Article on Odia Wikipedia in Odiapua

by Prasad Krishna last modified Dec 27, 2014 02:38 AM

The article was published in Odiapua on December 1, 2014.


ଭୁବନେଶ୍ୱର (୨୮ ନଭେମ୍ବର): ବିଶ୍ୱବ୍ୟାପୀ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ବହୁଭାଷୀ ଜ୍ଞାନକୋଷ ନିର୍ମାଣରେ ଆନ୍ଦୋଳନ ସୃଷ୍ଟି କରିଥିବା ଓଡ଼ିଆ ଉଇକିପିଡ଼ିଆର ସହ-ପ୍ରକଳ୍ପ "ଓଡ଼ିଆ ଉଇକିପାଠାଗାର" ଆଜି ଭୁବନେଶ୍ୱର ଠାରେ ଉନ୍ମୋଚନ ହୋଇଯାଇଛି । ଇଣ୍ଟରନେଟରେ or.wikisource.org ୱେବସାଇଟରେ ଉପଲବ୍ଧ ଏହି ପ୍ରକଳ୍ପ ଦୁଇବର୍ଷ ତଳେ ଆରମ୍ଭ ହୋଇ ଓଡ଼ିଆ ଭାଗବତ ସମେତ ଭିନ୍ନ ଭିନ୍ନ କବି ଓ ଲେଖକଙ୍କ ଆହୁରି ୩୧ ଗୋଟି ରଚନାରେ ଭରା । ଆଜି ସ୍ଥାନୀୟ ଜୟଦେବ ଭବନରେ ଏକ "ଓଡ଼ିଆ ଉଇକିପାଠାଗାର ସଭା ୨୦୧୪"ରେ ଏହାକୁ ଉନ୍ମୋଚନ କରି ବରିଷ୍ଠ ଭାଷାବିଦ ଦେବୀପ୍ରସନ୍ନ ପଟ୍ଟନାୟକ ଏହା ଓଡ଼ିଶା ବାହାରେ ଥିବା କିମ୍ବା ପାଠାଗାର ଯାଇ ବହି ଆଣି ପଢ଼ିବାର ସୁଯୋଗ ପାଉନଥିବା ଓଡ଼ିଆଙ୍କ ପାଇଁ ଖୁବ ଉପଯୋଗୀ ହେବ ମତ ପ୍ରକାଶ କରିଥିଲେ । ଦୈନିକ "ସମ୍ବାଦ"ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଇଣ୍ଟରନେଟକୁ ଆମ ଭାଷାର ମାରକ ନୁହେଁ, ବରଂ ମିତ କରି ଏହାକୁ ଆମ ଭାଷାର ଉନ୍ନତିରେ ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । "ଆମ ଓଡ଼ିଶା" ଦ୍ୱାରା ପ୍ରକାଶିତ ବିଭିନ୍ନ ବିଷୟର ୧୯ ଖଣ୍ଡ ବହି ସେ ଏହି ପ୍ରକଳ୍ପ ଜରିଆରେ ଡିଜିଟାଲକରଣ କରିବା ପାଇଁ ବିତରଣ କରିଥିଲେ । ଆଗକୁ ଓଡ଼ିଆ ଉଇକିପିଡ଼ିଆ ସହ ମିଶି ସେ ସମ୍ବାଦ ତଥା ଆମ ଓଡ଼ିଶାର ବିଭିନ୍ନ ଓଡ଼ିଆ ଭାଷା ଓ ସଂସ୍କୃତିଭିତ୍ତିକ କାର୍ଯ୍ୟକ୍ରମ କରିବା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ଏହି ସଭାର ସଭାପତିତ୍ୱ କରି ବିଶିଷ୍ଠ କବି ଓ ଚିନ୍ତକ ଡ ହରପ୍ରସାଦ ଦାସ ଓଡ଼ିଆ ଭାଷାରେ ଇଣ୍ଟରନେଟରେ ରହିଥିବା ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ଯୁବପିଢ଼ିକୁ ଆହ୍ୱାନ ଦେଇଥିଲେ ।

ଓଡ଼ିଆ ବହିର ଅଭିଲେଖ କାମର ବିଶାଳ ଶ୍ରେୟ ସବୁବେଳେ ସୃଜନିକାକୁ ଯାଇଥାଏ । ସେମାନଙ୍କ ଉଦ୍ୟମରେ ୧୮୪୦-୧୯୪୦ ଭିତରେ ଛପା ଅନେକ ବହିର ଡିଜିଟାଲକରଣ ଭଳି ଐତିହାସିକ କାମଟିଏ ହୋଇଥିଲା । ଏ କାମକୁ ଓଡ଼ିଆ ଉଇକିପାଠାଗାର ଆଉ ପାଦେ ଆଗେଇ ନେବ ବୋଲି ଆଶା ସଂଚାର ହୋଇଛି । ଏଥିରେ ବହିର ସ୍କାନ ସହିତ ଟାଇପ କରା ଲେଖା (typed text) ଇଉନିକୋଡ଼ ନାମକ ଏକ ବିଶ୍ୱସ୍ତରୀୟ ମାନକରେ ରହିଥାଏ ଯାହାଫଳରେ ଜଣେ ବହିଟିଏ କମ୍ପୁଟର, ଟାବଲେଟ କି ମୋବାଇଲରେ ପଢ଼ିପାରିବ, ସେଥିରେ ଲେଖା ନେଇ ଆଉ କେଉଁଠି ଉଦ୍ଧୃତି ଦେଇପାରିବ ବା ଛପାଇ ପାରିବ । ସ୍କାନ କରା ବହିଠାରୁ ଏଥିରେ ଉପଲବ୍ଧ ବହିସବୁ ଯଥେଷ୍ଟ ହାଲୁକା ଓ ଏଥିରୁ ପିଡିଏଫ କରି ଜଣେ ଇଣ୍ଟରନେଟ ବିନା ମଧ୍ୟ ବହି ପଢ଼ିପାରିବ ବୋଲି ସେଣ୍ଟୃ । ଆଗକୁ ବହିର ଲେଖା ଶୁଣିବାର ବାଟ ମଧ୍ୟ ଆସୁଛି । କପିରାଇଟ ନଥିବା ଅନେକ ବିରଳ ବହି, ଭାଗବତ, ମହାଭାରତ ଭଳି ପୋଥିପୁରାଣଠୁ ଆରମ୍ଭ କରି ନୂଆ ଅନେକ ବହି ଏଥିରେ ସ୍ଥାନ ପାଇପାରିବ । ପଦ୍ମଶ୍ରୀ ଡ ଦେବୀପ୍ରସନ୍ନ ପଟ୍ଟନାୟକ, ରାମକୃଷ୍ଣ ନନ୍ଦ, ଡ ଜଗନ୍ନାଥ ମହାନ୍ତି, ଡ ସୁବ୍ରତ ପୃଷ୍ଟି ଓ ନିର୍ମଳା କୁମାରୀ ମହାନ୍ତି ଆଦି ଲେଖକଙ୍କ ଅନେକ ଗବେଷଣାଭିତ୍ତିକ ବହିରୁ ଆରମ୍ଭ କରି ବିନୟ ପଟ୍ଟନାୟକ, ଭାରତ ମାଝି ଓ ମନୋଜ ପଣ୍ଡାଙ୍କ ସାହିତ୍ୟ କୃତି ତଥା "ଆମ ଓଡ଼ିଶା" ଓ "ସମଦୃଷ୍ଟି" ଭଳି ପ୍ରକାଶନ ସଙ୍ଗଠନର ବହିମାନ  ସତ୍ୱାଧୀକାରୀଙ୍କ ଉଦାର ଅନୁମତି କ୍ରମେ ଏଥିରେ ସ୍ଥାନୀତ । ଓଡ଼ିଆ ଉଇକିପାଠାଗାରରେ ସର୍ବାଧିକ ୧୨୦୦ରୁ ଅଧିକ ଥର ସମ୍ପାଦନା କରି ପାହାପାଖି ୪ ଖଣ୍ଡ ବହିକୁ ପୁନଟାଇପ କରିଥିବା ପଙ୍କଜବାଳା ଷଡ଼ଙ୍ଗୀ ଓଡ଼ିଶା ବାହାରେ ରହି ଓଡ଼ିଶାର ମହାନ କଳା-ଚଳଣି-ଭାଷା ସମ୍ବନ୍ଧରେ ଅଧିକ ଜାଣିବାର ଶ୍ରେଷ୍ଠ ବାଟ ବୋଲି ଅଭିହିତ କରନ୍ତି । ଭୁବନେଶ୍ୱରରେ ଥିବା ଉଇକିଆଳି ଓ ବେଙ୍ଗାଳୁରୁର ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି ସହାୟତାରେ ଭୁବନେଶ୍ୱରର କିସ ଅନୁଷ୍ଠାନର ୯ ଜଣ ଶିକ୍ଷକ ଓ ପାଖାପାଖି ୫୦ ଜଣ ଛାତ୍ର ଏଯାବତ ୪ଟି ବହି ଟାଇପ କରିସାରିଲେଣି । ପିଲାମାନେ ଓଡ଼ିଆ ଭାଷା ଓ ଏଥିରେ ଟାଇପ କରିବା ଶିଖିବା ଭବିଷ୍ୟତରେ ତାଙ୍କ ଚାକିରିରେ ସହାୟକ ହେବ ବୋଲି କହନ୍ତି ଏହାକୁ ପରିଚାଳନା କରୁଥିବା କିସର ଶିକ୍ଷକ ପ୍ରୀତିନନ୍ଦା ରାୟ । ଆଉ କେଉଁଠି ଇଉନିକୋଡ଼ରେ ଟାଇପ ହୋଇ ନଥିବା ଓଡ଼ିଆ ଭାଗବତକୁ odia.org ରୁ ଆଣି ତାକୁ ଇଉନିକୋଡ଼ରେ ରୂପାନ୍ତର ୭ ଜଣ ନୂଆ ଉଇକିଆଳି ଓଡ଼ିଆ ଉଇକିପାଠାଗାରରେ ସ୍ଥାନୀତ କରିବା ସତରେ ଏକ ଐତିହାସିକ ପଦକ୍ଷେପ । ଆଗକୁ ଆମେ ବିରଳ ପୋଥି ଦୁଷ୍ପ୍ରାପ୍ୟ ଓ ଛପାଯାଉନଥିବା ବହିମାନ ଓଡ଼ିଆ ଉଇକିପାଠାଗାରରେ ଉପଲବ୍ଧ କରାଇବୁ ବୋଲି କହନ୍ତି ଓଡ଼ିଆ ଉଇକିପିଡ଼ିଆର ପରିଚାଳକ ମୃତ୍ୟଞ୍ଜୟ କର ।