ଓଡ଼ିଆ ଉଇକିପିଡିଆ: ନୂତନ ଯୁଗର ଆରମ୍ଭ
୨୦୦୧ ମସିହା, ଇଣ୍ଟରନେଟ ଜରିଆରେ ଭାଷା ସହ ଭାଷାକୁ, ଚଳଣି ସହ ଚଳଣିକୁ, ଲୋକଙ୍କସହ ଲୋକଙ୍କୁ ଯୋଡ଼ିବାର ପଥ ସଳଖ ହେଉଥାଏ । ତେବେ ଆଜିଭଳି ସେତେବେଳକୁ ଇଂରାଜୀ ଭାଷା ଓ ଆମେରିକାର ପତିଆରା ଜଗତରେ କାହିଁରେ କେତେ । ତେଣୁ ଇଣ୍ଟରନେଟରେ ମଧ୍ୟ ଆମେରିକା ଓ ଇଂରାଜୀ ଛାମୁଆ ଥାନଟିକି ମାଡ଼ି ବସିଥାନ୍ତି । ଏ ବେଳକୁ ଆମେରିକାର ଦୁଇ ଯୁବକ ଜିମି ଉଏଲସ ଆଉ ଲାରି ସାଙ୍ଗର ନୂଆ ଏକ କଳ୍ପନା ସହ ପ୍ରକଳ୍ପଟିଏ ଆରମ୍ଭ କଲେ । କଳ୍ପନା ଥିଲା ଅଧିକରୁ ଅଧିକ ଲୋକଙ୍କୁ ଏକ ଏନସାଇକ୍ଲୋପିଡ଼ିଆ ସମ୍ପାଦନା କରିବାର ସୁଯୋଗ ଦେବା । ଏହି ମିଳିତ ସମ୍ପାଦନାରୁ ଯେଉଁ ପ୍ରକଳ୍ପଟି ଜନ୍ମିଲା ସେ ହେଲା ଉଇକିପିଡିଆ । ସେତେବେଳକୁ ଏନ୍ସାଇକ୍ଲୋପିଡ଼ିଆ ବ୍ରିଟାନିକା ସବୁ ଲାଇବ୍ରେରି ଆଉ ଏପରିକି ଇଣ୍ଟରନେଟରେ ଗାଦି ମାଡ଼ିବସିଥାଏ, ତା'ପୁଣି ପୁରୁଖା ସମ୍ପାଦକମାନଙ୍କ ସମ୍ପାଦନା ଓ ସଂକଳନରେ ପୁଷ୍ଟ ହୋଇ । ତା' ଆଗରେ କିନ୍ତୁ ଉଇକିପିଡିଆ ସଦମ୍ଭେ ମୁଣ୍ଡ ଟେକିଲା, ଆଉ ୨୦୦୨ବେଳକୁ ଏହା ଜଗତର ବାକି ଭାଷାରେ ମଧ୍ୟ ଆରମ୍ଭ ହେଲା । ଏ ଭାଷା ଭିତରେ ଓଡ଼ିଆ, ପଞ୍ଜାବୀ, ମାଲାୟାଲାମ ଓ ଅହମିୟା ପ୍ରଥମ ଭାରତୀୟ ଭାଷାର ଉଇକିପିଡିଆ ଭାବେ ସାମିଲ ହେଲେ । ନୂଆ ଚାରୋଟି ପ୍ରକଳ୍ପ ସିନା ଆରମ୍ଭ ହେଲା, ହେଲେ କେବଳ ମାଲାୟାଲାମକୁ ଛାଡ଼ି ବାକି ତିନିଟି ଭାଷାରେ ଅଧିକ ଲୋକ ଯୋଡ଼ିହେବା, ନୂଆ ପ୍ରକଳ୍ପ ଲିଖନ, ସମ୍ପାଦନ ଆଦି କାମ ଆଗେଇଲା ନାହିଁ । ଓଡ଼ିଆ ପାଇଁ ଏକ ବିଡ଼ମ୍ବନା ୨୦୧୧ ଯାଏ ଲାଗିରହିଲା । ତେବେ ୨୦୧୧ ବେଳକୁ ଜଣେ କେରଳୀ ଉଇକିଆଳି (ଉଇକିପିଡିଆ ସମ୍ପାଦକ) ସିଜୁ ଆଲେକ୍ସଙ୍କ ଉତ୍ସାହରେ କିଛି ଓଡ଼ିଆ ବେଙ୍ଗାଲୁରୁଠାରେ ଏକାଠି ହେଲେ । ୮ ବର୍ଷ ଧରି ସ୍ଥାଣୁ ହୋଇ ପଡ଼ିଥିବା ଓଡ଼ିଆ ଉଇକିପିଡିଆ ଘରେ ପଢ଼ୁଆଁ ଥର କଲମ ବୁଲିଲା । ଧୀରେଧୀରେ ଅଧିକରୁ ଅଧିକ ଓଡ଼ିଆ ଏଥିରେ ଯୋଡ଼ିହେଲେ, ଏ ସମସ୍ତ ଉଇକିଆଳି ନିଜ ଉତ୍ସାହରେ ଆଉ ବିନା ପାରିଶ୍ରମିକରେ ଲେଖିଚାଲିଲେ । ମାସକୁ ମାତ୍ର କେଇ ହଜାର ଲୋକ ଆଗରୁ ଓଡ଼ିଆ ଉଇକିପିଡିଆ ପଢ଼ୁଥିଲେ । ଆଜି ସାଢ଼େ ଆଠ ଲକ୍ଷରୁ ଅଧିକ ଲୋକ ଏହାର ମାସିକ ପାଠକ । ଓଡ଼ିଆ ଭାଷାରେ ଇଣ୍ଟରନେଟରେ ଥିବା ବିଶାଳତମ ୱେବସାଇଟ ଓଡ଼ିଆ ଉଇକିପିଡିଆ ସମ୍ପୂର୍ଣ୍ଣ ମାଗଣାରେ or.wikipedia.org ରେ ଉପଲବ୍ଧ । ଆଉ ସବୁଠୁ ମଜାର କଥା ହେଉଛି ଏହା କେବେବି ସମ୍ପୂର୍ଣ୍ଣ ନୁହେଁ । ଛପା ବନ୍ଧା ବହିରେ ଏମିତି ନୂଆନୂଆ ଘଟଣା ଛପା ହେବା ବେଳକୁ ବରଷେ ବିତିଯାଏ । ହେଲେ ଉଇକିପିଡିଆରେ ନିମିଷକେ କୌଣସି ବିଷୟ ଜାଣିଥିବା ଲୋକଟିଏ ନୂଆ ଖାତାଟିଏ ଖୋଲି ଏ ଘଟଣାକୁ ଲିପିବଦ୍ଧ କରିପାରେ ।
ତେବେ ସବୁ ଲୋକଙ୍କୁ ଲେଖିବାର ସୁଯୋଗ ଦେଲେ ଅନେକ ଅଦରକାରୀ ଲେଖାରେ ଯେ ଉଇକିପିଡିଆ ଭରୁଥିବା ଏ ଆଶଙ୍କା ଅମୂଳକ ନୁହେଁ । ତେବେ ଉଇକିପିଡିଆ କିଛି ନିୟମାବଳୀ ଭିତରେ କାମ କରେ । ସଭିଙ୍କୁ ଲେଖିବାର ସ୍ୱାଧୀନତା ମିଳିଛି ସତ, କିନ୍ତୁ ଲେଖାଯାକ ଗପ କବିତା କିମ୍ବା ନିଜର ସ୍ତୁତି ନହେଇ କେବଳ ଜ୍ଞାନକୋଷଭିତ୍ତିକ, ଅର୍ଥାତ କୌଣସି ଜଣାଶୁଣା ସ୍ଥାନ, ଘଟଣା କିମ୍ବା ବ୍ୟକ୍ତିବିଶେଷଙ୍କ ଉପରେ ଲେଖାହୁଏ । ପ୍ରାସଙ୍ଗିକତା ନଥାଇ ଲେଖାଯାଉଥିବା ଅନେକ ଅମୂଳକ ଲେଖାକୁ ହଟାଇ ଦେବାରେ ପୁରୁଖା ପରିଚାଳକମାନେ ସଦା ଜାଗତିଆର । ତା'ଛଡ଼ା ଲେଖାରେ ଏକ ଜଣାଶୁଣା ଲେଖକଙ୍କ କିମ୍ବା ପ୍ରକାଶନର ବହି, ପତ୍ରତ୍ରିକା, ଖବରକାଗଜରେ ଆଗରୁ ପ୍ରକାଶିତ ବିଷୟର ଆଧାରରେ ସେ ବହି/ ଖବରକାଗଜର ନାମ ସହ ଉଇକିପିଡିଆ ପ୍ରସଙ୍ଗମାନ ଲେଖାଯାଏ । ତେଣୁ ଆଗରୁ ପ୍ରକାଶିତ ହୋଇନଥିବା, ନିଜର ମୌଳିକ ରଚନା କିମ୍ବା ଗବେଷଣା ଉଇକିପିଡିଆରେ ସ୍ଥାନ ପାଏନାହିଁ । କୌଣସି ଏନସାଇକ୍ଲୋପିଡିଆକୁ ଟିକେ ଆଡ଼େଇ ଦେଖିବା ତା'ହେଲେ ଏକଥା ବୁଝାପଡ଼େ ଯେ କେବଳ ବିଷୟର ପୁଙ୍ଖାନୁପୁଙ୍ଖ ବଖାଣ ଛଡ଼ା କୌଣସି ସାହିତ୍ୟିକ କଳ୍ପନା କିମ୍ବା ବିଶେଷଣର ବିନ୍ୟାସ ସେଥିରେ ନଥାଏ । ଏ ନିୟମଟି ଉଇକିପିଡିଆ ଖୁବ୍ କଡ଼ାକଡ଼ି ମାନିଥାଏ । ତେବେ ସ୍ୱେଚ୍ଛାସେବୀଙ୍କ ସମୟ ବି ସୀମିତ । ଆଉ ଓଡ଼ିଆ ଉଇକିପିଡିଆ ଭଳି ପ୍ରକଳ୍ପରେ ଉଇକିଆଳି ହାତଗଣତିକୁ ସକ୍ରିୟ ପରିଚାଳକ ମାତ୍ର ଜଣେ କି ଦୁଇ । ଏଣୁ ଆଖିରୁ ଗୋଟେ ଯୋଡ଼େ ଭୁଲ ବାଦପଡ଼ିବା ସ୍ୱାଭାବିକ । ଅଧିକ ଓଡ଼ିଆ ନିଜ ଉତ୍ସାହରେ ଏଥିରେ ଯୋଗଦିଅନ୍ତେ ଯଦି ତାଙ୍କ ସମାଗମରେ ଲେଖାସବୁ ଅଧିକଥର ସମ୍ପାଦିତ ହୁଅନ୍ତା । ଆଉ ସେ ମନ୍ଥନରୁ ଲେଖା ସରସ ଓ ଅଧିକ ତଥ୍ୟସମ୍ବଳିତ ହୁଅନ୍ତା । ତେବେ ଏ ଏକ ଆନ୍ଦୋଳନ । ଉଇକିପିଡିଆ ଭଳି ଏକ ବିଶ୍ୱସ୍ତରୀୟ ପ୍ରକଳ୍ପ ବାବଦରେ ସୁଦୂରରେ ରହିଥିବା ଓଡ଼ିଆଙ୍କୁ ଜଣାଇବାର ଉଦ୍ୟମ ଚିରନ୍ତନ । ଓଡ଼ିଆ ଭାଷାଟିକୁ ଖାଲି ଶାସ୍ତ୍ରୀୟ ମାନ୍ୟତା ଦେଇ ସିଂହାସନରେ ବସାଇଦେଲେ ହେବନାହିଁ, ବ୍ୟାବହାରିକ ସ୍ତରରେ କିପରି ଏହା ଅଧିକ ଲୋକଙ୍କ ହାତପାହାନ୍ତାରେ ପହଞ୍ଚିବ ତା ପାଇଁ ବାଟ କଢ଼ାଇବାକୁ ହେବ । ଇଣ୍ଟରନେଟ ଯୋଗେ ଆମ ଭାଷାରେ ଜାଣିବା ପାଇଁ ଲୋକେ କମ୍ପ୍ୟୁଟର-ମୋବାଇଲ ଆଦିର ବ୍ୟବହାର ନକଲେ ଓଡ଼ିଆ ଭାଷା ଯେ ଚିରକାଳ ସେ ଗାଦିରେ ଉଇଓଡ଼ଶଙ୍କ ଜୀବସାର ହୋଇ ରହିଯିବ ।
ଉଇକିପିଡିଆର ଇତିହାସ ଆମ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଆରମ୍ଭ ସହ ଅନେକାଂଶରେ ମିଶେ । ଭାଷାକୋଷର ସଂକଳକ ଗୋପାଳ ଚନ୍ଦ୍ର ପ୍ରହରାଜ ଥିଲେ ଜଣେ ଓକିଲ । ହେଲେ ଓଡ଼ିଶାର ଅଞ୍ଚଳଅଞ୍ଚଳ ବୁଲି ଶବ୍ଦଖୋଜାର ସଉକ ତାଙ୍କୁ ଏତେ ଘାରିଥିଲା ଯେ ନିଜର ସାଥିମାନଙ୍କୁ ଏକାଠି କରି ଏ କାମଟି ଆରମ୍ଭ କରିଥିଲେ । ଦଳବଦ୍ଧ କାମ ସବୁ ପାଣ୍ଡୁଲିପିର ରୂପ ନେଲା । ପ୍ରହରାଜେ ପୁଣି ଖୋଜିବସିଲେ ତାକୁ ଛପାଇବା ପାଇଁ । ରାଜାଙ୍କ ପୃଷ୍ଠପୋଷକତାରେ ଓଡ଼ିଆ ଭାଷାର ବିଶାଳତମ ଲେକ୍ସିକନ ସେଠୁ ଜନମିଲା । କହିବା ବାହୁଲ୍ୟ ଯେ ନିଜେ ଗୋପାଳ ଚନ୍ଦ୍ର ପ୍ରହରାଜ କିମ୍ବା ତାଙ୍କ ସାଥି କେହି ଲେଖକ କିମ୍ବା ସମ୍ପାଦକ ନଥିଲେ । ହେଲେ ୩୦ ଶତକରେ ଛପା ଏ ସଂକଳନରୁ ଅଧିକ ବଡ଼ ଗ୍ରନ୍ଥ ଓଡ଼ିଆ ଭାଷାରେ ଆଜି ବି ତିଆରି ହୋଇପାରିନାହିଁ । ଇଚ୍ଛାଶକ୍ତି ଖୁବ୍ ଦମ୍ଭିଲା ହେଲେ ସାଧାରଣ ଲୋକ କି ଅସାଧାରଣ କାମ କରିପାରନ୍ତି ତାହା ଉଇକିପିଡିଆ ଓ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଦୃଷ୍ଟାନ୍ତରୁ ଅନେକ ଶିଖିବାକୁ ମିଳେ ।
ଓଡ଼ିଆ ଉଇକିପିଡିଆରେ ଏବେ ୮୭୦୦ରୁ ଅଧିକ ପ୍ରସଙ୍ଗର ସମ୍ଭାର ଆଉ ଏହା ନିତିନିୟମିତ ୧୫ରୁ ଅଧିକ ଉଇକିଆଳିଙ୍କ ଦେଇ ସମ୍ପାଦିତ । ଏହି ଜୁନ ୩ ତାରିଖରେ ପ୍ରକଳ୍ପଟି ୧୩ ବର୍ଷର କିଶୋରରେ ପରିଣତ ହେଉଛି ।
ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି, ବେଙ୍ଗାଲୁରୁ