You are here: Home / Openness / Blog / ୭୯ ବର୍ଷରେ ସ୍ୱତନ୍ତ୍ର ଓଡ଼ିଶା: ଶାସ୍ତ୍ରୀୟ ଓଡ଼ିଆ ଓ କମ୍ପ୍ୟୁଟରରେ ଏହାର ବ୍ୟବ‌ହାର

୭୯ ବର୍ଷରେ ସ୍ୱତନ୍ତ୍ର ଓଡ଼ିଶା: ଶାସ୍ତ୍ରୀୟ ଓଡ଼ିଆ ଓ କମ୍ପ୍ୟୁଟରରେ ଏହାର ବ୍ୟବ‌ହାର

Posted by Subhashish Panigrahi at Apr 04, 2014 06:00 PM |
This article was published in online Odia magazine "The Amalekha". It covers a brief history of the book digitization initiates in Odia language, problems with access available content in ISCII standard, scope of Unicode content and Open Access, Odia Wikipedia's further use for public and contribution.

ଓଡ଼ିଶା ହେଉଛି ଭାରତର ପ୍ରଥମ ରାଜ୍ୟ ଯାହା ସ୍ୱାଧୀନ ଭାରତରେ ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ହେଲା । ତେବେ ଓଡ଼ିଆ ଭାଷା, ଯାହାକୁ ଭିତ୍ତି କରି ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ହେଲା ତାହା ନିକଟ ଅତୀତରେ ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି ନିଜର ୨୦୦୦ ବର୍ଷରୁ ଅଧିକ ବର୍ଷର ଗୌରବଜ୍ଜଳ ଇତିହାସକୁ ଜଗତ ସମ୍ମୁଖରେ ଉନ୍ମୋଚିତ କରି । ତେବେ ଏ ମାନ୍ୟତା ଏକ ଭାଷାଭାଷୀ ମୂଳ ବାସିନ୍ଦାଙ୍କ ପାଇଁ କେବଳ ଗୋଟିଏ ବିଶେଷ ସୁଯୋଗ ଆଣିଦିଏ-ତାହା ହେଲା ଭାଷାର ବିକାଶ ନିମନ୍ତେ କେନ୍ଦ୍ର ସରକାରଙ୍କର ୫୦୦ କୋଟିର ଅନୁଦାନ ଯାହା ଭାଷାର ନାନାଦି ସାଧନ ନିର୍ମାଣରେ ସାହାଯ୍ୟ କରେ । ତେବେ ଏକ ଭାଷାର ବିକାଶରେ କେଉଁ କେଉଁ ସାଧନ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଏ ତାହା ଜାଣିବା ନିତାନ୍ତ ଜରୁରୀ । ଜଗତର ପ୍ରଥମ ପାଞ୍ଚଟି ସବୁଠାରୁ ଅଧିକ କ‌ଥିତ ଭାଷା: ମାଣ୍ଡାରିନ (ଚାଇନିଜ ଭାଷାଗୋଷ୍ଠୀ), ଇଂରାଜୀ, ହିନ୍ଦୁସ୍ଥାନୀ (ହିନ୍ଦୀ, ଉର୍ଦ୍ଦୁ ଆଦି ଭାଷାସମୂହ), ସ୍ପାନିସ ଓ ରୁସିଆନ‌ ଭାଷାମାନ‌ଙ୍କ ସ‌ହ ଓଡ଼ିଆକୁ ତୁଳନା କଲେ ଆମ ସାମନାରେ ଅନେକ ଅନାଲୋଚିତ ତ‌ଥ୍ୟ ଉନ୍ମୁକ୍ତ ହେବ । ଉପରଲିଖିତ ପାଞ୍ଚୋଟିଯାକ ଭାଷା ଭିତରୁ କେଉଁଟି ବି ମୂଳ ଭାଷା ନୁହେଁ, ଅର୍ଥାତ, ଏ ସବୁଯାକ ଭାଷା ଏକ ମୂଳ ଭାଷାରୁ ବାହାରି ଭିନ୍ନ ଭିନ୍ନ ଭାଷା ଦ୍ୱାରା ପ୍ରଭାବିତ ହୋଇ ଏକ ସ୍ୱତନ୍ତ୍ର ଭାଷା ରୂପେ ଆଧୁନିକ ଦୁନିଆରେ ଜଣାଶୁଣା । ଏମାନଙ୍କ ଭିତରୁ ସବୁଠାରୁ ପୁରାତନ ଭାଷା ମାଣ୍ଡାରିନ ଭାଷାସମୂହର ମୂଳ ତ‌ତ୍କାଳୀନ କଳିଙ୍ଗ ବା ସେମାନଙ୍କ ଉଚ୍ଚାରଣରେ "କ୍ଳିଙ୍ଗ" ଭାଷାର ଢାଞ୍ଚାରେ ନିର୍ମିତ ଯାହା ପ୍ରମାଣିତ କରେ ଆମ ସାଧବ ପୁଅମାନେ ଦୂରଦେଶକୁ କେବଳ ଆମର ପାଟଲୁଗା ଆଉ ମସଲା ନେଇଯାଇ ନଥିଲେ, ଆମର ଭାଷା, ଚଳଣି, ଧର୍ମର ଅନେକ ଧାରା ଦକ୍ଷିଣ-ପୂର୍ବ ଏସିଆକୁ ନେଇଯାଇଥିଲେ । ତେବେ ଅନେକ ଐତିହାସିକ ତ‌ଥ୍ୟ ଅଭିଲେଖର ଅଭାବରେ ପ୍ରମାଣିତ ହୋଇନ‌ପାରି ଇତିହାସ ଆଢ଼ୁଆଳରେ ରହିଯାଇଛି । ଓଡ଼ିଆକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇଁ ବରିଷ୍ଠ ଭାଷାବିଦ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ନେତୃତ୍ୱରେ ଯେଉଁ କମିଟି ଗଢ଼ାଯାଇଥିଲା ସେଥିରେ ପ୍ରମାଣସ୍ୱରୂପ କେତେକ ଅଭିଲେଖର ଉପସ୍ଥାପନା କରାଯାଇଛି । କିନ୍ତୁ ଖାରବେଳଙ୍କ ଦ୍ୱାରା ଖୋଦିତ ଖଣ୍ଡଗିରିର ହାତୀଗୁମ୍ଫା ଶିଳାଲେଖକୁ ବାଦ‌ଦେଲେ ଆଉ କିଛି ପୁରୁଣା ଲେଖ ମିଳିପାରିଲା ନାହିଁ । ତେବେ ଭାଷାଟିଏ ଜଣାଶୁଣା ହେବା ପାଇଁ ଯେ ଏହା ପୁରାତନ ହେବା ଜରୁରୀ ନୁହେଁ ତାହା ଓଡ଼ିଆ ସ‌ହିତ ପୃଥିବୀର ୫ଟି ଭାଷାକୁ ତୁଳନା କଲେ ସ୍ପଷ୍ଟ ଜଣାପଡ଼େ । ତେବେ କିଭଳି ଭାବେ ଭାଷା ବିଶ୍ୱସାରା ବ୍ୟାପେ, ଏହା ଚିନ୍ତା କରିବାର ବେଳ ଆସିଛି ।

ଭାଷାଟିଏ ସମୃଦ୍ଧ ହୁଏ ବ୍ୟବ‌ହାରରୁ । ଯେଉଁ ଭାଷା ସାଧାରଣ ଜୀବନ ସ‌ହ ଯେତେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ସେ ଭାଷା ସେତେ ଅଧିକ ପ୍ରବ‌ହ‌ମାନ । ଭାଷା ବ୍ୟାପେ ଲିଖନ ଓ ପଠନରୁ । ଜଗତର ସମସ୍ତ ଜଣାଶୁଣା ଭାଷାର ସାହିତ୍ୟ କେବଳ ସେହି ଭାଷାଭାଷୀ ଲୋକଙ୍କ ମଧ୍ୟରେ ସୀମିତ ନ‌ଥାଏ, ତାହା ଅନୁଦିତ ହୋଇ ବିଶ୍ୱସାହିତ୍ୟ ସମାଜରେ ପଠିତ ହୁଏ । ସରଳ ଭାଷାରେ କ‌ହିଲେ ଯେତେ ଓଡ଼ିଆ ସାହିତ୍ୟ, ଓଡ଼ିଶାର କ‌ଥା ବିଶ୍ୱର ବାକି ଭାଷାମାନଙ୍କରେ ଲିଖିତ ହେବ ଓଡ଼ିଆ ବିଶ୍ୱସ୍ତରରେ ସେତେ ପ୍ରସିଦ୍ଧି ଲାଭ କରିବ । ଭାଷାର ନିଅଁ ଦମ୍ଭିଲା ହୁଏ ସରକାରୀ ପ୍ରୋତ୍ସାହ‌ନରୁ । ଯେଉଁ ସମୟରେ ପଶ୍ଚିମ‌ବଙ୍ଗରେ ସରକାରୀଭାବେ ଇଂରାଜୀ ଶିକ୍ଷା, ଇଂରାଜୀରେ ସରକାରୀ ନ‌ଥିପ‌ତ୍ରରେ କାମ କରିବା ଉପରେ ଜୋର ଦିଆଯାଉଥିଲା ସେହି ଏକା ସମୟରେ ବଙ୍ଗଳାଦେଶରେ ବଙ୍ଗଳା ଭାଷାକୁ ସରକାରୀ କଳରେ ବାଧ୍ୟତାମୂଳକ କରି, ଶିକ୍ଷାଦୀକ୍ଷାର ମାଧ୍ୟମ କରିବା କ୍ଷେତ୍ରରେ ଆନ୍ଦୋଳନ ଚାଲିଥିଲା । ଏହି ଆନ୍ଦୋଳନରେ ପ୍ରାଣବଳି ଦେଇଥିଲେ ଅନେକ ଭାଷା ପ୍ରେମୀ ଯାହାଙ୍କ ସ୍ମୃତିରେ ଇଉନେସ୍କୋ ଫେବ୍ରୁଆରି ୧୫କୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ଭାବେ ପାଳନ କରେ । ଯେଉଁ ଭାଷା ଯେତେ ସ‌ହଜରେ ଅଧିକ ଲୋକଙ୍କ ପାଖରେ ପ‌ହ‌ଞ୍ଚିପାରେ ସେ ଭାଷା ସେତେ ଅଧିକ ପଠିତ ହୁଏ । ଏ ତିନୋଟି ମୁଖ୍ୟ ପଦଃକ୍ଷେପ ଭିତରୁ ଜଣେ ସାଧାରଣ ପାଠକ ଓ ଲେଖକର ହାତରେ ପ୍ରଥମ ଓ ତୃତୀୟଟି ସମ୍ପୂର୍ଣ୍ଣ ଭାବେ ର‌ହିଛି । ଓଡ଼ିଆ ଭାଷାରେ ଅଧିକ ବ‌ହିପ‌ତ୍ର ପଢ଼ିବା, ତାହାକୁ ଅନ୍ୟଭାଷାରେ ଅନୁବାଦ କରିବା, ନିଜ ଅଞ୍ଚଳର, ଗୋଷ୍ଠୀର ଅନେକ ନିଆରା ପରମ୍ପରା, ଲୋକସାହିତ୍ୟକୁ ବିଶ୍ୱର ବାକି ଭାଷାରେ ଲେଖି ଜ୍ଞାନର ବିତରଣ କରିବା ଦ୍ୱାରା ଅନେକ ଅନାଲୋଚିତ ବିଷୟବସ୍ତୁ ଉପରେ ପାଠକର ଆଗ୍ରହ ବଢ଼େ । ଏହା ପରୋକ୍ଷରେ ସାହିତ୍ୟ, ଭାଷା, ପରମ୍ପରା ଓ ପର୍ଯ୍ୟଟନର ବିକାଶର ପ‌ଥ ପ୍ରସାରଣ କରେ । ଭାବନ୍ତୁ, ଯଦି ଭାଷାଟିଏକୁ ଛିଡ଼ା କରାଇବା ପାଇଁ ଆନ୍ଦୋଳନ କରୁଥିବା ଯୁବଗୋଷ୍ଠୀଙ୍କ ଭିତରୁ ଇଂରାଜୀରେ ବଙ୍ଗର ଜନ‌ଜୀବନ ଉପରେ ଲେଖିବା ପାଇଁ ରବୀନ୍ଦ୍ରନାଥଟିଏ ବାହାରି ନ‌ଥାନ୍ତା ତାହେଲେ ଆଜି ବଙ୍ଗଳା ଭାଷା ବିଶ୍ୱର ସ‌ପ୍ତମ କ‌ଥିତ ଭାଷା ଭାବେ ପରିଗଣିତ ହୋଇଥାନ୍ତା କି?

ପୁରୁଣା ବ‌ହିର ଅଭିଲେଖ:

୧୮୧୧ ରୁ ଆରମ୍ଭ କରି ୧୯୫୦ ମସିହା ମଧ୍ୟରେ ପ୍ରକାଶିତ ଅନେକ ଓଡ଼ିଆ ବ‌ହି ପୁରୁଣା କାଗଜ, ରକ୍ଷଣାବେକ୍ଷଣା ଅଭାବରୁ ନଷ୍ଟ ହେଇଯାଉଥିବା ଲକ୍ଷ କରି ଭୁବନେଶ୍ୱରର ସୃଜନିକା ଦ୍ୱାରା ସେସବୁ ବ‌ହିର ଡିଜିଟାଲ ସଂସ୍କରଣ ତିଆରି କାମ କିଛି ବର୍ଷ ତଳେ ଆରମ୍ଭ ହୋଇଥିଲା । ଏଯାବତ ପାଖାପାଖି ୭୪୦ ଖଣ୍ଡ ଓଡ଼ିଆ ବ‌ହି, ପ‌ତ୍ରପ‌ତ୍ରିକା ଆଦି ଡିଜିଟାଲ ରୂପରେ ଉପଲବ୍ଧ ଯାହା ଓଡ଼ିଆ ଭାଷାର ଇତିହାସରେ ଏଯାବତ ସର୍ବାଧିକ । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକନେଲୋଜି (NIT), ରାଉରକେଲା ସ‌ହ‌ଯୋଗରେ ସୃଜନିକା ବ‌ହିସବୁକୁ ସ୍କାନ କରି ପରେ ସ୍ୱେଚ୍ଛାସେବୀମାନଙ୍କ ସ‌ହାୟତାରେ ପିଡ଼ିଏଫ ଫର୍ମାଟରେ ଏହି ବ‌ହି ଓ ପାଣ୍ଡୁଲିପି ଆଦିର ଡିଜିଟାଲ ଅଭିଲେଖ ତିଆରି କରିଛନ୍ତି । ଅଧୁନା oaob.nitrkl.ac.in ରେ ୨୪୦ ଖଣ୍ଡ ବ‌ହି ଡାଉନଲୋଡ଼ ପାଇଁ ଖୋଲାରେ ବିତରଣ ହେଉଥିବା ବେଳେ ବାକି ବ‌ହି ସୃଜନିକା ଦ୍ୱାରା ସିଡ଼ି/ଡିଭିଡ଼ି/ପେନ‌ଡ୍ରାଇଭରେ ମିଳୁଛି । ଏହି ବ‌ହି ଭିତରେ ରହିଛି ସମ୍ପୂର୍ଣ୍ଣ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ୧୮୧୧ରୁ ୧୯୪୨ ଭିତରେ ସଂକଳିତ ପାଖାପାଖି ୨୬ ଗୋଟି ଅଭିଧାନ, ୧୮୫୦ରୁ ୧୯୫୦ ଭିତରର ୧୦୦ ବର୍ଷରେ ଛପାଯାଇଥିବା ଅନେକ ବିଜ୍ଞାନ, ସାହିତ୍ୟ, ଇତିହାସ ଓ ଗବେଷଣାଧର୍ମୀ ବ‌ହି । ୬୧ଟି ପ‌ତ୍ରିକା ଓ ୧୪ଟି ତ‌ତ୍କାଳୀନ ଖବରକାଗଜରୁ ପାଖାପାଖି ୧,୨୦,୦୦୦ ପୃଷ୍ଠା ଡିଜିଟାଲ ମାଧ୍ୟମରେ ସଂରକ୍ଷିତ କରାଯାଇପାରିଛି । ନିକଟ ଅତୀତରେ ସଂସ୍କୃତି ବିଭାଗ ତରଫରୁ ପୁରାତନ ଅନେକ ଓଡ଼ିଆ ବ‌ହିର ଡିଜିଟାଲ ସଂସ୍କରଣ ଆରମ୍ଭ କରାଯାଇଛି । ତେବେ କି କି ବ‌ହିର ଡିଜିଟାଲ ରୂପ ସରକାରଙ୍କ ତରଫରୁ କରାଯାଉଛି ତାହା ଅଗୋଚରରେ ରହିଛି । ୨୦୦୪ ପରଠାରୁ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରକାଶିତ ଉତ୍କଳ ପ୍ରସଙ୍ଗ (ଓଡ଼ିଆରେ) ଓ Orissa Review (ଇଂରାଜୀରେ) http://orissa.gov.in/e-magazine/utkalprasanga/utkalprasanga.htm ୱେବସାଇଟରେ ଉପଲବ୍ଧ ଯେଉଁଥିରେ ଓଡ଼ିଶା ସମ୍ବନ୍ଧିତ ଅନେକ ଗବେଷଣା ସମ୍ବଳିତ ରଚନା ସ୍ଥାନ ପାଇଛି । orissabigyanacademy.nic.in ୱେବସାଇଟରେ ଅନେକ ଉପାଦେୟ ଓଡ଼ିଆ ବିଜ୍ଞାନ ଲେଖା, ବିଶେଷ କରି ବିଜ୍ଞାନ ଦିଗନ୍ତ ପ‌ତ୍ରିକାର ସଂଖ୍ୟାସବୁ ଉପଲବ୍ଧ ଯାହା ପଢ଼ାଯାଇପାରିବ । ପ୍ରମୁଖ ଓଡ଼ିଆ ଖବରକାଗଜ ଓ ପ‌ତ୍ରପ‌ତ୍ରିକାମାନଙ୍କର ୱେବସାଇଟରେ ଖବର ଓ ଲେଖାସବୁ ରହିଛି ଯାହା ଭିତରୁ କିଛି ଆର୍କାଇଭ ହୋଇଛି ଆଉ କିଛି ହୋଇନାହିଁ । ତେବେ ଉପରେ ବର୍ଣ୍ଣିତ ସମସ୍ତ ବ‌ହି କେବଳ ପଢ଼ିହେବ । ତାହା ନାଁ ଇଣ୍ଟରନେଟରେ ଓଡ଼ିଆରେ ଟାଇପ କରି ଖୋଜିହେବ ନାଁ ଲେଖାକୁ ପୁନ‌ବ୍ୟବ‌ହାର କରିହେବ ।

ଓଡ଼ିଆରେ କମ୍ପ୍ୟୁଟରରେ ଟାଇପ କରିବା:

ଓଡ଼ିଆ ଭାଷାରେ ପ୍ରଥମ ଛାପାକଳରୁ ଛପା ହେବା ପରଠାରୁ ଆଜିଯାଏ ହୁଏତ ଅସଂଖ୍ୟ ବ‌ହି ଛପାଯାଇଥିବ । ତେବେ ସେସବୁକୁ ଖୋଜିବସିଲେ ସ‌ହଜରେ ମିଳିବ କି? ଏଠାରେ ଆଉ ଏକ ବିରାଟ ଛିଡ଼ାହୁଏ ଆମ ଆଗରେ, ଯାହା ହେଲା ସ‌ହଜଲବ୍ଧ ଅଭିଲେଖ ବା ଆର୍କାଇଭ । ଯଦି ମୋତେ ଗୀତଗୋବିନ୍ଦ କାବ୍ୟର ଏକ ପଙ୍‌କ୍ତି ପଢ଼ିବାର ଅଛି ତାହେଲେ ମୁଁ ଜୟଦେବଙ୍କ ଲିଖିତ ବିରଳ ତାଳପ‌ତ୍ର ପୋଥିଟି ଖୋଜିବି କି? ମୁଁ ପ୍ରଥମେ ଇଣ୍ଟରନେଟରେ ଖୋଜିବସିବି ଲାଇବ୍ରେରି ଯିବା ଆଗରୁ । ଆଧୁନିକ ଯୁଗରେ ମଣିଷର ବ‌ହି ସ‌ହ ସମ୍ବନ୍ଧ ଯେତେ ଘୁଞ୍ଚି ଘୁଞ୍ଚି ଯାଉଛି ଇଣ୍ଟରନେଟ ଉପରେ ନିର୍ଭରଶୀଳତା ସେତେ ବଢ଼ି ବଢ଼ି ଯାଉଛି । ତେବେ ନୂତନ-ପୁରାତନ ବ‌ହିର ସବୁ ପାଠ ଯଦି ସ‌ହଜରେ ମିଳିପାରନ୍ତା ତେବେ ପାଠକଟିଏ ଯେତେବେଳେ ଯାହା ଚାହିଁବ ତାହା ପଢ଼ିପାରିବ । ଯେଉଁ ଭାଷାରେ ଏ ସାଧନ ଯେତେ ଅଧିକ ସେ ଭାଷା ପାଠକ ତିଆରି କରିବାରେ ସେତେ ସଫଳ । ଏ ବିଷୟରେ ଭାବିଲେ ଆମ ମନରେ ଯେଉଁ ପ୍ରଥମ ଭାଷାଟି ଉଙ୍କିମାରେ ତାହା ହେଲା ଇଂରାଜୀ । ଆମେ ଓଡ଼ିଆ ବା ଓଡ଼ିଶା ବିଷୟରେ ଇଣ୍ଟରନେଟରେ କିଛି ଖୋଜିବା ବେଳେ ଯାହା ଗୁଗଲରେ ଟାଇପ କରୁ ସେ ବି ହେଉଛି ଇଂରାଜୀ ଭାଷା । ତେବେ ଓଡ଼ିଆରେ ଟାଇପ କରି ଓଡ଼ିଆରେ ପଢ଼ିବାରେ ଓ ଲେଖିବାରେ ବାଟ ବି ଖୋଲିଛି ତାହା ଉଣା ଅଧିକେ ଅନେକେ ଜାଣି ନ‌ଥିବେ । ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ପ୍ରାୟ ସମସ୍ତ ଭାଷା କମ୍ପ୍ୟୁଟରରରେ ବ୍ୟବ‌ହାରଯୋଗ୍ୟ । ଓଡ଼ିଶାରେ ଆଜିର ସମୟରେ ଅଧିକାଂଶ ବ୍ୟବ‌ହାରକାରୀ ମାଇକ୍ରୋସଫ୍ଟ ଉଇଣ୍ଡୋଜର ଅପରେଟିଙ୍ଗ ସିଷ୍ଟମ ବ୍ୟବ‌ହାର କରିଥାନ୍ତି । ଉଇଣ୍ଡୋଜ ଭିସ୍ତା ନାମକ ଅପରେଟିଙ୍ଗ ସିଷ୍ଟମର ସସ୍କରଣ ଆସିବା ଯାଏଁ ଓଡ଼ିଆରେ କମ୍ପ୍ୟୁଟରରେ ଲେଖାପଢ଼ା ସମ୍ପୁର୍ଣ୍ଣ ଭାବେ ସମ୍ଭବ ହୋଇପାରୁନ‌ଥଲା । ତେବେ ଭିସ୍ତା ପରଠାରୁ ଏହି ଅସୁବିଧା ଆପାତ‌ତଃ ଦୂର ହେଲା । ଆଜିର ସମୟରେ ବିଭିନ୍ନ ଅପରେଟିଙ୍ଗ ସିଷ୍ଟମ ଯଥା: ମାଇକ୍ରୋସଫ୍ଟ ଉଇଣ୍ଡୋଜ, ଲିନ‌କ୍ସ ଓ ଆପଲ ମ୍ୟାକ ଆଦିରେ ଓଡ଼ିଆରେ ପଢ଼ିବା ଓ ଲେଖିବାରେ ବିଶେଷ କିଛି ଅସୁବିଧା ପ୍ରାୟ ନାହିଁ । କିନ୍ତୁ ଯଦି ଓଡ଼ିଆ ଅକ୍ଷର ଚିହ୍ନୁଥିବା ଯେକୌଣସି କମ୍ପ୍ୟୁଟର ବ୍ୟବ‌ହାରକାରୀକୁ କେହି ପଚାରନ୍ତି ଓଡ଼ିଆରେ କିଛି ଟାଇପ କରି ଲେଖିବା ନିମନ୍ତେ, ୧୦୦ରୁ ଜଣେ କି ଦୁଇଜଣ ନିଜର କ୍ଷମତା ପ୍ରକାଶ କରିବେ କି ସେ ସନ୍ଦେହର କ‌ଥା । ଏହାର ମୂଳ କାରଣ ହେଲା ସ୍କ୍ୁଲ, କଲେଜ ପଢ଼ାରେ ଓଡ଼ିଆରେ ଟାଇପିଙ୍ଗ କରିବା କ୍ଷେତ୍ରରେ କିଛି ତାଲିମ ଛାତ୍ରଛାତ୍ରୀମାନେ ପାଇନ‌ଥାନ୍ତି । ଓଡ଼ିଆରେ ଯେ ଲେଖିହେବ ଓ କମ୍ପ୍ୟୁଟରରେ ଏହାକୁ ଇଂରାଜୀ ଭଳି ସ‌ହଜରେ ବ୍ୟବ‌ହାର କରିହେବ ଏହା ଅନେକ‌ଙ୍କୁ ଆକାଶ କଇଆଁ ଭଳି ଲାଗିବ । ତେବେ ଏହା ଶତକଡ଼ା ଶହେ ସମ୍ବବ । ତେବେ ଓଡ଼ିଆରେ ଟାଇପ କରି ଲେଖିବାରେ ଯେଉଁ ମୂଳ ପ୍ରତିବନ୍ଧକଟି ଅଛି ତାହା ହେଲେ ନାନାଦି ଅନ୍ଧବିଶ୍ୱାସ । କେବଳ ବିରାଡ଼ିକୁ ଦେଖି ପଛକୁ ଗାଡ଼ି ନେବା ଅନ୍ଧବିଶ୍ୱାସ ନୁହେଁ, ଭାଷାଶିକ୍ଷଣ କ୍ଷେତ୍ରରେ ମଧ୍ୟ ଅନେକ ନ‌କଲି ଅନ୍ଧବିଶ୍ୱାସ ଅଛି । ତା ଭିତରୁ ପ୍ରଥମଟି ହେଲା ଅନେକେ କମ୍ପ୍ୟୁଟରରେ ଓଡ଼ିଆରେ ଲେଖିବା କ‌ଥା ଆସିଲେ ଭାବି ବସନ୍ତି ଛାପାଖାନାରେ ଛପା ହେଉଥିବା ବ‌ହି ବାବଦରେ । ଆଜି ଡିଜିଟାଲ ପ୍ରକାଶନ (ଡିଟିପି)ର ବ‌ହୁଳତା ଆଗକାଳର ବିଶାଳକାୟ ଛାପାକଳ ସବୁକୁ ଅତୀତକୁ ଠେଲିଦେଇଛି । କିନ୍ତୁ ଆଜି ବି ଆମର ଛପା ପାଇଁ ବ୍ୟବ‌ହାର ହେଉଥିବା ସଫ୍ଟ୍ୱାରଠୁ ଆରମ୍ଭ କରି ଲେଖାରେ ବ୍ୟବ‌ହାର ହେଉଥିବା ଫଣ୍ଟ ବା କମ୍ପ୍ୟୁଟରର ଅକ୍ଷରସଜାଣି ମାନ‌ଧାତା ଅମଳର । ନ‌ବେ ଦଶକର ଶେଷ ଆଡ଼କୁ ଯେଉଁ ISCII (Indian Script Code for Information Interchange) ନାମକ ମାନ‌କର ଆରମ୍ଭ ହୋଇଥିଲା କିଛି ବର୍ଷ ପରେ ଇଉନିକୋଡ଼ ନାମକ ନୂଆ ମାନ‌କ ତାକୁ ଆଜି ବି ଦୂରେଇପାରିନାହିଁ । ଫଳତଃ ଆଜିଯାଏ ଓଡ଼ିଆରେ ଡିଟିପି କରାଯାଇଥିବା ପାଖାପାଖି ସମସ୍ତ ଲେଖା ଇଣ୍ଟରନେଟରେ ନା ଖୋଜିହେବ ନା ଆଉ କାହା ସଙ୍ଗେ ବାଣ୍ଟି କରିହେବ । କେଇ ଦଶନ୍ଧି ତଳେ ଆପଣଙ୍କ କମ୍ପ୍ୟୁଟରରେ ଓଡ଼ିଆ ଫଣ୍ଟ ନ ଥିଲେ ଓଡ଼ିଆ ଅକ୍ଷର ବଦଳରେ ଯେଉଁ ଚାରିକୋଣିଆ ଘର ଦେଖିବାକୁ ମିଳୁଥିଲା ଓଡ଼ିଆ ଡିଟିପିରେ ଆଜି ବି ଯେଉଁ ଫଣ୍ଟ ବ୍ୟବ‌ହାର ହେଉଛି ସେ ସେଇ ଏକା ଫଳ ଦେବ । ଭାଷାର ବିକାଶରେ ଆଧୁନିକ ଜ୍ଞାନ‌କୌଶଳ ବିଶେଷ ଜରୁରୀ ଯାହା ଗତାନୁଗତିକ ଏହି ପ୍ରଚଳିତ ଟାଇପିଙ୍ଗକୁ ଦୂରକୁ ଫିଙ୍ଗିଦେବାକୁ ପଡ଼ିବ। ଦୁଃଖର ବିଷୟ ଆମର ପ୍ରାୟ ସମସ୍ତ ଖବରକାଗଜଙ୍କର ପ୍ରକାଶନ ଏହି ସବୁ ISCII ଫଣ୍ଟରେ ଲେଖାହୋଇଥିବାରୁ ସେସବୁ ଇଣ୍ଟରନେଟରେ ଖୋଜାଯାଇପାରିବ ନାହିଁ ।

ଇଉନିକୋଡ଼ ମାଧ୍ୟମ (Unicode standards):

ଇଉନିକୋଡ଼ ଏକ ଆନ୍ତର୍ଜାତୀକ ମାନ‌କ ଯାହା ଏକ ଭାଷାକୁ ଅନ୍ୟ ଭାଷାର ସମକକ୍ଷ କରାଇଥାଏ ଓ ଏହା ସଙ୍ଗେ ସଙ୍ଗେ ଏଥିରେ ଲେଖାଥିବା ଲେଖାକୁ ଇଣ୍ଟରନେଟରେ ସ‌ହଜରେ ଖୋଜିହୁଏ, କପି କରି ବାକିମାନଙ୍କ ସ‌ହ ବିତରଣ କରିହୁଏ ଆଉ ସବୁଠାରୁ ବଡ଼ କ‌ଥା ହେଲା ଏହା ପାଇଁ କୌଣସି ଫଣ୍ଟ ଇନଷ୍ଟଲ କରିବାକୁ ପଡ଼େନାହିଁ । ଓଡ଼ିଆରେ ବି ଇଉନିକୋଡ଼ର ବିକାଶ ହୋଇଛି । ହେଲେ ଆମର ଖବରକାଗଜ ସମେତ ବାକି ସମସ୍ତ ଛାପାଖାନା ଆଜିଯାଏ ପୁରୁଣା ISCII ମାନ‌କରେ କରା‌ଯାଏ । ତେବେ ଛାପାଖାନାସବୁ ଯେ ଇଉନିକୋଡ଼ର ଉପ‌ଯୋଗୀତା ବୁଝିନାହାନ୍ତି ବା ଆବଶ୍ୟକ‌ତା ଅନୁଭବ କରିନାହାନ୍ତି କିମ୍ବା ନିଜର ଗତାନୁଗତିକ ଧାରାରୁ ବାହାରି କିଛି ଅଲଗା କରିବାକୁ ଇଚ୍ଛୁକ ନୁହ‌ଁନ୍ତି ତାହା ନୁହେଁ, କିନ୍ତୁ ନୂଆ କିଛି ବ୍ୟବ‌ହାର କରିବାକୁ ପଛଘୁଞ୍ଚା ଦେଉଛନ୍ତି । କିଛି ମାସ ତଳେ ସ୍କାଇବସ (Scribus) ସଫ୍ଟ୍ୱାର ବ୍ୟବ‌ହାର କରି ତେଲୁଗୁ ଖବରକାଗଜ "ପ୍ରଜାଶକ୍ତି" ଇଉନିକୋଡ଼ ଫଣ୍ଟରେ ଖବରକାଗଜ ଛପାଇ ଇତିହାସ ତିଆରି କଲା । ଓଡ଼ିଆରେ ବି ଏହା ଅସମ୍ଭବ ନୁହେଁ । ତେବେ ଆମ ପାଖରେ ଉପଲବ୍ଧ ଥିବା ବ‌ହିଗୁଡ଼ିକ ଯେତେବେଳ ଯାଏଁ ଇଣ୍ଟରନେଟରେ ଉପଲବ୍ଧ ନ କରାଯାଇଛି ସେଯାଏଁ କେହି ସେସବୁକୁ ଲାଇବ୍ରେରି ନ ଯାଇ ପଢ଼ିପାରିବେ ନାହିଁ । ଆଜିର ତାରିଖରେ ୨୫-୩୦ ବର୍ଷ ବୟସରୁ କମ ପ୍ରାୟ ଓଡ଼ିଆ ହୁଏତ ଓଡ଼ିଆ ଅକ୍ଷର ଚିହ୍ନିବାକୁ ବି ହୁଡ଼ିବେ । ଭାଷା କେବଳ ଗପ-କବିତା ରଚନା ଓ ଉପାଧୀ-ସମ୍ମାନ ପ୍ରଦାନରେ ସମୃଦ୍ଧ ହୁଏ ନାହିଁ । ଯଦି ଆମ ଭାଷାର ବଡ଼ବଡ଼ୁଆମାନେ ଭାଷାକୁ ସାଧାରଣ ଜୀବନରେ ବ୍ୟବ‌ହାର ନ କରିଥାନ୍ତେ ତାହେଲେ ଆମେ ଆଜି ନିଜକୁ ଭାଷା ଭିତ୍ତିରେ ଏକ ରାଜ୍ୟ ଭାବରେ ପରିଚୟ ଦେଉନ‌ଥାନ୍ତୁ । ଆଉ ମଧୁବାବୁ-ଫକୀରମୋହ‌ନ-ଗଙ୍ଗାଧର-ରାଧାନାଥ ପ୍ରମୁଖ ନିଜ ସମୟଠାରୁ ଯଥେଷ୍ଟ ଆଗରେ ଚାଲୁଥିଲେ । ସେମାନଙ୍କ ଲେଖା ଆଜି ମାନ‌କ ଲେଖାର ମୂଳଦୁଆ ଗଢ଼ିଛି । ଆଜି ଆମେ ଯଦି ଆମ ସମୟର ସମତାଳରେ ନ ଚାଲି ଅପ୍ରଚଳିତ ଟେକନୋଲୋଜିକୁ ଆପଣାଇ ପୃଷ୍ଠା ପରେ ପୃଷ୍ଠା ରଚନା କରିଚାଲିବା ତାହା ଭବିଷ୍ୟତର ପିଢ଼ି ନିମନ୍ତେ ଉପଯୋଗୀ ହେବ ତ? ଆମେ ସମସ୍ତେ ଯଦି ଆମ ଚାରିପାଖର ଘଟଣାବଳୀକୁ ଟିକେ ନିରେଖି ଦେଖିବା ତାହେଲେ ଅନେକ ବିଷୟ ଫର୍ଚା ହୋଇ‌ ଦିଶିବ । ସମ‌ଭାବରେ ଦେଖିଲେ ଯେତେବେଳେ ଭାଷାର ପାଠକ ସଂଖ୍ୟା କମି କମି ଯାଉଛି ସେତେବେଳେ ଆଉ କିଛି ବ‌ହି ଛପାଇ, କିଛି କମିଟି ତିଆରି କରିବା ଠାରୁ ସ୍କୁଲ, କଲେଜ ସ୍ତରରେ ଓଡ଼ିଆ ଶିକ୍ଷାକୁ ସମ୍ପୂର୍ଣ୍ଣ ବାଧ୍ୟତାମୂଳକ କରି ପିଲାଙ୍କୁ କମ୍ପ୍ୟୁଟର, ମଜା ମଜା ଖେଳ ଆଦି ମାଧ୍ୟମରେ ଓଡ଼ିଆ ଶିକ୍ଷା ଦେବା ନିତାନ୍ତ ଜରୁରୀ । ଓଡ଼ିଆ ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇବା ପରେ ଯେଉଁ ୫୦୦ କୋଟି ଅର୍ଥ ଭାଷାର ବିକାଶରେ ଖର୍ଚ୍ଚ ହେବା ନିମନ୍ତେ ଯୋଜନା ହେଉଛି ଏଥିରେ ଓଡ଼ିଆରେ କମ୍ପ୍ୟୁଟର ଓ ଇଣ୍ଟରନେଟ ମାଧ୍ୟମରେ ଶିକ୍ଷାଦାନ ଏକ ମୁଖ୍ୟ ପଦଃକ୍ଷେପ ହେବା ଉଚିତ । ଆମ ଭାଷାରେ ଏଯାବତ ଲେଖାଯାଇଥିବା ଅନେକ ପୋଥିପୁସ୍ତକ ଅଭିଲେଖାଗାରରେ ଧୀରେ ଧୀରେ କୀଟଙ୍କ ଦାଉରୁ ନଷ୍ଟ ହୋଇଯାଉଛି । ସେସବୁକୁ ସ୍କାନ କରି ଇଣ୍ଟରନେଟରେ ମାଗଣାରେ ଉପଲବ୍ଧ କରାଇଲେ ତାହା ଅନେକଙ୍କ ଜ୍ଞାନ ପିପାସା ମେଣ୍ଟାଇବ । ଓଡ଼ିଶାରେ ଓଡ଼ିଆ ଭାଷାରେ ଲେଖାଥିବା ପୃଥିବୀର ସର୍ବାଧିକ ତାଳପ‌ତ୍ର ପୋଥି ଅଛି (ଯାହା ୨୦,୦୦୦ ରୁ ଅଧିକ) । ଏଥିରେ ଅନେକ ମୁଖ୍ୟତଃ ରାଜ୍ୟ ସଂଗ୍ରହାଳୟରେ ରଖା‌ଯାଇଛି ଆଉ କିଛି ବ୍ୟକ୍ତିଗତ ମାଲିକାନାରେ ରହିଛି । ଏହି ସବୁ ପୋଥିର ଲେଖାକୁ ମଧ୍ୟ ସର୍ବସାଧାରଣରେ ଉନ୍ମୋଚନ କରିବାର ମାନସିକ ପରିବର୍ତ୍ତନର ଆବଶ୍ୟକ‌ତା ରହିଛି ।

ଓଡ଼ିଆ ଉଇକିପିଡ଼ିଆ: କପିରାଇଟ ନ‌ଥିବା ଏକ ଜ୍ଞାନ‌କୋଷ, ଯହିଁରେ ସମସ୍ତେ ଲେଖିପାରିବେ

ଏକ ଭାଷାର ଚଳନ୍ତି ଇତିହାସ ହେଲା ଜ୍ଞାନ‌କୋଷ ବା ଏନସାଇକ୍ଲୋପିଡ଼ିଆ ଯେଉଁଥିରେ ଜଗତର ସମସ୍ତ ଜ୍ଞାନ ସାଇତାହୋଇ ରହିଥାଏ । ଗୋପାଳ ପ୍ରହରାଜ ଓ ବିନୋଦ କାନୁନ‌ଗୋଙ୍କ ପରେ ବିଶେଷ କିଛି ଉଦ୍ୟମ ଓଡ଼ିଆରେ ଜ୍ଞାନ‌କୋଷ ଲିଖନ ପାଇଁ ହୋଇପାରିନ‌ଥିଲା । ଆଧୁନିକ ପାଠକଙ୍କ ଇଣ୍ଟରନେଟର ଜ୍ଞାନ ଆହରଣର ଭବିଷ୍ୟତକୁ ଆଖିରେ ରଖି ଓଡ଼ିଆ ଉଇକିପିଡ଼ିଆ ଆରମ୍ଭ ହୋଇଥିଲା ୨୦୦୨ରେ ପ୍ରଥମ ଭାରତୀୟ ଭାଷାର ଉଇକିପିଡ଼ିଆ ଭାବରେ । ଓଡ଼ିଆ ଉଇକିପିଡ଼ିଆ ଇଣ୍ଟରନେଟରେ or.wikipedia.org ରେ ଉପଲବ୍ଧ । ଧରାବନ୍ଧା ହାତଗଣତି ସଂକଳକଙ୍କ ଦ୍ୱାରା ଏହାର ସମ୍ପାଦନା ନ କରି ଏଥିରେ ସମସ୍ତ ଜନସାଧାରଣଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ଓଡ଼ିଆ ଉଇକିପିଡ଼ିଆର ଆରମ୍ଭ । ଏଯାବତ ୫୩୦୦ରୁ ଅଧିକ ପ୍ରସଙ୍ଗ ଏଥିରେ ଲେଖାହୋଇସାରିଛି । ତେବେ ଅଧିକ ଉତ୍ସାହୀ ଲେଖକଙ୍କ ଯୋଗଦାନରେ ଏହି ଭଳି ସାମୁହିକ ଉଦ୍ୟମ ଫଳବତୀ ହୋଇପାରିବ।

ପାଠକ, ସାହିତ୍ୟାନୁରାଗୀ, ଭାଷା ଗବେଷକ, ଭାଷାର କମ୍ପ୍ୟୁଟରରେ ବିକାଶ କରୁଥିବା ବିଜ୍ଞାନୀ ଏକ ମଞ୍ଚରେ ଆଲୋଚନା କରି ଭାଷାର ବିଭିନ୍ନ ସାଧନ ନିର୍ଣ୍ଣୟ କରିପାରିଲେ ଓଡ଼ିଆର ଶାସ୍ତ୍ରୀୟ ଭାଷା ମାନ୍ୟତା ସଫଳ ହେବ । ଯୁବଶକ୍ତିକୁ ବିନିଯୋଗ କରି ଭାଷାର ବିକାଶରେ ମୁଖ୍ୟ ସମସ୍ୟାଗୁଡ଼ିକର ସମାଧାନ କରା‌ଯାଇପାରିବ । ପାଠକର ଆବଶ୍ୟକ‌ତା ଜାଣି ପାଠର ମାଧ୍ୟମ ବଦଳାଇପାରିଲେ ଓଡ଼ିଆ ଭାଷା ନିଶ୍ଚିତ ଜଗତର ଅନ୍ୟାନ୍ୟ ଜଣାଶୁଣା ଭାଷା ଭିତରୁ ଏକ ହେବ ।

ଅଧିକ ପଠନ:

୧. ପୁରୁଣା ଓଡ଼ିଆ ବ‌ହି ଡିଜିଟାଲ ରୂପରେ: oaob.nitrkl.ac.in

୨. ଓଡ଼ିଆ ଉଇକିପିଡ଼ିଆ, ଏକ ଖୋଲା ଜ୍ଞାନ‌କୋଷ: or.wikipedia.org

୩. ଓଡ଼ିଆରେ ଟାଇପ କରିବା ଉପରେ ଶିକ୍ଷଣ: or.wikipedia.org/wiki/Help:Typing

୪. ଓଡ଼ିଆରେ ଲେଖିବା ପାଇଁ ସାଧନ (ମାଇକ୍ରୋସଫ୍ଟ ଉଇଣ୍ଡୋଜ ବ୍ୟବ‌ହାରକାରୀଙ୍କ ନିମନ୍ତେ): bhashaindia.com/ilit/Oriya.aspx

୫. ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଭାଷାକୋଷ: http://dsal.uchicago.edu/dictionaries/praharaj (ଡାଉନଲୋଡ଼ ନିମନ୍ତେ bitly.com/bhashakosha ଦେଖନ୍ତୁ)

ଲେଖକ ପରିଚୟ: ଶୁଭାଶିଷ ପାଣିଗ୍ରାହୀ ଓଡ଼ିଆ ତ‌ଥା ଅନ୍ୟାନ୍ୟ ଭାରତୀୟ ଭାଷାର ଇଣ୍ଟରନେଟରେ ବ୍ୟବ‌ହାର ଉପରେ କାମକରୁଥିବା ଜଣେ ଗବେଷକ । ସେ ଅଧୁନା ବେଙ୍ଗାଳୁରୁସ୍ଥିତ ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟିର ଆକସେସ-ଟୁ-ନଲେଜ ପ୍ରୋଗ୍ରାମର ପ୍ରୋଗ୍ରାମ ଅଫିସର ଭାବେ କାର୍ଯ୍ୟରତ । ଓଡ଼ିଶାରେ କିଟ ବିଶ୍ୱବିଦ୍ୟାଳୟ, କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ (କିସ), ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ (IIMC) ଆଦି ଅନେକ ଶିକ୍ଷାନୁଷ୍ଠାନରେ ସେ କରି ଉଇକିପିଡ଼ିଆ ମାଧ୍ୟମରେ ଶିକ୍ଷାର ବିକାଶ ନିମନ୍ତେ ଗବେଷଣା କରୁଛନ୍ତି । ଭାରତ ଓ ବିଦେଶରେ ସେ ଇଣ୍ଟରନେଟରେ ଭାରତୀୟ ଭାଷାର ବିକାଶ ଉପରେ ଅନେକ କର୍ମଶାଳା ଓ ଆଲୋଚନାଚକ୍ରରେ ଭାଗ ନେଇ ଇଣ୍ଟରନେଟରେ ଭାଷାର ଆବଶ୍ୟକ‌ତା ଉପରେ ଆଲୋଚନା କରିଛନ୍ତି । [email protected] ରେ ତାଙ୍କ ସ‌ହ ଇ-ମେଲରେ ଯୋଗାଯୋଗ କରିପାରିବେ ।

Read the article published in Amalekha here


Document Actions