାଇଜେସନର ମାନକ, ଓଡ଼ିଶାରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଛାତ୍ରମାନଙ୍କ ପାଇଁ ଉଇକିପିଡ଼ିଆ ସମ୍ପାଦନା ପ୍ରକଳ୍ପ, ବିଶ୍ୱସ୍ତରରେ OpenGLAMର ସଦସ୍ୟ ଓ ଭାରତୀୟ ଆମ୍ବାସାଡର ଭାବରେ ଓ OpenEducation ପ୍ରକଳ୍ପ ମାଧ୍ୟମରେ ଅଧିକ ଜ୍ଞାନର ବିତରଣର ସାଧନ ନିର୍ମାଣ, ଉଇକିମାନିଆ ଭଳି ଆନ୍ତର୍ଜାତୀୟ ସମ୍ମିଳନୀରେ ଭାଗନେଇ ଏସୀୟ ଭାଷାସମୂହ ପାଇଁ ମିଳିତ କାର୍ଯ୍ୟକ୍ରମ ତଥା ନାଗରିକ ସାମ୍ବାଦିକ ସଙ୍ଗଠନ Global Voicesର ଓଡ଼ିଆ ଲିଙ୍ଗୁଆ ମୁଖ୍ୟ ଭାବେ ସେ ଭାଷା ଗବେଷଣା ଓ ଭାଷାର କମ୍ପୁଟରୀକରଣ ପାଇଁ ବିଭିନ୍ନ ସାଧନ ନିର୍ମାଣରେ ସେ ସକ୍ରିୟ ।